Unknown

 

 

 

 

 

 

 

 

 

 

 

ଅନ୍ନପୂର୍ଣ୍ଣା

ତାରିଣୀ ଚରଣ ରଥ

 

ଆତ୍ମକଥା

 

ଏ ଉପନ୍ୟାସ ଖଣ୍ଡି ମୋର ପିତା ସ୍ଵର୍ଗତ ତାରିଣୀ ଚରଣ ରଥ ବି.ଏ.ଙ୍କର ଶେଷ ଲେଖା-। ସେ ୧୯୨୨ ମସିହାରେ ଏହାର ପାଣ୍ଡୁଲିପି ଲେଖା ଶେଷ କରି ଯଥାଶୀଘ୍ର ପ୍ରକାଶ କରିବାପାଇଁ ପ୍ରବଳ ଇଚ୍ଛା ପୋଷଣ କରିଥିଲେ । କିନ୍ତୁ ଦୁର୍ଦୈବ ତାଙ୍କୁ ସେ ସୁଯୋଗ ଦେଲା ନାହିଁ । ସେ ଉତ୍କଳ ସାହିତ୍ୟ କ୍ଷେତ୍ରରେ ବୈଶିଷ୍ଟ୍ୟ ଲାଭ କରି ଆସୁଥିଲାବେଳେ କାଳର ଦୁର୍ଦ୍ଦମନୀୟ ହସ୍ତ ତାହାଙ୍କୁ ନିଜର କରି ନେଇଛି ଏବଂ ଏହିଠାରେହିଁ ତାଙ୍କ ସାହିତ୍ୟ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ।

 

ଗତ ସୁଦୀର୍ଘ ବାରବର୍ଷ କାଳ କେତେକ ବିଶେଷ କାରଣରୁ ଅବହେଳିତ ହୋଇ ପଡ଼ି ‘‘ଅନ୍ନପୂର୍ଣ୍ଣା’’ ଆଜି ଦିବାଲୋକର ମଧୁର ସ୍ପର୍ଶରେ ଆସିବାପାଇଁ ସକ୍ଷମ ହୋଇଛି । ଆଶା କରେ ଜଣେ ସାହିତ୍ୟ ସେବୀଙ୍କର ଶେଷ ରକ୍ତ ବିନ୍ଦୁ ଦେଇ ଗଢ଼ା ‘ଅନ୍ନପୂର୍ଣ୍ଣା’ ସାଧାରଣରେ ସମାଦୃତ ହେବ ।

 

ଶେଷରେ ଷ୍ଟୁଡ଼େଣ୍ଟ୍‍ସ ଷ୍ଟୋର ଏହାର ପ୍ରକାଶ ଭାର ବହନ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ।

 

ବ୍ରହ୍ମପୁର

ବିନୀତ

୨୦ । ୯ । ୩୪

ଶ୍ରୀ ବିପିନବିହାରୀ ରଥ

Image

 

ଅନ୍ନପୂର୍ଣ୍ଣା

ପ୍ରଥମ ପରିଚ୍ଛେଦ

 

‘‘ଚାରିଶତବର୍ଷ ପୂର୍ବର କଥା । ସେ ସମୟରେ ସୁବିସ୍ତୃତ ଓଡ଼ିଶାର ସିଂହାସନ ଅଳଙ୍କୃତ କରିଥିଲେ ପୁଣ୍ୟଶ୍ଳୋକ ମହାରାଜା ଗଜପତି ପ୍ରତାପରୁଦ୍ର ଦେବ । ଓଡ଼ିଶାର ସୀମା ସେତେବେଳେ ଗଙ୍ଗାଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପ୍ରତାପରୁଦ୍ର ପୈତୃକ ରାଜ୍ୟର ଶ୍ରୀବୃଦ୍ଧି ଓ ବିସ୍ତାର ଲାଗି ଦାକ୍ଷିଣାତ୍ୟରେ ବହୁକାଳ ଯୁଦ୍ଧ କରିଥିଲେ । ୧୫୧୫ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଭାଗ୍ୟବିପର୍ଯ୍ୟୟ ଘଟିଲା । ଦେଶର ଅବସ୍ଥା ଅତୀବ ଶୋଚନୀୟ ହୋଇପଡ଼ିଲା । ଉତ୍ତର ଓ ଦକ୍ଷିଣ ଉଭୟ ଦିଗରୁ ମୁସଲମାନମାନଙ୍କର ଘନଘନ ଅଭିଯାନ ଓଡ଼ିଆ ପ୍ରାଣରେ ଆତଙ୍କିତ କରିଦେଲା । ମାତ୍ର ଓଡ଼ିଶାର ଐକ୍ୟ ଓ ସ୍ଵାତନ୍ତ୍ର ଯୋଗୁଁ ସେମାନେ ଦେଶ ମଧ୍ୟରେ ଶାସନ ଦଣ୍ଡ ଚଳାଇ ପାରିଲେନାହିଁ । ବଙ୍ଗଳା ମୁସଲମାନଗଣରେ କରଗତହେବା ଉତ୍ତାରୁ ପ୍ରାୟ ଚାରିଶତବର୍ଷ ପର୍ଯ୍ୟନ୍ତ ଓଡ଼ିଆ ସ୍ଵୀୟ ବାହୁବଳରେ ନିଜର ସ୍ଵାଧୀନତା ଅକ୍ଷୁଣ୍ଣ ରଖିପାରିଥିଲା । ମାତ୍ର କ୍ରମଶଃ ଗୃହବିବାଦ ଓ ଅନ୍ତର୍ବିପ୍ଳବ ଯୋଗୁଁ ଓଡ଼ିଶାର ସ୍ୱାଧୀନତା ଚିରକାଳ ନିମିତ୍ତ ଅପସୃତ ହୋଇଥିଲା ।

 

ଚିରଦିନ ସମାନ ନୁହେଁ । ଉତ୍ଥାନ ପରେ ପତନ, ପତନ ପରେ ଉତ୍ଥାନ ଅବଶ୍ୟମ୍ଭାବୀ । ଓଡ଼ିଶାର ଅବସ୍ଥା ଠିକ୍ ସେହିପରି ହେଲା । ଇତିମଧ୍ୟରେ ସୁବିଖ୍ୟାତ ବୈଷ୍ଣବ ଧର୍ମପ୍ରଚାରକ ଚୈତନ୍ୟ ଦେବ ଏ ଦେଶକୁ ଆଗମନ କରିଥିଲେ । ମହାରାଜା ପ୍ରତାପରୁଦ୍ର ବୈଷ୍ଣବଧର୍ମ ଗ୍ରହଣ କରି, ତା’ର ପ୍ରଚାର ନିମିତ୍ତ ବିଶେଷ ଯତ୍ନ କରିଥିଲେ । ସୁତରାଂ ଧର୍ମନୀତି ପ୍ରଭାବରୁ ରାଜନୀତି ଚର୍ଚ୍ଚା କ୍ରମେ ଶିଥିଳ ହୋଇ ପଡ଼ିଥିଲା ।

 

ରାଜାଙ୍କର ପ୍ରବଳ ଧର୍ମାନୁରାଗ ଓ ରାଜ୍ୟ ଶାସନର ଶିଥିଳତା ଦେଶ ମଧ୍ୟରେ ଗୋଟିଏ ସନ୍ଧି କାଳର ସୃଷ୍ଟି କରିଦେଲା । ଏହି ସମୟରେ ଓଡ଼ିଶାର ଦକ୍ଷିଣ ପଶ୍ଚିମରେ ସୁପ୍ରସିଦ୍ଧ ବିଜୟନଗର ରାଜ୍ୟ ପ୍ରବଳ ପରାକ୍ରମଶାଳୀ ହୋଇ ଉଠିଲା । ଭାରତବିଖ୍ୟାତ ରାଜା କୃଷ୍ଣଦେବ ରାୟ ଏହାର ଶାସନକର୍ତ୍ତା ଥିଲେ । ସେ ପ୍ରଭୂତ ପରାକ୍ରମୀ ହୋଇ ଗଜପତି ପ୍ରତାପରୁଦ୍ର ଦେବ ଓ ଦାକ୍ଷିଣାତ୍ୟର ମୁସଲମାନ ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ସେତେବେଳେ ଦକ୍ଷିଣ ଓଡ଼ିଶା ତିନି ଭାଗରେ ବିଭକ୍ତ ହୋଇଥିଲା:– ୧–କଳିଙ୍ଗ ପ୍ରଦେଶ (ମହେନ୍ଦ୍ରଗିରି କିମ୍ବା କଳିଙ୍ଗ ପାଟଣାଠାରୁ ରାଜମହେନ୍ଦ୍ର ପର୍ଯ୍ୟନ୍ତ)୨–ବେଙ୍ଗୀ ପ୍ରଦେଶ [ଗୋଦାବରୀ ଓ କୃଷ୍ଣା ନଦୀ ମଧ୍ୟସ୍ଥିତ ପ୍ରଦେଶ] ୩–ବିଦର୍ଭ ପ୍ରଦେଶ [କୃଷ୍ଣା ନଦୀ ଦକ୍ଷିଣସ୍ଥିତ ପ୍ରଦେଶ] ।

 

ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳରେ ଉପରୋକ୍ତ ପ୍ରଦେଶମାନଙ୍କର, ଉଦୟଗିରି, କନକଗିରି, କନ୍ଦାପଲ୍ଲୀ, କୋଣ୍ଡାବୀଡ଼ୁ, ରାଜମହେନ୍ଦ୍ର, ଏଲୋର [ହେଳାପୁର] ପ୍ରଭୃତି ସ୍ଥାନରେ ଗୋଟିଏ ଗୋଟିଏ ସୁଦୃଢ଼ ଦୁର୍ଗ ନିର୍ମିତ ହୋଇଥିଲା । ଜଣେ ଜଣେ ଉପଯୁକ୍ତ ଶାସନକର୍ତ୍ତା ଏଥିରେ ବାସ କରି ରାଜକାର୍ଯ୍ୟ ନିର୍ବାହ କରୁଥିଲେ । ସେମାନଙ୍କ ଅଧୀନରେ ବହୁତ ସୈନ୍ୟସାମନ୍ତ ଦୁର୍ଗରକ୍ଷା ଲାଗି ନିଯୁକ୍ତ ରହୁଥିଲେ । ଶାସକମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଗଜପତି ପ୍ରତାପରୁଦ୍ରଙ୍କ ଆତ୍ମୀୟ । କୃଷ୍ଣଦେବ ରାୟ ବହୁ କ୍ଳେଶରେ ଏହି ଦୁର୍ଗମାନ ଜୟ କରି ସିଂହାଚଳଠାରେ ଉପନୀତ ହେଲେ । ଦାକ୍ଷିଣାତ୍ୟରେ ସେ ଜଣେ ପ୍ରତାପଶାଳୀ କ୍ଷତ୍ରୀୟ ଥିଲେ । ମନ୍ତ୍ରୀମାନଙ୍କ କୌଶଳ ଓ ସ୍ୱୀୟ ବାହୁବଳରେ ସେ ବହୁ ରାଜ୍ୟ କରଗତ କରି ମୁସଲମାନମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ । ମାତ୍ର ଏହାଙ୍କ ସ୍ଵର୍ଗାରୋହଣ ସଙ୍ଗେ ସଙ୍ଗେ ବିଜୟ ନଗରର ସମସ୍ତ ବିଭବ କରାଳ କାଳଗର୍ଭରେ ବିଲୀନ ହୋଇଗଲା ।

Image

 

ଦ୍ଵିତୀୟ ପରିଚ୍ଛେଦ

ଜ୍ୟେଷ୍ଠ ମାସର ପ୍ରଖର ଗ୍ରୀଷ୍ମ । ହଠାତ୍ ନିର୍ମଳ ନଭୋମଣ୍ଡଳରେ ଘନଘଟାର ‘‘ଆଡ଼ମ୍ବର ଦୃଷ୍ଟ ହେଲା ସତ, ମାତ୍ର ପ୍ରବଳ ବାତ୍ୟାବର୍ତ୍ତ ବ୍ୟତୀତ ଆଦୌ ବୃଷ୍ଟି ହୋଇ ନଥିଲା । ସେହି ଦିନ ସନ୍ଧ୍ୟା ସମୟରେ କୃଷ୍ଣଦେବ ରାୟ ମନ୍ତ୍ରୀଙ୍କ ସହିତ ସିଂହାଚଳ ପଦଦେଶସ୍ଥ କୌଣସି ଉଦ୍ୟାନରେ ବିହାର କରୁଥିଲେ । ଉଭୟେ ନିକଟବର୍ତ୍ତୀ ଗୋଟିଏ ପ୍ରସ୍ତର ଫଳକୋପରି ଉପବିଷ୍ଟ ହୋଇ ଆଳାପ କରିବାକୁ ଲାଗିଲେ । ମନ୍ତ୍ରୀ ଡିମାରାଜ ରାଜାଙ୍କର ବିପଦ ବନ୍ଧୁ, ପରାମର୍ଶଦାତା, ଏକାନ୍ତ ହିତାକାଂକ୍ଷୀ ଓ ପରମ ଭକ୍ତିଭାଜନ ଥିବାରୁ ରାଜା ତାଙ୍କୁ ‘‘ଆପାଜି” ବୋଲି ସମ୍ବୋଧନ କରୁଥିଲେ ।

‘‘ଆପାଜି, ଏ ସ୍ଥାନର ପ୍ରାକୃତିକ ଦୃଶ୍ୟ କି ମନୋହର । ନିର୍ମଳ ଜଳପୂର୍ଣ୍ଣ ନିର୍ଝରିଣୀ, ଶ୍ୟାମକାନ୍ତ ତରୁଲତା ବେଷ୍ଟିତ ପର୍ବତ ସମୂହ, ହରିତାୟମାନ ଶସ୍ୟଭରାନତ କେଦାରରାଜି ଅବଲୋକନ କଲେ କାହାର ହୃଦୟ ସେହି ଅପାର୍ଥିବ ସୁଖ–ରାଶିରେ ନିମଜ୍ଜିତ ନହେବ ! ଆହା, ପ୍ରକୃତିର ଏହି ମନୋରମ ରାଜ୍ୟରେ କି ସୁଖ, କି ଆନନ୍ଦ ଅନୁଭୂତ ନହେଉଛି । ସିଂହାସନ ଅପେକ୍ଷା ଏ ପ୍ରସ୍ତରଫଳକଟି ତ ଅତି ମନୋହର, ବଡ଼ ଆରାମଦାୟକ ! ଆଚ୍ଛା ଛାଡ଼ନ୍ତୁ, କହିପାରିବେ କି ସିଂହାଦ୍ରି, ଶିଖରସ୍ଥ ଦେବ ମନ୍ଦିରର ନିର୍ମାଣକର୍ତ୍ତା କିଏ ?’’

‘‘ଅନନ୍ତ ସୌନ୍ଦର୍ଯ୍ୟମୟୀ ପ୍ରକୃତି ଯାର ଚିର ସହଚରୀ, ସେହି ସୁଷମାଶାଳିନୀ ଓଡ଼ିଶାରେ ସୁନ୍ଦରତାର ଅଭାବ କ’ଣ ! ଆଉ ଯେଉଁ ମନ୍ଦିର କଥା ପଚାରୁଛନ୍ତି ତାହା ଗଙ୍ଗବଂଶାବତଂସ ବିଖ୍ୟାତ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ କୀର୍ତ୍ତି ! ସେ ତ୍ରୟୋଦଶ ଶତାବ୍ଦୀରେ ଓଡ଼ିଶା ଶାସନ କରୁଥିଲେ ।’’

‘‘ଭାବୁଛି, ଶୁଭକ୍ଷଣରେ ଓଡ଼ିଶା ପ୍ରତି ଅଭିଯାନ ଚଳାଇ ଆମ୍ଭେମାନେ ଯଶସ୍ଵୀ ହୋଇପାରିବୁ । ଏଡ଼େ ବିଶାଳ ଓ ସୁଦୃଢ଼ ରାଜ୍ୟ ଜୟ କରିବା କ’ଣ ସହଜ କଥା ? ତେବେ କଟକଦୁର୍ଗ ଜୟ ନକଲେ ଦିଗ୍‍ବିଜୟ ଶେଷ କରିବାକୁ ହେବନାହିଁ ।’’

‘‘ଆମ୍ଭମାନଙ୍କର ଦୀର୍ଘକାଳ ସମରସଜ୍ଜା, ଦକ୍ଷିଣ ଓଡ଼ିଶା ପ୍ରତି ଆକସ୍ମିକ ଆକ୍ରମଣ, ଶାସନକର୍ତ୍ତା ରାମାନନ୍ଦଙ୍କର ତୀର୍ଥଯାତ୍ରା, ଗଜପତିଙ୍କ ହୃଦୟରେ ଧର୍ମଭାବ ଉଦ୍ରେକ, ଓଡ଼ିଶାର ସ୍ଥାନେ ସ୍ଥାନେ ଗୃହବିବାଦର ସୃଷ୍ଟି ଆମ୍ଭମାନଙ୍କ ପକ୍ଷେ ମଙ୍ଗଳର ସଙ୍କେତ, ଜୟ ଲାଭର ପ୍ରଧାନ କାରଣ । ମାତ୍ର ଏହି ମୁଷ୍ଟିମେୟ ସୈନ୍ୟ ସାହାଯ୍ୟରେ କଟକବିଜୟ ବିଡ଼ମ୍ବନା; ସେଥିଲାଗି ବିପୁଳ ଆୟୋଜନ ଓ ଭୀଷଣ ଯୁଦ୍ଧସଜ୍ଜା ନିତାନ୍ତ ଆବଶ୍ୟକ ।’’

‘‘ତେବେ କ’ଣ ଏଠାରୁ ବିଜୟନଗରକୁ ଫେରିଯିବାକୁ କହୁଛନ୍ତି ? କଦାପି ନୁହେଁ–ଧୈର୍ଯ୍ୟ ଧରନ୍ତୁ । କ୍ଷତ୍ରିୟ ପ୍ରାଣରେ ଉତ୍ସାହହୀନତା ରାଜ୍ୟରକ୍ଷା ବିଷୟରେ ପ୍ରଧାନ ଅନ୍ତରାୟ । ଅବଶ୍ୟ ଆପଣଙ୍କୁ ବେଶୀ ବୁଝାଇବାକୁ ହେବ ନାହିଁ । ଏପର୍ଯ୍ୟନ୍ତ ଅଗ୍ରସର ହୋଇ, ଦେଶଲାଗି ପ୍ରାଣ ପର୍ଯ୍ୟନ୍ତ ବଳି ଦେବାକୁ ଶିଖି ଏଇ ଉକ୍ତି ପ୍ରକାଶ କରୁଛ ? ଆପାଜି, ଏ କ’ଣ ବିଦ୍ରୂପ ନା ବୀର ପ୍ରତି ଉତ୍ସାହ ? କିଛି ବୁଝିପାରୁନାହିଁ ।’’

ଆପାଜି ଟିକିଏ ଅପ୍ରତିଭ ହେଲେ । ତାଙ୍କ ଲଲାଟରେ ଚିନ୍ତାରେଖା ଫୁଟି ଉଠିଲା । ପରେ ସେ ତାହା ଗୋପନ ରଖି କହିଲେ, ‘‘ନା, ମହାରାଜ, ମୁଁ ଏ କାର୍ଯ୍ୟରେ ଯେ ଛାମୁଙ୍କ ସହିତ ଏକମତ ନହେଉଛି, ତାହା ନୁହେଁ । ତେବେ ଏତିକି, ଅଭିଯାନର ପରିଣାମ କଦାପି ଭଲ ହେବ ନାହିଁ ବୋଲି ମନେ କରୁଛି ।’’

‘‘ତେବେ ତୁମେ ଏ କାର୍ଯ୍ୟରେ ବରାବର ନୀରବ ରହିବ ବୋଲି କହୁଛ ? ଧୈର୍ଯ୍ୟ ଧର–ଆତ୍ମତିରସ୍କାର କରି ନିଜକୁ କଦାପି ହେୟ ମନେ କର ନାହିଁ । ପ୍ରଭୁ ମଙ୍ଗଳମୟ–ସେ ନିଶ୍ଚୟ ଆମ୍ଭମାନଙ୍କର ମଙ୍ଗଳ ବିଧାନ କରିବେ ।’’

“ନା, ମହାରାଜ ! ଭୃତ୍ୟ କଦାପି ରାଜାଜ୍ଞା ଲଙ୍ଘନ କରି ନ ପାରେ । ଶତ ଶତ କ୍ଷତ୍ରିୟ ରଣ ଭୂମିରେ ପ୍ରାଣ ବିସର୍ଜନ କରୁଥିବାବେଳେ ଦାସ କଦାପି ନିଚେଷ୍ଟ ଭାବରେ ରହିବାକୁ ଇଚ୍ଛୁକ ନୁହେଁ । ଦିଗ୍‍ବିଜୟ କ୍ଷତ୍ରିୟର ନିତ୍ୟକର୍ମ । ଏଥିଲାଗି କ’ଣ ଭୟ କରି ଏପରି କହୁଛି ? କିନ୍ତୁ ଏତିକି, ପରିଣାମ ପ୍ରତି ଦୃଷ୍ଟି ଦିଅନ୍ତୁ । ଅପରିଣାମଦର୍ଶିତା ମାନବ–ଜୀବନର ପ୍ରଧାନ କଣ୍ଟକ–ରାଜ୍ୟନାଶର ମୂଳ ହେତୁ–କ୍ଷମା କରିବେ, ମହାରାଜ ।’’

‘‘କି ବିଷମ ପରିବର୍ତ୍ତନ ତୁମ୍ଭର, ଆପାଜି । ତୁମେ କ’ଣ ପାଗଳ ? ମୁଁ ତ ବିଶ୍ୱାସ କରିପାରୁନାହିଁ । ତୁମ ସରସ–ଜୀବନରେ ଏ କି ନୀରସତା ? ଧୈର୍ଯ୍ୟ ଧରି, ବିବେକକୁ ପଚାର । ଆମ୍ଭେମାନେ କଦାପି ହୀନ ନୋହୁଁ । ବରାବର ବିଜୟଶ୍ରୀ ଆମ୍ଭମାନଙ୍କର ଆଶ୍ରିତ ।’’

‘‘ମୋର ତ ସେଇ ଇଚ୍ଛା, ସେଇ ଅଭିପ୍ରାୟ ।’’

‘‘ତେବେ ଚାଲନ୍ତୁ –ସେଥିପାଇଁ ଯତ୍ନ କରିବା ।’’

‘‘ଚାଲନ୍ତୁ ମହାରାଜ ।’’

Image

 

ତୃତୀୟ ପରିଚ୍ଛେଦ

 

ସନ୍ଧ୍ୟାର ସେହି ମନୋରମ ଦୃଶ୍ୟ ଦେଖି ଦେଖି କୃଷ୍ଣଦେବ ରାୟ ମନ୍ତ୍ରୀଙ୍କ ସହିତ ଶିବିର ଅଭିମୁଖରେ ଯାତ୍ରା କଲେ ସତ, ମାତ୍ର ଚିନ୍ତା ରାଜ୍ୟରେ ସେ ବର୍ତ୍ତମାନ ଇତସ୍ତତଃ । ନିର୍ଝରିଣୀର କଳକଳ ତାନରେ, ବିହଙ୍ଗରାଶିର ମୃଦୁତରଳ ଗାନରେ ସେ କେବଳ ଶୁଣି ପାରିଲେ, ତାଙ୍କରି କଟକ ବିଜୟର ଜୟ ଘୋଷଣା । ରାତ୍ରିଭୋଜନ ପରେ ଶୟନ ମନ୍ଦିରକୁ ଗଲେ ସତ୍ୟ, ମାତ୍ର ସେହି ଦୁଗ୍ଧଫେନନିଭ ଶଯ୍ୟା, ସୁକୋମଳ ଉପାଧାନ ତାଙ୍କୁ କଣ୍ଟକ ତୁଲ୍ୟ ବୋଧ ହେଲା। ଚତୁର୍ଦ୍ଦିଗରେ ସେ କେବଳ ଅନୁଭବ କଲେ ବିରାଟ ସୈନ୍ୟ ଦଳର କୋଳାହଳ, ଧନୁରାଶିର ନିର୍ଘୋଷ, ଅଶ୍ଵଗଣର ହ୍ରେଷା ଓ ଗଜମାନଙ୍କର ଭୀଷଣ ଶବ୍ଦ । ଉଲ୍ଲାସରେ ତାଙ୍କ ପ୍ରାଣ ଆଲୋଡ଼ିତ ହୋଇ ପଡ଼ିଲା । ସେ ସେହି ବିଷୟ ଚିନ୍ତା କରି ନିଦ୍ରିତ ହୋଇ ପଡ଼ିଲେ । ପୁଣି ସ୍ଵପ୍ନରେ ମଧ୍ୟ ସେହି କଥା ଅନୁଭବ କରି ଜାଗ୍ରତ ହେଲେ । ସେତେବେଳକୁ ଉଷାର କ୍ଷୀଣ ହାସ୍ୟରେ ପ୍ରାଚୀଦିଗ୍‍ବଧୂ ହସି ଉଠିଥିଲା ।

 

ପ୍ରାତଃକୃତ୍ୟ ସମାପନ ପରେ କୃଷ୍ଣଦେବ ରାୟ ସେନାନିବେଶକୁ ଗମନ କଲେ । ସୈନ୍ୟଗଣ ବୀରବେଶରେ ଭୂଷିତ ହୋଇ, ରାଜାଙ୍କୁ ଦେଖିବାମାତ୍ରେ କୃପାଣମାନେ କୋଷମୁକ୍ତ କରି ଅଭିବାଦନ ଜଣାଇଲେ । ସୈନ୍ୟାଧ୍ୟକ୍ଷ ରାମଜାନ୍‍ଖାଁଙ୍କ ସହିତ ରାଜାଙ୍କର ହଠାତ୍ ଗୁପ୍ତମନ୍ତ୍ରଣା ଚାଲିଲା ।

 

“ଦେଖ ରାମଜାନ୍, ଏଠାରୁ ଉତ୍କଳ–ରାଜଧାନୀ କଟକ ପ୍ରତି ଅଭିଯାନ ଚଳାଇବାଲାଗି ମୋର ପ୍ରବଳ ଇଚ୍ଛା । ଏଥିରେ ତୁମର ଅଭିମତ ?’’

 

“ମୋର ପୁଣି ଅଭିମତ କ’ଣ ? ମହାରାଜଙ୍କର ଯେ ଇଚ୍ଛା । ସେଥିପାଇଁ ସେନାପତି ସବୁବେଳେ ପ୍ରସ୍ତୁତ ଅଛି ।’’

 

“ବିଜୟ–ଲକ୍ଷ୍ମୀ ଆମ୍ଭମାନଙ୍କୁ ପ୍ରସନ୍ନ ହେବେ ନାହିଁ ରାମଜାନ୍ ?’’

 

“ଛାମୁଙ୍କର ଏ କି ସନ୍ଦେହ ? କ୍ଷତ୍ରିୟ ପ୍ରାଣରେ ଏ କି ନିରୁତ୍ସାହ ? ପ୍ରତିହିଂସା ସାଧନ ତ ଆମ୍ଭମାନଙ୍କର ଧର୍ମ, ଦିଗ୍‍ବିଜୟ କରିବା ତ ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ । ଏଥିଲାଗି ସନ୍ଦେହ କାହିଁକି ? ବୀରଗଣଙ୍କ ଧମନୀ କ’ଣ ନିରକ୍ତ ହୋଇ ପଡ଼ିଛି ଭାବିଛନ୍ତି;”

 

“ନା ରାମଜାନ୍, ମୁଁ ତ ତାହା କହୁନାହିଁ କିମ୍ବା ହୃଦୟରେ ସେପରି ସ୍ଥାନ ସୁଦ୍ଧା ଦେଇ ନାହିଁ । ତେବେ ମନ୍ତ୍ରୀ ଡିମାରାଜଙ୍କ ପରାମର୍ଶ ମନୋରାଜ୍ୟରେ ଗୋଟିଏ ତୁମୂଳ ଆନ୍ଦୋଳନ ସୃଷ୍ଟି କରିଛି ।’’

 

“ମନ୍ତ୍ରୀ ଜାତିରେ ବ୍ରାହ୍ମଣ । ବେଦପାଠ ତାଙ୍କର କର୍ତ୍ତବ୍ୟ । ସେ ଏଥିରେ ହସ୍ତକ୍ଷେପ କରୁଛନ୍ତି କାହିଁକି ? ଅଭିଯାନରେ ବାଧା ଦେଉଛନ୍ତି କି ସକାଶେ ? ଭୀରୁ, ସଂଶୟଆତ୍ମା ବ୍ରାହ୍ମଣପକ୍ଷରେ ଦେଶ ଜୟ କରିବା ତ ନିତାନ୍ତ ଅସମ୍ଭବ ।’’

 

“ତେବେ ଆଜି ରାତ୍ରରୁ ଅଭିଯାନର ଯୋଗାଡ଼ କର ।’’

 

“ମହାରାଜ,” ବୋଲି ସମ୍ବୋଧନ କରି ହଠାତ୍ ସେନାପତି ସେଠାରୁ ଅନ୍ୟ କର୍ତ୍ତବ୍ୟରେ ଚାଲିଲେ ।

 

କୃଷ୍ଣଦେବ ରାୟ ବର୍ତ୍ତମାନ ଏକାକୀ । ଚିନ୍ତା–ରାଜ୍ୟରେ ସେ କେବଳ ସୁଖ ସ୍ଵପ୍ନର ସହଯାତ୍ରୀ ହେଲେ । ମନେମନେ କଟକ ବିଜୟର କଳ୍ପନା ପୁଞ୍ଜୀଭୂତ କରି ପରିଣାମ ଭାବିଲେ । ହଠାତ୍ ଗତ ରାତ୍ରିର ସ୍ଵପ୍ନ କାହାଣୀ ତାଙ୍କ ହୃଦୟରେ ପ୍ରତିଭାତ ହେଲା । ରାଜାଙ୍କ ମୁଖଭଙ୍ଗୀ ସଙ୍ଗେ ସଙ୍ଗେ ହୃଦୟର ଭାବନା ମଧ୍ୟ ପରିବର୍ତ୍ତିତ ହେଲାପରି ଜଣାଗଲା । ସେ ଜ୍ୟୋତିର୍ବିଦ୍ ପଣ୍ଡିତ ରଙ୍ଗନାଥ ଭଟ୍ଟଙ୍କୁ ଆହ୍ଵାନ କରିବାଲାଗି ଆଦେଶ ଦେଇ ପୁନର୍ବାର ସେହି ଚିନ୍ତା–ରାଜ୍ୟକୁ ଫେରି ଆସିଲେ ।

 

ହଠାତ୍ ଭଟ୍ଟ ମହୋଦୟ ସେଠାରେ ଉପନୀତ ହେଲେ । ରାଜା ଯୁଗପତ୍ ଅଭିବାଦନ କରି ସମୀପସ୍ଥ ଆସନରେ ଉପବେଶନ କରିବାଲାଗି ଅନୁରୋଧ କଲେ । ଭଟ୍ଟ ଆସନ ଅଳଙ୍କୃତ କରନ୍ତେ ପ୍ରଶ୍ନ କଲେ, ‘‘ଆହ୍ଵାନର କାରଣ କ’ଣ ?’’

 

“ପଣ୍ଡିତ ମହାଶୟ, ବର୍ତ୍ତମାନ ରୋମୋଦ୍ଗମ ହେଉଛି ରଜନୀର ସେହି ସ୍ଵପ୍ନ–କାହାଣୀ ମନେ କରି । ଏ କ’ଣ ମଙ୍ଗଳର ଚିହ୍ନ ନା ଅଶୁଭର ସଙ୍କେତ ବୁଝିପାରୁନାହିଁ । ଦେଖିଲ, ଜଣେ ବୀର ପୁରୁଷ ଶାଣିତ କରବାଳ ହସ୍ତରେ ଧାରଣ କରି ରକ୍ତିମ ନେତ୍ରରେ ମୋର ଅନୁସରଣ କରୁଛନ୍ତି । ମୁଁ ଆତଙ୍କରେ ପଳାଇଯାଉଛି–ମାତ୍ର ଯେତେବେଳେ ମୋର ପଶ୍ଚାତ୍ ଭାଗରୁ ଦୃଷ୍ଟି ଫେରିଲା–ସେତେବେଳେ ଠିକ୍‍ ରଙ୍ଗମଞ୍ଚର ପଟ୍ଟ ପରିବର୍ତ୍ତନ ପରି ବୋଧ ହେଲା–ବୀର ଯୁବକ ପରିବର୍ତ୍ତେ ଜଣେ ଷୋଡ଼ଶୀ, ଅରୂପ ଲାବଣ୍ୟବତୀ । ଆହା, ଯୌବନଶ୍ରୀରେ ଅବୟବଗୁଡ଼ିକ କି ସୁନ୍ଦର । ନୀଳ କେଶପାଶ, ସଦ୍ୟ ପ୍ରସ୍ଫୁଟିତ ପଦ୍ମବିନିନ୍ଦିତ ଆନନ, ମୃଣାଳ–କମୋଳ ଭୁଜଲତା, ନୀଳଇନ୍ଦିବର ତୁଲ୍ୟ ନୟନ, ବିମ୍ବାଧରରେ ଅନୁପମ ମୃଦୁହାସ୍ୟ ବର୍ତ୍ତମାନ ସ୍ମରଣ କଲେ ହୃଦୟ ପୁଲକିତ ହେଉଛି-। ହଠାତ୍ ସେହି ପରମ ରୂପବତୀଙ୍କର ମୋ ପ୍ରତି କି କରୁଣା ହେଲା କେଜାଣି ସେ ଅଧରପଲ୍ଲବରେ କ୍ଷୀଣ ହାସ୍ୟରେଖା ଅଙ୍କିତ କରି ଗୋଟିଏ ମନୋହର କୁସୁମମାଳିକା ମୋ ଗଳାଦେଶରେ ଲମ୍ବାଇ ଦେଲେ । ପୁଷ୍ପରାଶିର କି ଅନୁପମ ସୌରଭ ! ସତେ ଯେପରି ନନ୍ଦନକାନନର ପାରିଜାତଶ୍ରେଣୀ ଏକତ୍ରିତ ହୋଇଛି । ଦ୍ଵିଜବର, ଏ କ’ଣ ମୋ ପକ୍ଷେ ମଙ୍ଗଳ ନା ଅମଙ୍ଗଳର ସଙ୍କେତ ?’’

 

ବୃଦ୍ଧ ପଣ୍ଡିତ କ୍ଷଣକାଳ ନୀରବ ହେଲେ; ପରେ ଗଣନା କରି ସାରିଲା ପରେ ଧୀରେ ଧୀରେ କହିଲେ, ‘‘ମହାରାଜ, ଭବିଷ୍ୟତରେ ଗୋଟିଏ ସ୍ତ୍ରୀ–ରତ୍ନ ଲାଭର ଏହା ପ୍ରଥମ ଶୁଭ ସୂଚନା-। ପ୍ରଭୁ ନିଶ୍ଚୟ ଶ୍ରୀଛାମୁଙ୍କର ମଙ୍ଗଳ ବିଧାନ କରିବେ । ସ୍ଵପ୍ନଟି କଦାପି ଅମଙ୍ଗଳର ଚିହ୍ନ ନୁହେଁ । କୌଣସି ପ୍ରକାର କୁଭାବନା କରି ଚିନ୍ତିତ ହୁଅନ୍ତୁ ନାହିଁ ।’’

 

ରାଜା କ୍ଷଣକାଳ ନୀରବ ରହିଲେ । ଅନନ୍ତର ଭଟ୍ଟ ବିଦାୟ ନେଲେ; କିନ୍ତୁ କୃଷ୍ଣଦେବ ରାୟଙ୍କ ମନ ଚିନ୍ତା–ରାଜ୍ୟରୁ ଫେରିଲା ନାହିଁ ।

Image

 

ଚତୁର୍ଥ ପରିଚ୍ଛେଦ

 

ସିଂହାଦ୍ରି, ଶିଖରସ୍ଥ ବରାହ ନୃସିଂହଦେବଙ୍କୁ ଯଥାବିଧି ସେବା ପୂଜା କରି କୃଷ୍ଣଦେବ ରାୟ ସେଠାରୁ ସୈନ୍ୟ ପରିବେଷ୍ଟିତ ହୋଇ ଉତ୍ତର ଅଭିମୁଖରେ ଯାତ୍ରା କଲେ । ଅସଂଖ୍ୟ ଆଲୋକମାଳା ଯୋଗୁଁ ରଜନୀର ଗମ୍ଭୀରତା ଅନୁଭୂତ ହୋଇ ପାରିଲା ନାହିଁ । ସୈନ୍ୟଗଣର ଭୀଷଣ କୋଳାହଳ, ହସ୍ତୀ, ଅଶ୍ଵ, ଉଷ୍ଟ୍ରସମୂହର ଗମନାଗମନ, ବାଦକଗଣର ବାଦ୍ୟନାଦ, ବୃଦ୍ଧ ଚାରଣମାନଙ୍କ କଣ୍ଠନିଃସୃତ ଉତ୍ସାହ ବାକ୍ୟରେ ଚତୁର୍ଦ୍ଦିଗ ମୁଖରିତ ହୋଇ ପଡ଼ିଲା । ରାଜା ଅଶ୍ଵାରୋହଣ କରି ଏ ବିରାଟ ଶୋଭାଯାତ୍ରା ନିରୀକ୍ଷଣ କଲେ । ଆନନ୍ଦ ଓ ଉତ୍ସାହରେ ତାଙ୍କ ପ୍ରାଣ ପୁଲକିତ ହୋଇ ପଡ଼ିଲା ।

 

ଯୁଦ୍ଧଯାତ୍ରୀ ଦଳ ପଥ ମଧ୍ୟରେ ସ୍ଥାନେ ସ୍ଥାନେ ବିଶ୍ରାମ କରି କ୍ରମେ ମହେନ୍ଦ୍ରଗିରି ଓ ଋଷିକୁଲ୍ୟା ତୀରବର୍ତ୍ତୀ ତୁମ୍ବେଶ୍ଵର ମନ୍ଦିର ସମୀପରେ ଉପନୀତ ହେଲେ । ଓଡ଼ିଶାର କୌଣସି ସାମନ୍ତ ରାଜା ତାଙ୍କ ପଥରୋଧ କରିବାଲାଗି ସାହସୀ ହେଲେ ନାହିଁ । କେବଳ ଭୀତ ତ୍ରସ୍ତ ହୋଇ ସେହି ବିରାଟ ଶୋଭାଯାତ୍ରା ନିରୀକ୍ଷଣ କରିବାକୁ ଲାଗିଲେ ।

 

ମହେନ୍ଦ୍ର ପାଦଦେଶରେ ଶିବିର ସନ୍ନିବେଶିତ ହେଲା । ବଣ୍ୟ କନ୍ଧ ଓ ଶବରଗଣ ଭୟରେ ଇତସ୍ତତଃ ହୋଇ ପଡ଼ିଲେ । ସେମାନେ କେବଳ ଚିତ୍ର ପ୍ରତିମା ତୁଲ୍ୟ ସୈନ୍ୟଦଳକୁ ଅନାଇ ରହିଲେ । ମହେନ୍ଦ୍ର ଶିଖର ନିବାସୀ ଗୋକର୍ଣ୍ଣେଶ୍ଵରଙ୍କୁ ଆରାଧନା କରି ସନ୍ଧ୍ୟା ସମୟରେ କୃଷ୍ଣଦେବ ରାୟ ମନ୍ତ୍ରୀଙ୍କ ସହିତ ଆଳାପ କରିବାକୁ ଲାଗିଲେ ।

 

‘‘ଭାବୁଛି, ଆପାଜି, ଏ ଯୁଦ୍ଧଯାତ୍ରା ସଙ୍ଗେ ସଙ୍ଗେ ମଧ୍ୟ ଆମ୍ଭମାନଙ୍କର ତୀର୍ଥଯାତ୍ରା ହୋଇଯିବ । ପୁଣ୍ୟଭୂମି ଉତ୍କଳରେ ତ ତୀର୍ଥସ୍ଥାନର ଅଭାବ ନାହିଁ ।’’

 

‘‘ଆହୁରି ଶ୍ରୀଛାମୁଙ୍କର ତ ଦୃଷ୍ଟିଗୋଚର ହୋଇ ନାହିଁ । ତୀର୍ଥରାଜ ନୀଳାଚଳ, ବିବିଧ ଶିଳ୍ପକଳା ବିମଣ୍ଡିତ ଏକାମ୍ର କାନନ, ଓ ବିଜ୍ଞାନର ଚରମୋତ୍କର୍ଷ କୋଣାର୍କ ମନ୍ଦିର–ଏଗୁଡ଼ିକର ଶିଳ୍ପକଳା କୌଣସି ଅଂଶରେ ନ୍ୟୂନ ନୁହେଁ । ଭାରତର ନାନା ସ୍ଥାନରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଏ ସ୍ଥାନକୁ ଆଗମନ କରନ୍ତି ।’’

 

“କାହିଁ ସୀମାଚଳ ଶିଖରସ୍ଥ ମନ୍ଦିରଟିର ଶିଳ୍ପକଳା ତ କୌଣସି ଅଂଶରେ ମନ୍ଦ ନୁହେଁ । ଉତ୍କଳ–ଶିଳ୍ପୀକୁଳର କାର୍ଯ୍ୟ–କୁଶଳତା ଏଥିରୁ ସମ୍ୟକରୂପେ ଜଣାଯାଏ ।’’

 

“ଠିକ୍‍ କହିଛନ୍ତି ମହାରାଜ; କୋଣାର୍କ ସୂର୍ଯ୍ୟମନ୍ଦିରର ଶିଳ୍ପନୈପୁଣ୍ୟ ଅତି ଆଶ୍ଚର୍ଯ୍ୟମୟ । ମୂର୍ତ୍ତିଗୁଡ଼ିକ ଯେପରି ସଜୀବ; ପତ୍ର, ପୁଷ୍ପ, ଫଳ, ଅଳଙ୍କାର, ପରିଚ୍ଛଦ ପ୍ରଭୃତି ଦେଶର ସଭ୍ୟତା, ରୀତିନୀତି, ଆଚାର ବ୍ୟବହାରର ମୂକ ସାକ୍ଷୀରୂପେ ବିରାଜିତ । ଏ ମନ୍ଦିରଟି ସେହି ପୁଣ୍ୟଶ୍ଳୋକ ଲାଙ୍ଗୁଳା ନରସିଂହଦେବଙ୍କ କୀର୍ତ୍ତି; ସମୁଦ୍ର, ଉପକୂଳବର୍ତ୍ତୀ ବାଲୁକାମୟ ପ୍ରଦେଶରେ ଅତୀତର ଗରିମାମୟ ଇତିହାସ ଧରି ଦଣ୍ଡାୟମାନ ।’’

 

“ମହେନ୍ଦ୍ର ଶିଖରସ୍ଥ ଶିବଲିଙ୍ଗ ଓ ମନ୍ଦିରଟି ଅତ୍ୟନ୍ତ ପ୍ରାଚୀନ ପରି ବୋଧ ହେଉଛି ।’’

 

“ମହାରାଜ, ଏହା ପାଣ୍ଡବମାନଙ୍କ ଦ୍ଵାରା ସ୍ଥାପିତ ବୋଲି କିମ୍ବଦନ୍ତୀରୁ ପ୍ରକାଶ ।’’

 

‘‘ଛାଡ଼ନ୍ତୁ ଆପାଜି, ସେ କଥା–କଟକ ଅବରୋଧ ଲାଗି ଆପଣଙ୍କ ମତ ପରିବର୍ତ୍ତନ କରିଛନ୍ତି ନା ?’’

‘‘ଇତିପୂର୍ବରୁ ତ ଜଣାଇ ରଖିଚି । ତାହା ପରିବର୍ତ୍ତନ କରିବାଲାଗି ତ ଏପର୍ଯ୍ୟନ୍ତ କୌଣସି ସୂଚନା ସୁଦ୍ଧା ପାଇ ନାହିଁ ।’’

କ୍ଷୀଣ ହାସ୍ୟ ପରେ କୃଷ୍ଣଦେବ ରାୟ କହିଲେ, ‘‘ରାମଜାନ୍ ତ ଠିକ୍ କହିଛନ୍ତି । ‘ଭୀରୁ ବ୍ରାହ୍ମଣ’ ଆଖ୍ୟାଟି ପ୍ରକୃତରେ ଆପଣଙ୍କ ପକ୍ଷରେ ସମୀଚୀନ ହୋଇଛି ବୋଲି ଭାବୁଛି ।’’

“ରାମଜାନ୍ ହିତାହିତ ଜ୍ଞାନଶୂନ୍ୟ ଯବନ । ମହାରାଜ, ତେବେ ତା’ରି ବାହୁବଳରେ, ପରାମର୍ଶରେ ରାଜ୍ୟଶାସନ କରିବେ ? ଏପରି ଅପରିଣାମଦର୍ଶୀ କଦାପି ରାଜସଭାରେ ବସିବାପାଇଁ ଉପଯୁକ୍ତ ନୁହେଁ ।’’

‘‘ବିଜୟନଗର ପରିତ୍ୟାଗ ପରେ ତେବେ ଆପଣ କଟକ ପ୍ରତି ଅଭିଯାନ ଚଳାଇବା ଲାଗି ମୋଟେ କଳ୍ପନା ସୁଦ୍ଧା କରି ନଥିଲେ ?’’

“ଯୁଦ୍ଧ କିଛି ଶିଶୁକ୍ରୀଡ଼ା ନୁହେଁ ସେ ଅସାର କଳ୍ପନା ବଳରେ ତା’ର ଭବିଷ୍ୟତ ଠିକ୍‍ କରାଯିବ ।’’

“ତଥାପି ଏ କାର୍ଯ୍ୟରେ ଆଶାହୀନ କିମ୍ବା ସାହସଶୂନ୍ୟହେବା ଉଚିତ ନୁହେଁ । ଭବିଷ୍ୟତ ନିବିଡ଼ ତମସାଚ୍ଛନ୍ନ ବୋଲି ଆଦୌ କଳ୍ପନା ନକରି ସବୁବେଳେ ଉଜ୍ଜ୍ୱଳମୟ ବୋଲି ଭାବିବାକୁ ହେବ-। ତା’ ନହେଲେ ଯୁଦ୍ଧପ୍ରତି ଅଗ୍ରସରହେବା ଯେ ମହାଭ୍ରମ ।’’

“ଅଧିକ ତର୍କ ବିତର୍କର ପ୍ରୟୋଜନ ନାହିଁ । ଅନୁଭୂତିରୁ ସମସ୍ତ କଥା ଅଳ୍ପ ସମୟରେ ମହାରାଜ ବୋଧହୁଏ ଅବଗତ ହୋଇ ପାରିବେ ।’’

Image

 

ପଞ୍ଚମ ପରିଚ୍ଛେଦ

 

ରଜନୀ ପ୍ରଥମ ପ୍ରହର । ପ୍ରବଳ ଗ୍ରୀଷ୍ମ, ପ୍ରଚଣ୍ଡ ଉତ୍ତାପ । କୃଷ୍ଣଦେବରାୟ ନିଜର ଅମାତ୍ୟ, ପୁରୋହିତ, ପଣ୍ଡିତ ଓ ରାଜପରିଷଦମାନଙ୍କ ସହିତ ଋଷିକୁଲ୍ୟାତୀରସ୍ଥ ତୁମ୍ୱେଶ୍ଵରଙ୍କ ଉଦ୍ୟାନ ମଧ୍ୟସ୍ଥ ବାଲୁକାସ୍ତୂପ ଉପରେ ଉପବିଷ୍ଟ । ରାତ୍ରିକାଳୀନ ଶୀତଳ ପବନ ଧୀରେ ଧୀରେ ବହିଯାଉଛି । ଉଦ୍ୟାନର ପୁଷ୍ପ–ସୁଗନ୍ଧ ଚତୁର୍ଦ୍ଦିଗରେ ଖେଳି ବୁଲୁଛି । ଆଲୋକମାଳାରେ ମଧ୍ୟ ସ୍ଥାନଟି ଆଲୋକିତ ।

 

ହଠାତ୍ ପୁରୋହିତ ଗୋଟିଏ ମନୋହର ଚମ୍ପକ–ଦାମ ମହାରାଜଙ୍କୁ ଅର୍ପଣ କଲେ । ରାଜା ସେହି ଉପହାର ଗ୍ରହଣ କରୁ କରୁ କହିଲେ, ‘‘ଏ ପ୍ରଦେଶସ୍ଥ ପ୍ରତ୍ୟେକ ଉପବନରେ ବହୁଳ ପରିମାଣରେ ଚମ୍ପକ–କୁସୁମ ଦେଖାଯାଏ । ପୁଷ୍ପଗୁଡ଼ିକ ମନୋହର ଓ ସୁଗନ୍ଧବିଶିଷ୍ଟ ହେଲେହେଁ ଗୋଲାପ ଅପେକ୍ଷା ସୁନ୍ଦର ନୁହେଁ ବୋଲି ମୋର ମତ ।’’

 

ଅମାତ୍ୟ ଡିମାରାଜ ତା’ର ପ୍ରତିବାଦ କରି କହିଲେ, ‘‘ଗୋଲାପ ଏ ଦେଶର ନୁହେଁ । ତାହା ଯବନମାନଙ୍କଦ୍ୱାରା ଅଳ୍ପ ଦିନ ହେଲା ପାରସ୍ୟରୁ ଏ ଦେଶକୁ ଆନୀତ ହୋଇଅଛି । ଭାରତର କୌଣସି ପ୍ରାଚୀନ ଗ୍ରନ୍ଥରେ ଗୋଲାପର ମୋଟେ ଉଲ୍ଲେଖ ନାହିଁ ।’’

 

“ଗୋଲାପ ବିଦେଶରୁ ଆନୀତ ହୋଇଥିଲେ ମଧ୍ୟ ତା’ର ସ୍ଵାଭାବିକ ସୌନ୍ଦର୍ଯ୍ୟ ଓ ମନୋହାରିତା କଦାପି ନ୍ୟୂନ ନୁହେଁ । ପୁଷ୍ପ–ରସିକ ଭ୍ରମର ଚମ୍ପକର ତୀବ୍ର ଗନ୍ଧ ଯୋଗୁଁ ସେଥିରୁ ମଧୁ ଚୁମ୍ବନ କରିପାରେ ନାହିଁ ।’’

 

“କି ଆଶ୍ଚର୍ଯ୍ୟ ! ବିବେକଶୂନ୍ୟ ଭ୍ରମର ଛାର ପତଙ୍ଗଟାଏ । ସେ ଚମ୍ପକ ନିକଟରେ ପ୍ରବେଶ ଲାଭ କରିପାରେ ନାହିଁ ବୋଲି କ’ଣ ପୁଷ୍ପର ସୌନ୍ଦର୍ଯ୍ୟ ଓ ପ୍ରତିଷ୍ଠାରେ ବାଧା ପଡ଼ିବ ?’’

 

“ଆଚ୍ଛା, ପଣ୍ଡିତ ମହାଶୟ କହିପାରିବେ, କି ହେତୁରୁ ଭ୍ରମର ଚମ୍ପକ ପୁଷ୍ପକୁ ପରିତ୍ୟାଗ କରେ ?’’

 

ପଣ୍ଡିତ ମହାଶୟ ରାଜାଙ୍କ ପ୍ରଶ୍ନରେ ଇତସ୍ତତଃ ହୋଇପଡ଼ି ହଠାତ୍ ଉତ୍ତର ଦେଲେ, ‘‘କେତକୀ କଣ୍ଟକମୟ; ସେଥିଲାଗି ପକ୍ଷ ଛିଡ଼ିଯିବା ଭୟରେ ଭ୍ରମର ତାହା ପାଖକୁ ଯିବାଲାଗି ସାହସ କରେ ନାହିଁ ।’’

 

“ବୋଧହୁଏ ପଣ୍ଡିତ ମହାଶୟଙ୍କର ସ୍ମରଣ ଶକ୍ତି ପ୍ରଖର–ଅତି ପ୍ରବଳ ।’’

 

ପଣ୍ଡିତେ ବିଷଷ୍ଣ ହୋଇ ପଡ଼ିଲେ । ହଠାତ୍ ଅନ୍ୟମନସ୍କ ହେଲାପରି କହିଲେ, ‘‘ଚମ୍ପକ ଗୋଟିଏ ବୃହତ୍ ବୃକ୍ଷ । ପୁଷ୍ପର ଗଠନ ଭିନ୍ନ ଭିନ୍ନ ଯୋଗୁଁ ବୋଧହୁଏ ଭ୍ରମରର ଭ୍ରମ ଘଟେ ।’’

 

“ଆଚ୍ଛା, ତେବେ ତା’ର ସେ ସୁଗନ୍ଧ କ’ଣ ଗୁପ୍ତ ରହିବ ?’’

 

ମନ୍ତ୍ରୀ ଡିମାରାଜ ହଠାତ୍ ହସି ଉଠିଲେ । ପରେ କହିଲେ, “ଅନୁମାନ ହୁଏ, ଦେବଯୋଗ୍ୟ ଅତି ଆଦରଣୀୟ ଚମ୍ପକ–ସୁନ୍ଦରୀଙ୍କୁ କଳୁଷିତ କରିବାଲାଗି ଭ୍ରମର ପ୍ରତି କୌଣସି ଅଭିଶାପ ଥିବ ।’’

 

କୃଷ୍ଣଦେବ ରାୟଙ୍କ ମନୋଭାବ ପରିବର୍ତ୍ତିତ ହେଲା । ସେ କ୍ଷୀଣ ହାସ୍ୟ ପରେ କହିଲେ, ‘‘ଆପଣଙ୍କ କଳ୍ପନା ଶକ୍ତି କମ୍ ନୁହେଁ ।’’

 

“ମହାରାଜ ଯଦି ପ୍ରଶ୍ନ କରନ୍ତି, ଆକାଶ କାହିଁକି ନୀଳବର୍ଣ୍ଣ, ବାୟୁ କି ସକାଶେ ଚଞ୍ଚଳ, ଗଙ୍ଗାନଦୀ କାହିଁକି ବହମାନ, ତେବେ ଏ ସବୁର ଉତ୍ତର କ’ଣ ଦିଆଯିବ ? ସ୍ତାବକ ତୁଲ୍ୟ ରାଜାଙ୍କର ସବୁ କଥାରେ ସମ୍ମତ ହେବାଲାଗି ଏ ଦାସ କଦାପି ଶିକ୍ଷା କରି ନାହିଁ ।’’

 

“ରାଜା ଟିକିଏ ଅନ୍ୟମନସ୍କ ହେଲାପରି ରହିଲେ । ମନ୍ତ୍ରୀଙ୍କ କଥାରେ ତାଙ୍କର ଟିକିଏ ଭାବାନ୍ତର ଉପସ୍ଥିତ ହେଲା । ସେ ମନୋଭାବ ଗୋପନ ରଖି କହିଲେ, ‘‘ପଣ୍ଡିତ ମହାଶୟ, ତୁମ୍ବେଶ୍ଵର ଲିଙ୍ଗଟି କି ମନୋହର ! ଶିବଲିଙ୍ଗ ଉପରେ ଥିବା ଶୁକ୍ଳ ଚିହ୍ନଗୁଡ଼ିକ ଅତି ମନୋମୁଗ୍ଧକର-।’’

 

“ମହାରାଜ, ଠିକ୍‍ ଅନୁମାନ କରିଛନ୍ତି । ଏ ମୂର୍ତ୍ତି ଅତି ପ୍ରାଚୀନ । ବନବାସ ସମୟରେ ଭଗବାନ୍ ରାମଚନ୍ଦ୍ରଙ୍କଦ୍ଵାରା ସ୍ଥାପିତ ବୋଲି କିମ୍ବଦନ୍ତୀରୁ ପ୍ରକାଶ । ଓଡ଼ିଶା ରାଜା ପ୍ରତାପରୁଦ୍ର ଦେବ ଏ ସ୍ଥାନକୁ ବଡ଼ ଭଲପାନ୍ତି । ତାଙ୍କର ନାମାନୁସାରେ ନିକଟବର୍ତ୍ତୀ ଗ୍ରାମର ନାମ ‘ପ୍ରତାପପୁର’ ହୋଇଛି ।’’

 

ଆଳାପନା ସଙ୍ଗେ ସଙ୍ଗେ ରଜନୀ ଦ୍ଵିପ୍ରହର ହୋଇଗଲା । ଅନନ୍ତର ଦେବରାୟ ସଭାଭଙ୍ଗ କରି ପ୍ରସ୍ଥାନ କଲେ ।

Image

 

ଷଷ୍ଠ ପରିଚ୍ଛେଦ

 

କ୍ରମେ କୃଷ୍ଣଦେବ ରାୟ ଅଗ୍ରସର ହେଲେ । ଗଞ୍ଜା ନିକଟରେ ଶିବିର ସ୍ଥାପନ କରି, ସେଠାରୁ ଠିକ୍‍ ଭାବରେ ଅଭିଯାନ ଚଳାଇବାଲାଗି ମନସ୍ଥ କଲେ ।

 

ସନ୍ଧ୍ୟା ସମୟ । ମେଘବିମୁକ୍ତ ଗଗନମଣ୍ଡଳ ଚନ୍ଦ୍ରାଲୋକରେ ମଣ୍ଡିତ । ସାମୁଦ୍ରିକ ଶୀତଳ ସମୀରଣ ଧୀରେ ଧୀରେ ପ୍ରବାହିତ ହେଉଛି । କୃଷ୍ଣଦେବ ରାୟ ଶିବିରର ବହିର୍ଭାଗରେ ମନ୍ତ୍ରୀଙ୍କ ସହିତ ପଦଚାରଣ କରୁଛନ୍ତି । ରାଜପଥରେ ବହୁସଂଖ୍ୟକ ବାଣିଜ୍ୟ ଦ୍ରବ୍ୟ ପରିପୂର୍ଣ୍ଣ ଶକଟ ଚାଲିଯାଉଛି । ଗଞ୍ଜା ସେତେବେଳେ ବାଣିଜ୍ୟ ବ୍ୟବସାୟର ପ୍ରଧାନ କେନ୍ଦ୍ର ଥିଲା । ବହୁତ ଲବଣ ଏଠାରୁ ରପ୍ତାନି ହେଉଥିଲା । ନବାତ, ଧାନ୍ୟ, ରାଶି ପ୍ରଭୃତି ବିବିଧ ଶସ୍ୟ ପୂର୍ଣ୍ଣ ଶକଟ ମଧ୍ୟ ରାଜପଥରେ ଚାଲିଅଛି । ଚାଳକଗଣର ମଧୁର ସ୍ଵର ଲହରୀ, ସରଳ କୌତୁକପୂର୍ଣ୍ଣ ମନୋରମ ଭାବମୟସଙ୍ଗୀତ ନାଦରେ ମୁଗ୍ଧ ହୋଇ ଦେବରାୟ ସେହି ଆଡ଼କୁ ଏକ ଧ୍ୟାନରେ, ଏକମନରେ ଅନାଇଁ ରହିଛନ୍ତି । ରାଜା ନିଜେ କବି ଓ ଭାବୁକ–ଏଥିରେ ତାଙ୍କର ହୃଦୟ ଜଡ଼ୀଭୂତହେବା ଆଶ୍ଚର୍ଯ୍ୟର କଥା ନୁହେଁ । ସେହି ସଙ୍ଗୀତର ମନୋହର ଭାବରାଶିରେ ବିଭୋର ହୋଇ କୃଷ୍ଣଦେବ ରାୟ କହି ପକାଇଲେ, “ଦେଖ, ଆପାଜି, ପ୍ରତ୍ୟେକ ଦେଶର ରୀତି, ନିତୀ, ଆଚାର, ବ୍ୟବହାର ବରାବର ଭିନ୍ନ । ଓଡ଼ିଶା ସଙ୍ଗେ ଦାକ୍ଷିଣାତ୍ୟର କଦାପି ସମତା ନାହିଁ । ଓଡ଼ିଶାର ମନ୍ଦିର ନିର୍ମାଣ ପ୍ରଣାଳୀ ଅନେକ ଅଂଶରେ ସୁନ୍ଦର ଓ ଅନ୍ୟାନ୍ୟ ଦେଶ ଅପେକ୍ଷା ଗଠନରେ ଅଧିକ ମନୋହର । ଜନସାଧାରଣଙ୍କ ବେଶଭୂଷା ମଧ୍ୟ ତଦ୍ରୂପ । ଆହା, ଏ ସଙ୍ଗୀତଗୁଡ଼ିକ କି ସୁନ୍ଦର ! କି ଲଳିତ ଭାବରାଶିର ସମନ୍ୱୟ । ପଥିକ ଓ ବିଦେଶୀ ପ୍ରାଣରେ ଆନନ୍ଦର ଅମୃତ ଧାରାଟିଏ ବରାବର ବୁହାଇ ଦେଉଛି । ଏଇ ସଙ୍ଗୀତ–ମୂର୍ଚ୍ଛନା ।’’

 

‘‘ମହାରାଜଙ୍କ ବାକ୍ୟଗୁଡ଼ିକ ଅକ୍ଷରେ ଅକ୍ଷରେ ସତ୍ୟ ।’’

 

“ଏଠାରୁ ଆମ୍ଭମାନଙ୍କୁ ପୂର୍ଣ୍ଣ ଭାବରେ ଅଭିଯାନ ଚଳାଇବାକୁ ହେବ, ଏ କଥା ଅବଶ୍ୟ ଆପଣ ବିସ୍ମୃତ ହୋଇ ନଥିବେ ? ଆଚ୍ଛା, ଏଠାରୁ କଟକ କେତେ ଦୂର ପଥ ହେବ ଜାଣନ୍ତି ?’’

 

‘‘ପୂର୍ବରୁ ଏ ଉଦ୍ଦେଶ୍ୟ ବୁଝିପାରିଛି । କଟକ ଏଠାରୁ ବହୁଦୂରରେ । ପ୍ରାୟ ପଞ୍ଚାଶ କ୍ରୋଶ-। ଏତେ ଚଞ୍ଚଳ କାହିଁକି ?

 

‘‘ନା, ବରାବର ଏହିଠାରୁ ।’’

 

‘‘ହେଉ”

 

‘‘ତେବେ କିପରି ଯାତ୍ରା କରିବାକୁ ହେବ ? କି ଭାବରେ ସୈନ୍ୟଙ୍କୁ ସଜାଇବାକୁ ହେବ-?’’

 

‘‘ରାମଜାନ୍ ଓ ମୁଁ ଏ ବିଷୟରେ କେତେକ ପରାମର୍ଶ କରି ଠିକ୍ କରିଛୁ ଯେ, ସମସ୍ତ ସୈନ୍ୟ ତିନି ଭାଗରେ ବିଭକ୍ତ କରିବାକୁ ହେବ । ପ୍ରଥମେ ରାମଜାନ୍ ପଞ୍ଚ ସହସ୍ର ଅଶ୍ଵାରୋହୀ ଓ ବିଂଶସହସ୍ର ପଦାତିକ ସହିତ ଅଗ୍ରଭାଗରେ ଯାତ୍ରା କରିବେ । ପଶ୍ଚାତ୍ ଭାଗରେ ମୋତେ ନିଜେ ସୈନ୍ୟ ପରିଚାଳନା କରିବାକୁ ହେବ । ମଧ୍ୟଭାଗରେ ସ୍ଵୟଂ ମହାରାଜ ଅଶ୍ଵାରୋହଣ ପୂର୍ବକ ସିଂହତେଜରେ ଯାତ୍ରା କରିବେ । ପଥ ମଧ୍ୟରେ ସେପରି କିଛି ଯୁଦ୍ଧ ଘଟିବାର ସମ୍ଭାବନା ନାହିଁ ।’’

 

“ପ୍ରସ୍ତାବ ମନ୍ଦ ନୁହେଁ । ବର୍ତ୍ତମାନ ପ୍ରତାପରୁଦ୍ର କେଉଁଠାରେ ? କିଛି ସମ୍ବାଦ ପାଇଥିଲ କି-?’’

 

“ସମ୍ଭବତଃ ସେ ବର୍ତ୍ତମାନ ପୁଣ୍ୟମୟ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିବେ । କାରଣ ମହାତ୍ମା ଚୈତନ୍ୟ ଦେବ ସେଠାକୁ ଆଗମନ କରିବାରୁ ହରିନାମ–ସଂକୀର୍ତ୍ତନର ଗୋଟିଏ ମନୋହର ତରଙ୍ଗ ଓଡ଼ିଶାରେ ଖେଳି ବୁଲିଛି । ମହାରାଜ ପ୍ରତାପରୁଦ୍ର, ନିଜେ ବୈଷ୍ଣବ ଧର୍ମ ଗ୍ରହଣ କରି ଅଧିକାଂଶ ସମୟ ଧର୍ମଚିନ୍ତା ଓ କବିତା ରଚନାରେ ବ୍ୟୟ କରୁଛନ୍ତି । ଯୁଦ୍ଧଲାଗି ସେ କେତେବେଳେ ହେଲେ ପ୍ରସ୍ତୁତ ନୁହନ୍ତି । ତାଙ୍କର ମହୋଦାର ଧର୍ମପ୍ରାଣତାରେ ପ୍ରଜାଗଣ ବିମୁଗ୍ଧ ।’’

 

କଟକରେ ପହଞ୍ଚିବା ପୂର୍ବରୁ ଅବଶ୍ୟ ଗଜପତି ଏ ସମ୍ବାଦ ପାଇବେ । ତେଣୁ ଦୁର୍ଗ ଅବରୋଧ କରିବା ସହଜ କଥା ନୁହେଁ । ବାରମ୍ବାର ଯୁଦ୍ଧ ପରେ ସୈନ୍ୟଗଣ ବର୍ତ୍ତମାନ କ୍ଳାନ୍ତ, ଅବସନ୍ନ । ତୁମୂଳ ଯୁଦ୍ଧ ଚଲାଇବା ଆମ୍ଭମାନଙ୍କ ପକ୍ଷେ ନିତାନ୍ତ ଅସମ୍ଭବ । ଜାଣେ, ଗଜପତି ଅତି ପ୍ରତାପଶାଳୀ ରାଜା, ଅତି ଧର୍ମନିଷ୍ଠ ମଧ୍ୟ । ମାତ୍ର ଯେଉଁ ଯବନ ଆର୍ଯ୍ୟ–ଧର୍ମର ଚିରଶତ୍ରୁ, ସେ ସେହି ଧର୍ମ ବିଦ୍ଵେଶୀ, କ୍ରୂର ଗୋଲକୁଣ୍ଡା ପତି କୁଟୁବ୍‍ସାହା ସହିତ ସଖ୍ୟ ସ୍ଥାପନ କରି ବିଜୟନଗର ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା କ’ଣ ରାଜନୀତିର ଧର୍ମ ନା ବୀରପକ୍ଷେ ପ୍ରକୃତ କର୍ମ । ଯେଉଁ ଯବନ ଲାଗି ହିନ୍ଦୁର ଧର୍ମ, କର୍ମ, ନଷ୍ଟ, ଧ୍ଵସ୍ତ, ପଦଦଳିତ–ପ୍ରତାପରୁଦ୍ରଙ୍କର ତା’ ସହିତ ବନ୍ଧୁତା । ପୁଣି ହିନ୍ଦୁ ରାଜ୍ୟ ନାଶ ଲାଗି ଷଡ଼ଯନ୍ତ୍ର । ହାୟ, ଆର୍ଯ୍ୟ ଜାତିର କି ଅଧଃପତନ ! ଯବନର ଏ ସାମ୍ରାଜ୍ୟ ଧ୍ୱଂସ କରିବାକୁ ହେବ, ହିନ୍ଦୁ ଆଧିପତ୍ୟର ବିଜୟ ନିମିତ୍ତ ପ୍ରାଣ ପର୍ଯ୍ୟନ୍ତ ଦେବାକୁ ହେବ । ଏହି ଉଦ୍ଦେଶ୍ୟ ସାଧନ ଲାଗି, ଏ ବିରାଟ ଅଭିଯାନ । ଦକ୍ଷିଣ ଭାରତରେ ବର୍ତ୍ତମାନ ବାହାମନିରାଜ୍ୟ ଧ୍ଵସ୍ତ, ବିପର୍ଯ୍ୟସ୍ତ । ଏତେବେଳେ ପ୍ରତ୍ୟେକ ହିନ୍ଦୁ ନରପତି ସ୍ଵାଧୀନତା ରକ୍ଷାଲାଗି ଯତ୍ନବାନ ହେଲେ, ଅଚିରେ ହିନ୍ଦୁର ସେହି ପୂର୍ବ ବିଭବ ଫେରି ଆସିବ । ବୀରପ୍ରସବିନୀ ଜନ୍ମଭୂମି ଯବନ ହସ୍ତରୁ ମୁକ୍ତ ନହେଲେ ହିନ୍ଦୁପକ୍ଷେ ରାଜଦଣ୍ଡ ଧାରଣ ବିଡ଼ମ୍ବନା ମାତ୍ର ।’’

 

‘‘ମହାରାଜ ବହୁଦର୍ଶୀ, ଧର୍ମର ରକ୍ଷା ସକାଶେ, ପାପୀର ଉଚ୍ଛେଦ ସାଧନ ଲାଗି, ପ୍ରଜାବର୍ଗର ମଙ୍ଗଳ ନିମିତ୍ତ, ଯାହା କହୁଛନ୍ତି, ତାହା ପ୍ରତ୍ୟେକ ହିନ୍ଦୁ ନରପତି ପକ୍ଷେ ମୂଲ୍ୟବାନ । ସମସ୍ତ ହିନ୍ଦୁ ନରପତି ଏକ ସମୟରେ ଯବନ ପ୍ରତି ଅସ୍ତ୍ର ଧାରଣ କଲେ, ଜନ୍ମଭୂମିର ଏ ଦୁର୍ଦ୍ଦଶା ହୁଅନ୍ତା ନାହିଁ । ମୁସଲମାନ ଯେ ଅତ୍ୟାଚାର ଝାଡ଼ୁଛି, ସେଥିରେ ଆର୍ଯ୍ୟପୂଜ୍ୟ ବ୍ରାହ୍ମଣ ଜାତିର, ଆରାଧ୍ୟ ଦେବତାଗଣର ଘୋର ଅବମାନନା ଘଟିଛି । ହାୟ, ପ୍ରଭୁ ସତେ ଆମ୍ଭମାନଙ୍କର ସହାୟ ହେବେ ?’’

 

“ହିନ୍ଦୁର ପ୍ରାଣାଧିକ ଦେବ–ପ୍ରତିମା ସମୂହ ଧ୍ୱଂସ କରି, ଭାବିଛି ଆପାଜି, ଯବନ ଆନନ୍ଦରେ ଅବାଧ ଅତ୍ୟାଚାର ଚଳାଇଥିବ ? ନା, ନୁହେଁ; କେବେ ନୁହେଁ । ସବୁଦିନ ସମାନ ନଥାଏ । ନିର୍ମଳ–ଗଗନ ଦିନେ ହେଲେ ମେଘାଡ଼ମ୍ବରରେ ପୂର୍ଣ୍ଣ ହୁଏ । ଦିବସର ସେହି ମନୋରମ ଆଲୋକ ରାଶିର ପଛେ ପଛେ ନିବିଡ଼ ଅନ୍ଧକାର ରାଜତ୍ଵ କରିଥାଏ । ସୁଖ ପରେ ଦୁଃଖ, ଆନନ୍ଦ ପରେ ନିରାନନ୍ଦ, ଏହା ତ ବିଶ୍ଵନିୟନ୍ତାଙ୍କର ଚିରନ୍ତନ ପ୍ରଥା ।’’

 

“ପ୍ରକୃତ ମହାରାଜ, ଚାଲୁ ଏ ଅଭିଯାନ । ଯବନ କବଳରୁ ଜନ୍ମଭୂମିର ଉଦ୍ଧାର ନହେଲେ ବୀର ବୋଲି ପରିଚୟ ଦେବା ବିଡ଼ମ୍ବନା । ପ୍ରଭୁ ମଙ୍ଗଳମୟ–ସେ ନିଶ୍ଚୟ ଶୁଭ–କାମନା ପୂର୍ଣ୍ଣ କରିବେ । ଆସ, ସୈନ୍ୟଗଣ ସୂର୍ଯ୍ୟ କିରଣରେ ଶାଣିତ–କୃପାଣ ଝଲସି ଉଠୁ ! ବୀରବାଦ୍ୟରେ ଦିଗନ୍ତ ଉଛୁଳି ପଡ଼ୁ !! ଶତ୍ରୁ ଦେଖୁ, ବୀରପ୍ରାଣରେ, ହିନ୍ଦୁ, ଧମନୀରେ କିପରି ରକ୍ତ ପ୍ରବାହିତ ହେଉଛି-!!!’’

Image

 

ସପ୍ତମ ପରିଚ୍ଛେଦ

 

ମନ୍ତ୍ରୀ ଡିମାରାଜ ରାଜାଙ୍କ ପାଖରୁ ବିଦାୟ ନେଇ ଶିବିର ଆଡ଼କୁ ଚାଲିଲେ । ଯୁଦ୍ଧଯାତ୍ରା କିପରି ଚଳାଇବାକୁ ହେବ ସେଥିଲାଗି ଗୋଟିଏ ମନ୍ତ୍ରଣା–ସଭା ଆହୂତ ହେଲା । ସେଥିରେ ଯୋଗ ଦେଲେ ରାମଜାନ୍ ଖାଁ, ପଣ୍ଡିତ ରଙ୍ଗନାଥ ଭଟ୍ଟ, ସହକାରୀ ସେନାନାୟକ ଅଂକୁଶ ଖାଁ, ବେଙ୍କଟେଶ ନାୟକ । ଯୁକ୍ତିତର୍କର ସୀମା ରହିଲାନାହିଁ; ଅଭିମତ ପରେ ଅଭିମତ; ନୀରବରେ ଡିମାରାଜ ସବୁ କଥା ଶୁଣି ଗଲେ । ପରେ ନୀରବ ରହିବା ଲାଗି ସଂକେତ କରି କହି ପକାଇଲେ, ‘‘ଦେଖ ରାମଜାନ୍; ତୁମର ପ୍ରକୃତିହିଁ ତୁମ ପତନର କାରଣ ହୋଇ ପଡ଼ିବ । ଯେଉଁ ଜାତି ସମାଜର ମେରୁଦଣ୍ଡ, ରକ୍ଷକ, ପରାମର୍ଶଦାତା, ସେ ତୁମ ଚକ୍ଷୁରେ ଭୀରୁ, ଦୁର୍ବଳ; ଏ କ’ଣ ପ୍ରଳାପ ନା ତୁମ ଜାତୀୟତାର ନିଶାଣ ?’’

 

“କ୍ଷମା କରନ୍ତୁ, ମନ୍ତ୍ରୀ ମହାଶୟ । କେବଳ ମହାରାଜାଙ୍କ ମନ ଭୁଲାଇବା ଲାଗି ଏ ଛଳନା । ଯୁଦ୍ଧ ଆମ୍ଭମାନଙ୍କର ବରାବର ଲକ୍ଷ୍ୟ । ନୀରବରେ ବସି ରହିବା ଲାଗି ବଡ଼ କଷ୍ଟ ବୋଧ ହୁଏ ।’’

 

ହଠାତ୍ ରଙ୍ଗନାଥ ପଣ୍ଡିତ ଏହାର ପ୍ରତିବାଦ କଲେ । ତାଙ୍କର ସେହି ଉଚ୍ଚ ହାସ୍ୟ ସଙ୍ଗେ ସଙ୍ଗେ ମୁଖଭଙ୍ଗୀର ବିକୃତି ସମସ୍ତଙ୍କ ମୁଖରେ ହାସ୍ୟୋଦୟ କରାଇଦେଲା । ସେ କହିଲେ, ‘‘ଦେଖ, ପୁଣି ସେଇ କଥା–ତେବେ ଆମ ବ୍ରାହ୍ମଣ ଜାତିଟା କ’ଣ ନିହାତି ଦୁର୍ବଳ ? ଯୁଦ୍ଧ ହେରିକା କିଛି ଜାଣୁନାହିଁ ? ହୁଁ–ଖାଲି ହଳଦିଆ ଚାଉଳ ମୁଠେ, ଆଉ ଦୁଇଟା ପଇସା ଦକ୍ଷିଣାକୁ ହାତ ପତାଇ ଦେଉଁ ? ଆଚ୍ଛା, ଆଚ୍ଛା, ଦେଖିବା–ତମ ତୋପ, ଗୋଳା, ଗୁଳି, ଆଉ ଆମର ମନ୍ତ୍ର ଯନ୍ତ୍ର ! କାହାର କରାମତ କେତେ ?’’

 

‘‘ଭଟ୍ଟ ମହାଶୟଙ୍କର ଭଟଭଟର ଉପକାରିତା କିଛି ନାହିଁ । ନୀରବ ହେଲେ ବେଶ୍ ଭଲ ହୁଅନ୍ତା ।’’

 

ଡିମାରାଜ ହଠାତ୍ କଳହ ମୀମାଂସା କରି ଦେଲେ । ଅଭିଯାନ ଚଳାଇବା ଲାଗି ଯୁକ୍ତିତର୍କ ଚାଲିଲା । ପରିଶେଷରେ ଡିମାରାଜଙ୍କ ପରାମର୍ଶ ଅନୁସାରେ ସୈନ୍ୟ ବିଭାଗ ଓ ବ୍ୟୁହ ରଚନା ପ୍ରଣାଳୀ କରାଗଲା ।

 

ଅନନ୍ତର ସମସ୍ତ ଅନ୍ୟ କର୍ତ୍ତବ୍ୟରେ ଚାଲିଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ଓଡ଼ିଶାର ଶାସକ, ନିୟାମକରୂପେ ପ୍ରତିଷ୍ଠିତ ଗଜପତି ପ୍ରତାପରୁଦ୍ର ଦେବ ଜଣେ ପରମ ବୈଷ୍ଣବ, ସଂସାର ବିରାଗୀ । ରାଜସିଂହାସନ ପ୍ରତି ତାଙ୍କର ସେତେ ମମତା ନଥିଲା । କେବଳ ସେ ଯାହା କିଛି କର୍ତ୍ତବ୍ୟ ଅନୁରୋଧରେ କରୁଥିଲେ ମାତ୍ର । ଅଧିକାଂଶ ସମୟ ଧର୍ମାନୁଶୀଳନ ଓ ‘‘ସରସ୍ଵତୀ ବିଳାସ” ନାମକ ବିରାଟ ଗ୍ରନ୍ଥ ପ୍ରଣୟନରେ ବ୍ୟୟିତ ହେଉଥିଲା । ମହାତ୍ମା ଚୈତନ୍ୟଙ୍କ ସାକ୍ଷାତ ଲାଗି, ଗଜପତି ନିରନ୍ତର ବ୍ୟାକୁଳ ହୋଇ ପଡ଼ୁଥିଲେ । ସେଥିଲାଗି ନାନାପ୍ରକାର ଯତ୍ନ ଓ ଅନୁସରଣର ମଧ୍ୟ ଅଭାବ ନଥିଲା । ତେବେ ହେଲେ ଦର୍ଶନ ଲାଭରୁ ବଞ୍ଚିତ ହୋଇ ପ୍ରତାପରୁଦ୍ର ବଡ଼ ଅଶାନ୍ତିରେ ଦିନଯାପନ କରୁଥିଲେ ।

 

ମନ୍ତ୍ରୀ ରାୟ ରାମାନନ୍ଦ ଓ ପଣ୍ଡିତ ବାସୁଦେବ ସାର୍ବଭୌମ ଉଭୟେ ଚୈତନ୍ୟଙ୍କ ନବ–ପ୍ରବର୍ତ୍ତିତ ଧର୍ମନୀତି ପାଳନ କରି ସଂସାର ପ୍ରତି ଉଦାସୀନ ରହିଥିଲେ । ରାଜାଙ୍କର ଉଦାସୀନତା ମଧ୍ୟ ତଦ୍ରୂପ ଥିଲା । ଏହି ସନ୍ଧି ସ୍ଥଳରେ ଦେବରାୟଙ୍କ ଅଭିଯାନ ବାର୍ତ୍ତା ଗଜପତିଙ୍କ ଶ୍ରୁତିଗୋଚର ହେଲା । ସେ ହଠାତ୍ ଶ୍ରୀକ୍ଷେତ୍ର ପରିତ୍ୟାଗ କରି କଟକ ଯାତ୍ରା କଲେ ।

 

ପ୍ରତାପରୁଦ୍ର ନିଜର କର୍ତ୍ତବ୍ୟ ବୁଝିପାରିଲେ । ଶତ୍ରୁ କବଳରୁ ଦେଶ ରକ୍ଷା ନକଲେ, ସ୍ଵାଧୀନତା ହରାଇ ବସିଲେ, ଶାସକରୂପେ ରାଜଦଣ୍ଡ ଧରିବା ଅନ୍ୟାୟ । ତାଙ୍କର ମନେ ହେଲା ଉଦାସୀନତାଟା ଯେପରି କ୍ଷତ୍ରିୟର ଧର୍ମ ନୁହେଁ, ବୀରର କର୍ତ୍ତବ୍ୟ ନୁହେଁ । ଶାସକ ହେଲେ, ଅସି ଧରିବାକୁ ହେବ, ଲକ୍ଷ ଲକ୍ଷ ପ୍ରାଣୀ ହତ୍ୟା କରି ଦେଶ ରକ୍ଷା କରିବାକୁ ହେବ । ସେଥିପାଇଁ ସେ ସନ୍ଧ୍ୟା ସମୟକୁ ମନ୍ତ୍ରଣା–ସଭା ଆହ୍ଵାନ କଲେ ।

 

ଗଜପତିଙ୍କ ମନ୍ତ୍ରଣା ଗୃହ; କେଡ଼େ ବିସ୍ତୀର୍ଣ୍ଣ, କେଡ଼େ ସୁନ୍ଦର । ଚତୁର୍ଦ୍ଦିଗରେ ଆଲୋକମାଳା ସଜ୍ଜିତ । ସିଂହାସନୋପରି ମହାରାଜ ପ୍ରତାପରୁଦ୍ର । ଦୁଇ ପାର୍ଶ୍ଵରେ ପରିଚାର ଦ୍ଵୟ ଚାମର, ବ୍ୟଜନ ଢାଳିବାରେ ବ୍ୟସ୍ତ । ରାଜସଭା ଲୋକାରଣ୍ୟ । ଚତୁର୍ଦ୍ଦିଗରେ ସୈନ୍ୟ ସେନା, ପ୍ରହରୀ, ସେନାଧ୍ୟକ୍ଷ, ସାମନ୍ତ, ପାତ୍ର ନୀରବରେ ଆସୀନ । ଗୃହଟି ନିସ୍ପନ୍ଦ–ନିସ୍ତବ୍ଧ ।

 

ହଠାତ୍ ବଳଭଦ୍ର ପାତ୍ର ବଜ୍ରଗମ୍ଭୀର ନାଦରେ ସେହି ବିଶାଳ କକ୍ଷର ନିସ୍ତବ୍ଧତା ଭଙ୍ଗ କରି କହିଲେ, ‘‘ମହାରାଜ ! ବର୍ତ୍ତମାନ ଘୋର ସଙ୍କଟ ସମୟ । ସୁଜଳା, ସୁଫଳା ଉତ୍କଳ–ଭୂମି ଛିନ୍ନଭିନ୍ନ । ଦକ୍ଷିଣ ଅଂଶ ଶତ୍ରୁର କରଗତ । ପୁଣି ଉଦୟଗିରି, କନକଗିରି ପ୍ରଭୃତି ବିଖ୍ୟାତ ଦୁର୍ଗଗୁଡ଼ିକ ଉପରେ ଶତ୍ରୁର ବିଜୟ ନିଶାଣ ଉଡ୍ଡୀୟମାନ । ଏଣେ ରାଜକୁମାର ବୀରଭଦ୍ର ଓ ରାମଚନ୍ଦ୍ର ଉଭୟେ ଶତ୍ରୁର ଅଧୀନ । ଏ କ’ଣ କମ୍ ବିପଦ ? କମ୍ ଅପମାନ ? ଶୁଣିବାମାତ୍ରେ ବକ୍ଷ ବିଦୀର୍ଣ୍ଣ ହୋଇଯାଉଛି, ଶୋଣିତ ଉଷ୍ଣ ହୋଇ ପଡ଼ୁଛି । ମହାରାଜ, ଏ ସଙ୍କଟ ସମୟରେ ଉଦାସୀନ ହେଲେ ଓଡ଼ିଶାର ବୀରତ୍ଵ, ମହତ୍ତ୍ଵ ଓ କର୍ତ୍ତୃତ୍ଵ ଉପରେ ବରାବର ବାଧା ପଡ଼ିବ । ଉଠନ୍ତୁ ବର୍ମ ବିଭୂଷିତ ହୋଇ, ଅଶ୍ଵପୃଷ୍ଠରେ ଆରୋହଣ କରି ଧାବମାନ ହୁଅନ୍ତୁ–ସେହ ବିଶାଳ ରଣକ୍ଷେତ୍ରକୁ, ଶତ୍ରୁର ଆସ୍ପର୍ଦ୍ଧା ଚୂର୍ଣ୍ଣ କରିବାକୁ–ଓଡ଼ିଶାର ପୂର୍ବ ଗୌରବ, ସ୍ଵାଧୀନତା ରକ୍ଷା କରିବାକୁ । ସ୍ଵଦେଶ ଓ ସ୍ଵଜାତିକୁ ଶତ୍ରୁ ସମକ୍ଷରେ ଅପମାନିତ କରି–ଧର୍ମାଲୋଚନାରେ ମନ ପ୍ରାଣ ଦେବା କ’ଣ ବିଡ଼ମ୍ବନା ନୁହେଁ ।’’

 

ଗଜପତିଙ୍କ ହୃଦୟ ଟିକିଏ ଭାରାକ୍ରାନ୍ତ ହୋଇ ପଡ଼ିଲା । ସେ ହଠାତ୍ ଚିନ୍ତା ରାଜ୍ୟରେ ଚାଲିଲେ । ପରେ ଗମ୍ଭୀର ଭାବରେ କହିଲେ, ‘‘ପ୍ରିୟ ସଭାସଦ୍‍ବର୍ଗ, ‘ଯୁଦ୍ଧ କରିବାକୁ ହେବ, ଏପରି କହି କିମ୍ବା କାର୍ଯ୍ୟରେ ପରିଣତ କରି, ପରିବାରର ସର୍ବନାଶ କରି ଭଲା କି ଲାଭ ? ପୃଥିବୀରେ କୌଣସି କଥା ମନୁଷ୍ୟର ଚିନ୍ତା କିମ୍ବା ଚାଳନା ଉପରେ ନିର୍ଭର କରେ ନାହିଁ । ଏହି ବିରାଟ–ବିଶ୍ଵ–ରଙ୍ଗମଞ୍ଚ ଉପରେ ମନୁଷ୍ୟ ଗୋଟିଏ ସାମାନ୍ୟ ନର୍ତ୍ତକ । ସୂତ୍ରଧର ଯେପରି ଭାବରେ ତାକୁ ଚାଳିତ କରିବେ, ସେ ସେହିପରି ଚଳିବା ଲାଗି ବାଧ୍ୟ । ଯାହା ହେଉ ସମୟୋଚିତ ଯତ୍ନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଯାଅ, ଶତ୍ରୁର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୁଅ ।’’

 

ସଭାଭଙ୍ଗ ହେଲା । ବିପୁଳ ଜନସ୍ରୋତ କ୍ରମେ କ୍ରମେ ଅପସାରିତ ହେଲା । ଗଜପତି ସାନ୍ଧ୍ୟକୃତ୍ୟ ସମାପନ କରି ଧୀରେ ଧୀରେ ଉଦ୍ୟାନ ଅଭିମୁଖରେ ଚାଲିଲେ । ଅମାବାସ୍ୟାର ଅନ୍ଧକାର । ମୁହଁକୁ ମୁହଁ ଦିଶୁନାହିଁ ଜଣେ ମଶାଲବାହକ ମହାରାଜାଙ୍କୁ ସେହି ଉଦ୍ୟାନରେ ଛାଡ଼ି ଆସିଲା । ବାରବାଟୀର ପ୍ରମୋଦ–ଉପବନ ସେହି ନିବିଡ଼ ଅନ୍ଧକାର ମଧ୍ୟରେ ନୀରବରେ ଦଣ୍ଡାୟମାନ । କେବଳ ସାମୟିକ ବାୟୁବଳରେ ବୃକ୍ଷଲତା କେବେକେବେ ଟିକିଏ ଟିକିଏ ଦୋହଲି ପଡ଼ୁଛନ୍ତି । ଅନ୍ଧକାର ମଧ୍ୟରେ ଉଦ୍ୟାନର ସୌନ୍ଦର୍ଯ୍ୟ ଦୃଷ୍ଟ ହେଉ ନଥିଲେହେଁ, ପୁଷ୍ପସୌରଭରେ ଚତୁର୍ଦ୍ଦିଗ ସୁରଭିତ ହୋଇ ପଡ଼ୁଛି ।

Image

 

ଅଷ୍ଟମ ପରିଚ୍ଛେଦ

 

ପ୍ରତାପରୁଦ୍ର ସେହି ପୁଷ୍ପ–ବାଟିକା ମଧ୍ୟସ୍ଥ ମନୋହର ବିଶ୍ରାମାଗାରକୁ ଗମନ କଲେ । ଗୃହଟି ଦୀପାଲୋକରେ ଆଲୋକିତ । ଦୁଗ୍ଧଫେନନିଭ ଶଯ୍ୟା ଉପରେ ବସି ରାଜା ତାକୁ କଣ୍ଟକ ତୁଲ୍ୟ ବୋଧ କଲେ । ହଠାତ୍ ତାଙ୍କ ମନରେ ଧର୍ମନୀତି ଓ ରାଜବିଧିର ପ୍ରବଳଝଞ୍ଜା ବହିଗଲା । ଏକ ପକ୍ଷରେ ଶତ୍ରୁର ଅଭିଯାନ, ଅନ୍ୟ ପକ୍ଷରେ ମହାତ୍ମା ଚୈତନ୍ୟଙ୍କ ପ୍ରବର୍ତ୍ତିତ ଅଟଳ ଧର୍ମନୀତି । କେଉଁଟି ଏଥିରୁ ଗ୍ରହଣୀୟ ? ଚିନ୍ତା କରି କରି ପ୍ରତାପରୁଦ୍ର କିଛି ଠିକ୍‍ କରିପାରିଲେ ନାହିଁ । ସୁକୋମଳ ଉପାଧାନଟିକୁ ପୃଷ୍ଠଭାଗକୁ ଦେଇ ପୁଣି ଭାବିଲେ; କିନ୍ତୁ କିଛି ହେଲେ ନିର୍ଦ୍ଧାରଣ କରିପାରିଲେ ନାହିଁ । ହଠାତ୍ ନିକଟସ୍ଥ ବୀଣାଯନ୍ତ୍ର ପ୍ରତି ତାଙ୍କର ଦୃଷ୍ଟିପାତ ହେଲା । ସେ ବୀଣାଟିକୁ ବଜାଉ ବଜାଉ ଗୋଟିଏ ମନୋହର ସଙ୍ଗୀତ–

 

ଲହରୀ ତାଙ୍କ ମୁଖରୁ ନିଃସୃତ ହେଲା :–

 

“ଭାସୁଛି ମୋହରି ଜୀବନ–ତରଣୀ

ଭବ–ନୈରାଶ୍ୟ–ସାଗରେ,

ଘୋଟିଅଛି ଆହା,ଏ ଶୋକ–ତିମିର

ମୋହ–ଝଞ୍ଜା ସହିତରେ ।

କହିବାକୁ ଆଉ ନାହିଁ ମୋ ଶକତି

ହେଲା ବୁଦ୍ଧିବୃତ୍ତି ନାଶ,

ଦେବାକୁ ଅଭୟ କିଏ କର୍ଣ୍ଣଧାର

କାହିଁ ଅଛ ଆସ ଆସ ।

ନାହାନ୍ତି କେହି ମୋ ପ୍ରିୟ–ପରିଜନ

ପାଶେ ଉଭା ହେବେ ଆସି,

ସନ୍ତପ୍ତ–ପରାଣ କରିବେ ଶୀତଳ

ସତେ ଆଶାବାଣୀ ଭାଷୀ ।

ନୋହିବି ନିରାଶ ମୁହିଁ କଦାଚିତ

ଦିଶେ ଦୂରେ କ୍ଷୀଣାଲୋକ

ଆଶାର ଆଲୋକେ ଅନ୍ଧାର ଯିବକି

ସଙ୍ଗେ ସଙ୍ଗେ ଦୁଃଖ ଶୋକ ।

ଆସ ଆସ ମୋର ପରାଣ–ଦେବତା

ଆସହେ ଅନ୍ତର–ତମ ।

ତୋ କର–ପଲ୍ଲବ ମୃଦୁ–ଆଲିଙ୍ଗନେ

ହେଉ ଦିବ୍ୟ–ଗତି ମମ ।’’

 

ଏଇ କରୁଣ–ରସ–ପୂର୍ଣ୍ଣ ସଙ୍ଗୀତର ମଧୁର ମୂର୍ଚ୍ଛନା ସ୍ତବ୍ଧ ଭାବରେ ଶୁଣୁଥିଲେ ଅନନ୍ତ ଗଗନର ନକ୍ଷତ୍ର ରାଶି–ଉଦ୍ୟାନର ସେହି ବୃକ୍ଷଲତାଗୁଡ଼ିକ । ମୂର୍ଚ୍ଛନା ଲିଭିଯିବା ସଙ୍ଗେ ସଙ୍ଗେ ଗଜପତି ପୁଣି ଫେରି ଆସିଲେ ସେହି ଚିନ୍ତା ରାଜ୍ୟକୁ । ସେ ଏହିପରି ଯନ୍ତ୍ରଣା ପୂର୍ଣ୍ଣ ରଜନୀ ସେହି ଉଦ୍ୟାନରେ ଯାପନ କଲେ ।

Image

 

ନବମ ପରିଚ୍ଛେଦ

 

ଜ୍ୟେଷ୍ଠ ମାସର ଅମାବାସ୍ୟା–ସାବିତ୍ରୀ ବ୍ରତ । ଉତ୍କଳର ପ୍ରତ୍ୟେକ ସଧବା ସ୍ତ୍ରୀ ଏ ବ୍ରତ ଭକ୍ତିର ସହିତ ପାଳନ କରନ୍ତି । ଏ ବ୍ରତ ସ୍ଵାମୀଙ୍କ ମଙ୍ଗଳ ଲାଗି କରିବାକୁ ହୁଏ । ସାଧାରଣ ଗୃହରେ ବ୍ରତର ଆଡ଼ମ୍ବର ସେପରି କିଛି ନଥିଲେ ମଧ୍ୟ ଆମ୍ବ, ପଣସ, ନାରିକେଳ, କଦଳୀ ପ୍ରଭୃତି ପକ୍ୱ–ଫଳର କିଛି ଅଭାବ ପ୍ରାୟ ନଥାଏ ।

 

ଆଜି ଗଜପତିଙ୍କ ଅନ୍ତଃପୁର ମଧ୍ୟରେ ବ୍ରତ ଲାଗି ବିପୁଳ ଆୟୋଜନ । ବିବିଧ ସାମଗ୍ରୀର ଯୋଗାଡ଼ରେ ନିଜେ ଜେମା ଅନ୍ନପୂର୍ଣ୍ଣା ବ୍ୟତିବ୍ୟସ୍ତ । ଅନ୍ନପୂର୍ଣ୍ଣା ପିତାମାତାଙ୍କ ଗଳାର ମାଳା, ନୟନର ତାରା । ପୁଷ୍ପ ସୌରଭ ଯେପରି ଉଦ୍ୟାନକୁ ସୁରଭିତ କରି ଦିଏ, ରାଜଜେମାଙ୍କୁ ସୌନ୍ଦର୍ଯ୍ୟସୌରଭ ସେପରି ଅନ୍ତଃପୁର ଉପବନକୁ ଆମୋଦିତ କରି ପକାଉଅଛି । ପରମ ରୂପବତୀ, ଷୋଡ଼ଶ–କଳା–ସମ୍ପନ୍ନା, ଅଲୋକ–ଚତୁରା ଅନ୍ନପୂର୍ଣ୍ଣା ଯୌବନ–ରାଜ୍ୟରେ ପଦାର୍ପଣ କଲା ଦିନରୁ ତାଙ୍କ ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ଗୁଣରାଶିର ଅଭିବୃଦ୍ଧି ଦେଖି ପିତାମାତା ଆନନ୍ଦରେ ଅନ୍ଧ, ଉପଯୁକ୍ତ ସପାତ୍ର ହସ୍ତରେ ଅର୍ପଣ କରିବାଲାଗି ବ୍ୟାକୁଳ । କୋମଳ ହୃଦୟା ଜେମାମଣିଙ୍କ ସଙ୍ଗୀତ ଚର୍ଚ୍ଚା ଓ ଚିତ୍ର ବିଦ୍ୟା ଅତୁଳନୀୟ । କେବଳ ରାଜସୁଲଭ ଅଭିମାନ ଓ କ୍ରୋଧ ତାଙ୍କର ଦୁର୍ଗୁଣ କହିଲେ ଚଳେ ।

 

ଅନ୍ନପୂର୍ଣ୍ଣାଙ୍କ ଡାକନାମ ଅନୁ । ପିତାମାତା ଅତି ସ୍ନେହରେ 'ତୁକା' ବୋଲି ମଧ୍ୟ ଡାକିଥାନ୍ତି । ଲଳିତା ଓ ମାଳତୀ ଦୁଇଟିଯାକ ସମବୟସ୍କା ସହଚରୀ । ଜେମା ଏମାନଙ୍କ ସହିତ ନିରଳସ ଭାବରେ ଗୃହସଜ୍ଜା, ଉଦ୍ୟାନ ରକ୍ଷା ପାଳିତ ପଶୁପକ୍ଷୀମାନଙ୍କର ତତ୍ତ୍ଵାବଧାନ ଓ ନିୟମିତ ସମୟରେ ଦେବାରାଧନା ପ୍ରଭୃତି କାର୍ଯ୍ୟରେ ଲାଗିଥାନ୍ତି । ସତ୍ୟ ପ୍ରତି ଆଦର, ଦାନଧର୍ମ ଓ ଆଡ଼ମ୍ବର ଶୂନ୍ୟତା ତାଙ୍କ ଜୀବନର ଚରମ ଲକ୍ଷ୍ୟ । ଦାସଦାସୀଙ୍କ ପ୍ରତି ସଦୟ ବ୍ୟବହାର କରି, ସେ ସମସ୍ତଙ୍କୁ ନିଜର ବୋଲି ମନେ କରିଥାନ୍ତି ।

 

ଅମାବାସ୍ୟାର ସମସ୍ତ ଆୟୋଜନରେ ସେ ଆଜି ଭାରି ବ୍ୟସ୍ତ । ସ୍ନାନାନ୍ତେ ସେ ଯଥାବିଧି ଦେବାରାଧନା କରି ଦାସୀମାନଙ୍କ ସହିତ ସାବିତ୍ରୀ ଦେବୀଙ୍କ ପୂଜା ନିମିତ୍ତ ବେଦିକା ନିର୍ମାଣ ଓ ନୈବେଦ୍ୟ ସାମଗ୍ରୀର ଆୟୋଜନରେ ଲାଗିଛନ୍ତି । ହଠାତ୍ ଅନ୍ନପୂର୍ଣ୍ଣାଙ୍କ ଜନନୀ ସେଠାରେ ଉପନୀତ ହେଲେ । ଅଯତ୍ନ–କୁନ୍ତଳା, କାର୍ଯ୍ୟତତ୍ପରା ଜେମାଙ୍କ ଚଞ୍ଚଳତା ଓ କର୍ମଠତା ତାଙ୍କ ମନରେ ଅପୂର୍ବ ଆନନ୍ଦଧାରା ଢାଳିଦେଲା । ସେ ଦୁହିତାର ସମୁଜ୍ଜ୍ୱଳ ମୁଖପଦ୍ମ, ନିଳେନ୍ଦିବର ଲୋଚନ, ସୁକୋମଳ ଭୁଜଲତା, ଘନ–ନୀଳ–ନିନ୍ଦିତ କେଶଗୁଚ୍ଛ, ନିରୀକ୍ଷଣ କରି ତାଙ୍କର ସେହି ଦେବସୁଲଭ ସୁନ୍ଦରତା ପ୍ରତି ଏକ ଧ୍ୟାନରେ ଅନାଇ ରହିଲେ । ଏ କୋମଳ ବୟସରେ ଏପରି କଠିନ ପରିଶ୍ରମ ତାଙ୍କୁ ବାଧୁଥିବ ବୋଲି ଜାଣି ସ୍ନେହ–ମିଶ୍ରିତ କଣ୍ଠରେ କହିଲେ, ‘‘ମା’ ମୋର, ତୁ କାହିଁକି ଏ କାର୍ଯ୍ୟରେ ଲାଗିଛୁ ? ଘରେ କ’ଣ ଦାସଦାସୀର ଅଭାବ ଅଛି ?’’

 

ଅନ୍ନପୂର୍ଣ୍ଣା ନତମସ୍ତକରେ ସବୁ କଥା ଶୁଣିଲେ । ହଠାତ୍ କହିଲେ, ‘‘ମାମା, ଏଠୁ ଆଉ ବଳି ଭଲ କାମ କ’ଣ ଅଛି ? ଠାକୁରଙ୍କ ପୂଜା ଲାଗି ଆମେ ସମସ୍ତେ ଲାଗି ପଡ଼ିଛୁ । ମୋର କାହିଁକି ଏ କାମ କରିବାକୁ ଆନନ୍ଦ ଆସୁଛି । ମା’, ମୋତେ ତୁମେ ମନା କର ନାହିଁ । ମୁଁ ଏ ବର୍ଷ ଏ ବ୍ରତ କରିବି ?’’

 

ଲଳିତା ପ୍ରଭୃତି ସହଚରୀମାନେ ମଧ୍ୟ ଜେମାଙ୍କ କଥାର ପ୍ରତିବାଦ କଲେ ନାହିଁ । ଓଲଟି ସାବିତ୍ରୀ ବ୍ରତ କରିବାଲାଗି ସମସ୍ତେ ରାଜି ହୋଇଗଲେ । ରାଣୀ କହିଲେ, ନାଇଁଲୋ ମା’ ଅନୁ, ବିବାହ ନହେଉଣୁ ଏ ବ୍ରତ ମାଇପେ କରନ୍ତି ନାହିଁ । ସେହି ଠାକୁରାଣୀଙ୍କ ଦୟା ହେଲେ ମା’ ମୋର ଆର ବର୍ଷକୁ କରିବୁ ।’’

 

ଜେମାଙ୍କର ସେହି ସୁଖର ମୁଖଶ୍ରୀ ଲଜ୍ଜା ଆବରଣରେ ଆବୃତ ହୋଇ ପଡ଼ିଲା । ସେ ନୀରବ ହେବାରୁ ରାଣୀ ଧୀରେ ଧୀରେ ସେଠାରୁ ପ୍ରସ୍ଥାନ କଲେ ।

 

ରାଣୀ ଗଲାରୁ ମଞ୍ଜରୀ ହଠାତ୍ ହସି ହସି କହିଲା, ‘‘ଆମ ଜେମାମଣି ତ କିଆଁ ଏବେ ସାବିତ୍ରୀ ବ୍ରତ କରିବାକୁ ଭାରି ମନ କରୁଛନ୍ତି ?’’

 

କୋକିଳ–କାହିଁକି ? କଲେ କ’ଣ ହେଲା କି ?

 

ମଞ୍ଜରୀ–ମହାଦେଈ ଯାହା କହିଗଲେ ସେଥିରୁ କ’ଣ ସବୁ ବୁଝିପାରିଲୁ ନାହିଁ ? ଆହୁରି ପଚାରୁଛୁ ?

 

ଜେମା ଟିକିଏ ବିସ୍ମିତ ହୋଇ କହିଲେ, ‘‘ହଉ ହଉ, ସେ ଖିଆଲ, ଇଙ୍ଗିତ ଛାଡ଼–କାମରେ ଲାଗିଯାଅ ।’’

 

ମାଳତୀ–ଏତେ ଛଳନା କିଆଁ ମ । ସେମାନେ କ’ଣ ଅସଂସାରୀ କଥା କହିଲେ ?

 

ଅନ୍ନପୂର୍ଣ୍ଣା–କିଏ ମାଳତୀ, ତୁମେ ମଧ୍ୟ ଏଥିରେ ମିଶିଗଲ ପରା ! ହଁ, ହବାର କଥା ତ । ବିନା ଆଶ୍ରୟରେ ମାଳତୀର ଗତି କାହିଁ ?

 

ଲତିକା–ତମ ସାବିତ୍ରୀ ବ୍ରତ କ’ଣ ଏହିଠାରେ ହେବ ଭାବିଛ । ପ୍ରଭୁ ସେଥିପାଇଁ ଆଉ ଗୋଟିଏ ନଅର ତୋଳୁଥିବେ ।

 

ଅନ୍ନପୂର୍ଣ୍ଣା–ତୁମେ ସମସ୍ତେ କ’ଣ ପାଗଳ । ସେଇ ଗୋଟିଏ କଥାକୁ ଧରି ବସିଚ ?

 

ଲଳିତା–ଆଉ କି କଥା–ଏ ଅନ୍ତଃପୁରଟାଯାକ ତ ମସ୍ତବଡ଼ ପାଚେରୀ ଭିତରେ । ଆଉ କିଛି କଥା ଏଠିକି ଶୁଣାଯାଏ ନାହିଁ । ସେଦିନ ପାଇକ କହୁଥିଲା, ଦେଶ ତମାମ ଭାରି ଚହଳ । ଗୋଟାଏ ମସ୍ତ ଯୁଦ୍ଧ ହବ । ବିଜୟନଗର ରାଜା ପୁଣି ଆମ ଗଡ଼ ଜିଣି ଯିବାପାଇଁ ଆସୁଛନ୍ତି ।

 

ମାଳତୀ–ସେ ମୁଲକ କୁଆଡ଼େ ? ସେଠାର ରାଜା କିଏ ?

 

ଅନ୍ନପୂର୍ଣ୍ଣା–ବିଜୟନଗର ଦାକ୍ଷିଣାତ୍ୟର ଗୋଟାଏ ରାଜ୍ୟ । କୃଷ୍ଣା ନଦୀର ଶାଖା ତୁଙ୍ଗଭଦ୍ରାକୂଳରେ ଅବସ୍ଥିତ । ରାଜା କୃଷ୍ଣଦେବରାୟ ଏ ରାଜ୍ୟର ଶାସକ ।

 

ଲଳିତା–ଯୁଦ୍ଧର ଫଳାଫଳ କ’ଣ ହେବ କେଜାଣି ? ମା’ ଠାକୁରାଣୀ, ଆମ ମହାରାଜାଙ୍କର ଜୟ ହେଉ–ଓଡ଼ିଶାର ମଙ୍ଗଳ ହେଉ ।

 

ମଞ୍ଜରୀ–କି ମିଳିବ ଆମକୁ ସେ ଯୁଦ୍ଧରୁ । ମାତ୍ର ଏ କଥା ଶୁଣି ମୋର ଆଉ ଗୋଟିଏ ବିଷୟ ମନେ ପଡ଼ୁଛି । ବୁଢ଼ା ରଜା ଯିମିତି ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇ ପଦ୍ମାବତୀଙ୍କୁ ଆଣି ବିଭା ହେଲେ । ଆମ ଜେମା–

 

ଅନ୍ନପୂର୍ଣ୍ଣା ହଠାତ୍ ତାଙ୍କ କୋମଳ–କର–ପଲ୍ଲବରେ ମଞ୍ଜରୀର ମୁଖକୁ ଚାପି ଧରିଲେ । ଲଜ୍ଜା ସଙ୍ଗେ ସଙ୍ଗେ କିଞ୍ଚିତ୍ କ୍ରୋଧ ମଧ୍ୟ ତାଙ୍କ ମନରେ ଉଦିତ ହେଲା । ତା’ ଆଡ଼କୁ ମୁହଁ ବୁଲାଇ, ସେ କହିଲେ, ‘‘ଛି ସର୍ବଦା ତୁମର ଏ ଖିଆଲ । ତୁନି ରହ । ଧନ୍ୟ ତମର ଜନ୍ମ ।’’

 

ମଞ୍ଜରୀ କହିଲା, ‘‘ଜେମାମଣି, ଆଉ କିଛି ନୁହେଁ ଯେ, ଆସନ୍ତା ବର୍ଷକୁ ସାବିତ୍ରୀ ବ୍ରତପାଇଁ କିଛି ବିଚାର ରହନ୍ତା ନାହିଁ ।’’

Image

 

ଦଶମ ପରିଚ୍ଛେଦ

 

ସାବିତ୍ରୀ ବ୍ରତ ଯଥାବିଧି ସମାପ୍ତ ହେଲା । ସେଦିନ ସୂର୍ଯ୍ୟାସ୍ତ ପରେ ଅନ୍ନପୂର୍ଣ୍ଣା ପ୍ରମୋଦ–ଉପବନକୁ ସହଚରୀମାନଙ୍କ ସହିତ ବାହାରି ପଡ଼ିଲେ । ମନ୍ଦମନ୍ଦ ଶୀତଳ ପବନରେ ଦିବସ–ଜନିତ ଶ୍ରାନ୍ତ କ୍ଳାନ୍ତ ଅବୟବ ଏକାନ୍ତ ବିଶ୍ରାମ ଲାଗି ଇଚ୍ଛୁକ ଥିଲା ପରି ଜଣାପଡ଼ୁଥାଏ । ତେଣୁ ସେ ପରିଚାରିକାମାନଙ୍କୁ ଜଳସେଚନ କାର୍ଯ୍ୟରେ ନିଯୁକ୍ତ କରି ମାଳତୀ–ଲତା–ମଣ୍ଡପରେ ବସିଲେ । ଛାୟାପ୍ରଦ ଶୀତଳମୟ ନିକୁଞ୍ଜ ମଧ୍ୟରେ ସେ କ୍ଷଣକାଳ ପାଇଁ ବିଶ୍ରାମ କରି ଆତ୍ମବିସ୍ମୃତ ହୋଇଗଲେ । ଜଳସେଚନ ଯୋଗୁଁ ସଦ୍ୟସ୍ନାତ ତରୁଲତାଗୁଡ଼ିକ ଅତି ରମଣୀୟ ଦିଶୁଛି । ଅନ୍ନପୂର୍ଣ୍ଣା ସେହି ଅପୂର୍ବ ଶୋଭାରାଶି ଅବଲୋକନ କରି ବିଭୋର ହୋଇ ପଡ଼ିଲେ । ତାଙ୍କର ମନୋରମ ବିମ୍ବାଧରରେ କ୍ଷୀଣ ହାସ୍ୟ ଦେଖାଗଲା । ସେ ହଠାତ୍ ଲଳିତାକୁ କହି ପକାଇଲେ ‘‘ଦେଖିଲୁ ଲଳିତା, ଏ ନିକୁଞ୍ଜଟି କି ସୁନ୍ଦର ହୋଇଛି । ଆହା କେଡ଼େ ଆରାମଦାୟକ–ଶାନ୍ତିପ୍ରଦ ଏ ସ୍ଥାନଟି ! ମନୁଷ୍ୟ ଜୀବନଟା ହେଲେ ଏହିପରି ଶାନ୍ତିମୟ ହୁଅନ୍ତା ! ନା, ସେପରି କଦାପି ହୋଇ ନପାରେ । ସୀତା, ସାବିତ୍ରୀ, ଦ୍ରୌପଦୀ ପ୍ରଭୃତି ଚିରସ୍ମରଣୀୟା ରମଣୀ–ରତ୍ନମାନେ ମଧ୍ୟ ସଂସାରର ଏ ଦୁଃଖ କଷ୍ଟରୁ ଅବ୍ୟାହତି ପାଇନାହାନ୍ତି, ଆମେମାନେ ଅବା କ’ଣ ।

 

‘‘ତୁମ ମନ କିଆଁ ଆଜି ଏ ଭାବନାରେ ବୁଡ଼ିଛି ମ ?’’

 

“କେଜାଣି କାହିଁକି ଲଳିତା ମୋ ମନଟା ଆଜି ଭାରି ଘାଣ୍ଟି ଗୋଳେଇ ହେଉଛି । ବର୍ତ୍ତମାନ ସମଗ୍ର ଦେଶରେ ଅଶାନ୍ତି ! ବିଦେଶୀୟ ଶତ୍ରୁର ଘନଘନ ଆକ୍ରମଣ, ସୈନ୍ୟଗଣର କୋଳାହଳ, ଏତେବେଳେ ପିତାଙ୍କ ମନରେ ଘୋର ଉଦାସୀନତା, ବୈରାଗ୍ୟ । କାହାର କ’ଣ ଏଥିରେ ହାତ ଅଛି । ନୀଳାଚଳନାଥଙ୍କର ଯେ ଇଚ୍ଛା ।’’

 

“ତୁମେ ଅକାରଣରେ ସେ ଚିନ୍ତାରେ କିଆଁ ଗଡ଼ିସଡ଼ି ଯାଉଚ । ସେ ଯୁଦ୍ଧ ଫୁଦ୍ଧରେ ତୁମର କ’ଣ ଲାଭ କ୍ଷତି ଅଛି । ମିଛରେ ମନକୁ ଚିନ୍ତାଗ୍ରସ୍ତ କରୁଛ ।’’

 

“କ’ଣ କହିଲୁ ଲଳିତା, ଆମ୍ଭେମାନେ କ’ଣ ମନୁଷ୍ୟ ନୋହୁଁ ? ଆମର କ’ଣ ସୁଖ ଦୁଃଖରେ ଅଧିକାର ନାହିଁ ? ଦେଶର ହାନିଲାଭ ବୁଝିବା କ’ଣ ଆମର କର୍ତ୍ତବ୍ୟ ନୁହେଁ ? ଭାବିଛ, ରୋଷେଇଶାଳର ସେଇ ଅନ୍ଧାର କଣ ଆମର ଆଶ୍ରୟ ବୋଲି । ନା, ସମୟ ଥିଲା, ଓଡ଼ିଆଣୀ ନିଜେ ଘୋଡ଼ା ଚଢ଼ି ସାଞ୍ଜୁ ପିନ୍ଧି ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ୁଥିଲା । ଇତିହାସ ଏହାର ପ୍ରମାଣ । କେବଳ କ୍ରୂର ଯବନ ଆକ୍ରମଣ କଲା ଦିନୁ, ଭାରତବର୍ଷରେ ଏଇ ନାରକୀୟ ଅବରୋଧ ପ୍ରଥା ନାରୀ ଜାତି ମୁଣ୍ଡରେ ବଜ୍ରାଘାତ କରିଛି ।’’

 

“ହଁ, ଦିନେତ ତୁମଠାରୁ ଶୁଣିଲା ପରି ମନେ ହେଉଛି, ଆମ ବୁଢ଼ାରଜା ମା’ ଗୋସାଇଁଙ୍କୁ କୋଉ ଯୁଦ୍ଧରେ ଜିଣି ଘେନି ଆସିଥିଲେ ।

 

‘‘ସତ ସେ କଥା ମ ! ଆମ ପୁରୁଣା ଉଆସର ବୁଢ଼ୀ ପୋଇଲୀ ମୀନାକ୍ଷୀଟା ତ ସେ କାଳର ମଣିଷ । ତାକୁ ପଚାରିଲେ ସେ ସବୁ କହିଯିବ । ଗୋସାଇଁ ମା’ଙ୍କ ନାଁ ପଦ୍ମାବତୀ । ବୁଢ଼ାରଜା କର୍ଣ୍ଣାଟ ଦେଶ ଜିଣି, ତାଙ୍କୁ ଘେନି ଆସିଥିଲେ । ଖାଲି ସେତିକି ନୁହେଁ, ଭଣ୍ଡଗଣେଶ ଓ ସାକ୍ଷୀଗୋପାଳ ପ୍ରତିମା ଦୁଇଟି ମଧ୍ୟ ସେ ରାଜ୍ୟରୁ ଅଣାଯାଇଥିଲା ।’’

 

“ଏବେ ଯିଏ ଯୁଦ୍ଧକୁ ଆସିଛନ୍ତି, ସିଏ କ’ଣ ସେଇ ଦେଶର ?’’

 

‘‘ହଁ ହଁ, ସେଇ ଦେଶର ଯେ, ତାଙ୍କ ବଂଶର କି ନା ମୁଁ ଠିକ୍‍ କହି ପାରିବି ନାହିଁ ।’’

 

‘‘ସେ ଦେଶରେ କି ଭାଷା କହନ୍ତି ?’’

 

‘‘କନଡ଼ା ଭାଷା । ମୀନାକ୍ଷୀ ବୁଢ଼ାକୁ ସେ ଭାଷା ଭଲ କହିଆସେ ।’’

 

‘‘ମା’ ଠାକୁରାଣୀ, ଏ ରଜା ଯେପରି ପୂର୍ବ ଋଣ ପରିଶୋଧ ନନିଅନ୍ତି ।’’

Image

 

ଏକାଦଶ ପରିଚ୍ଛେଦ

 

ବାରବାଟୀର ନବତଳ ପ୍ରାସାଦରେ ଆଜି ବିରାଟ ମନ୍ତ୍ରଣା ସଭା । ରତ୍ନସିଂହାସନୋପରି ଗଜପତି ପ୍ରତାପରୁଦ୍ର । ଦକ୍ଷିଣ ପାର୍ଶ୍ଵରେ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଏବଂ ସମ୍ମୁଖରେ ନିମନ୍ତ୍ରିତ ସାମନ୍ତ ରାଜନ୍ୟ ମଣ୍ଡଳୀ ଆସୀନ । ପ୍ରତାପରୁଦ୍ର ସ୍ଵଭାବତଃ ଉଚ୍ଚ ଓ ବିଶାଳକାୟ ପୁଣି ଶ୍ମଶ୍ରୁମଣ୍ଡିତ ମୁଖମଣ୍ଡଳରେ ବୀରତ୍ଵ ଓ ଧର୍ମ ପ୍ରାଣତାର ବିମଳ ଆଭା ପ୍ରକଟିତ । ଜ୍ୟୋତିର୍ମୟ ଲଲାଟୋପରି ବୃହତ୍ ଚନ୍ଦନ ବିନ୍ଦୁ, ଠିକ୍‍ ପୂର୍ଣ୍ଣିମାର ଚନ୍ଦ୍ରମଣ୍ଡଳ ପରି ନିର୍ମଳ । ଶୁକ୍ଳ ପଟ୍ଟବସ୍ତ୍ର ଓ ଅଙ୍ଗରଖାରେ ଶରୀର ଆବୃତା । ମସ୍ତକୋପରି ମଣିମାଣିକ୍ୟ ଖଚିତ ବିରାଟ ଶିରସ୍ତ୍ରାଣ । ଅଙ୍ଗୁଳିରେ ବହୁମୂଲ୍ୟ ରତ୍ନ ମୁଦ୍ରିକା, କଣ୍ଠଦେଶରେ ନାନାବିଧ ସୁରଭି–ସୁମନ–ରଚିତ କୁସୁମ–ମାଳିକା, କଟିଦେଶରେ ଶାଣିତ ତରବାରି ଲମ୍ବମାନ ।

 

ରାଜସଭା ନୀରବ, ନିସ୍ତବ୍ଧ । ସମସ୍ତେ ଏକ ଦୃଷ୍ଟିରେ ଗଜପତିଙ୍କ ଆଡ଼କୁ ଅନାଇ ରହିଛନ୍ତି । ହଠାତ୍ ସେହି ନୀରବତା ଭଙ୍ଗ କରି ପ୍ରତାପରୁଦ୍ର ବଜ୍ରଗମ୍ଭୀର ନାଦରେ କହିଲେ, ‘‘ପ୍ରିୟ ସାମନ୍ତ ମଣ୍ଡଳୀ, ଆଜି ଆପଣମାନଙ୍କୁ ଦେଶ ରକ୍ଷା, ରାଜ୍ୟ ରକ୍ଷା ଲାଗି ସମବେତ କରାଯାଇଅଛି । ଶତ୍ରୁର ସମ୍ମୁଖୀନହେବା ସକାଶେ ଯାହା ଯାହା ଆବଶ୍ୟକ ସେହି ସମସ୍ତ ଗୁଣ ଆପଣମାନଙ୍କଠାରେ ବିଦ୍ୟମାନ । ଉତ୍କଳର ପ୍ରାଚୀନ ଗୌରବ, ପୂର୍ବପୁରୁଷଙ୍କର କୀର୍ତ୍ତି ସମୂହ ସ୍ମରଣ କରି ଯୋଦ୍ଧୃ ବେଶରେ ଦଣ୍ଡାୟମାନହେବା ଲାଗି ଆପଣଙ୍କୁ ନୂତନ ଭାବରେ ଶିକ୍ଷା ଦିଆଯିବ କ’ଣ ? ଆପଣମାନେ ସମସ୍ତେ ରଣ–ପଣ୍ଡିତ, ଯୁଦ୍ଧବିଦ୍ୟାରେ ନିପୁଣ । ବ୍ୟୂହ ନିର୍ମାଣର କୌଶଳ, ଯୁଦ୍ଧ ଚଳାଇବା ଲାଗି ଶିକ୍ଷା ଓ ଚତୁରତାରେ ଆପଣମାନେ ବରାବର ବୈଦେଶିକର ସମକକ୍ଷ । ଅତଏବ ବୀରବୃନ୍ଦ, ପୂର୍ବପୁରୁଷଙ୍କର ସେହି ଗୌରବ କାହାଣୀ ଗାଇ ଗାଇ ଯୁଦ୍ଧକ୍ଷେତ୍ରକୁ ବାହାରିପଡ଼ । ଶତ୍ରୁ ସୈନ୍ୟକୁ ଛିନ୍ନଭିନ୍ନ କରି ଦେଇ ବିଜୟ ଶ୍ରୀ ଲାଭକର !

 

ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର କହିଲେ, ‘‘ଭୟ ନାହିଁ ମହାରାଜ ! ଆମ୍ଭେମାନେ କଦାପି ହୀନ ନୋହୁଁ । ଓଡ଼ିଆ ବୀର ପକ୍ଷେ ଯୁଦ୍ଧ କିଛି ନୂତନ ନୁହେଁ । ବର୍ତ୍ତମାନ ସୈନ୍ୟ ସଂଖ୍ୟା ଦୁଇ ଲକ୍ଷ-। ମୁଷ୍ଟିମେୟ ସୈନ୍ୟ ଧରି ଶତ୍ରୁ କ’ଣ କରି ପାରିବ ?’’

 

‘‘ଯଥେଷ୍ଟ ଆୟୋଜନ । ଆଉ ସମୟ ନାହିଁ । ଗୁପ୍ତଚରର ସମ୍ବାଦରୁ ପ୍ରକାଶ, ଶତ୍ରୁ ବର୍ତ୍ତମାନ ଏଠାରୁ ବାର କ୍ରୋଶ ଦୂରରେ । କାଳ ବିଳମ୍ବ ନକରି ଯୁଦ୍ଧଯାତ୍ରା ଚଳାଇବାକୁ ହେବ । କାଠଯୋଡ଼ିଠାରୁ ମହାନଦୀ ପର୍ଯ୍ୟନ୍ତ ସୈନ୍ୟ ରାଶି ସଜ୍ଜିତ କରି ରଖ ।’’

 

‘‘ପାତ୍ର ବଳଭଦ୍ର, ବ୍ୟୂହ ରଚନା ଲାଗି ଗୋଟିଏ କୌଶଳ ପୂର୍ଣ୍ଣ ପ୍ରସ୍ତାବ କରିଛନ୍ତି ! ସୈନ୍ୟ ସମୂହ ତିନି ଭାଗରେ ବିଭକ୍ତ କରି, ପ୍ରତି ବିଭାଗ ଜଣେ ଜଣେ ସେନାପତି ଅଧୀନରେ ଚଳାଇବାକୁ ହେବ ।’’

 

‘‘ପ୍ରସ୍ତାବ ତ ମନ୍ଦ ନୁହେଁ । ତେବେ ବଳଭଦ୍ର କାହାକୁ ସେନାପତିରୂପେ ମନୋନୀତ କରିଛନ୍ତି ?’’

 

‘‘ପ୍ରଥମରେ ପାତ୍ରଗଣ, ଦ୍ଵିତୀୟରେ ସାମନ୍ତ ରାଜବୃନ୍ଦ ଓ ତୃତୀୟରେ ସ୍ଵୟଂ ମହାରାଜ ।’’

 

‘‘ଉପଯୁକ୍ତ ବ୍ୟବସ୍ଥା । ବଳଭଦ୍ର ବଡ଼ ବିଚକ୍ଷଣ–ରଣ ବିଶାରଦ ମଧ୍ୟ । ତାଙ୍କରି ପ୍ରସ୍ତାବ ଅନୁସାରେ ଯୁଦ୍ଧ ଚଳାଇବାକୁ ହେବ ।’’

 

‘‘ତେବେ ସେହିପରି ବ୍ୟୂହ ରଚନା ଲାଗି ମହାରାଜ କହୁଛନ୍ତି ?’’

 

‘‘ନିଶ୍ଚୟ, ମାତ୍ର ବିପକ୍ଷର ସୈନ୍ୟ ସଂଖ୍ୟା ନିରୂପଣ କରି କାର୍ଯ୍ୟ କରିବା ଆବଶ୍ୟକ ।’’ ଯେତେ ଦୂର ଜାଣେ ବିପକ୍ଷଦଳ ଏତେ ପରିମାଣରେ ସୈନ୍ୟ ସଂଗ୍ରହ କରିପାରିନାହିଁ । ଯାହା ବୁଝିଛି ବରାବର ନିରାଟ ସତ୍ୟ–ଶତ୍ରୁ ପକ୍ଷରେ ଗଜାରୋହୀ ସୈନ୍ୟ ମୋଟେ ନାହାନ୍ତି ।’’

 

‘‘ହେଲେ ସୁଦ୍ଧା ଶତ୍ରୁକୁ ସାମାନ୍ୟ ଭାବିବା ଉଚିତ ନୁହେଁ । କିମ୍ବା ରଣଭୂମିରେ ଆଳସ୍ୟପରାୟଣହେବା କର୍ତ୍ତବ୍ୟ ନୁହେଁ ।’’

 

ବିପୁଳ ଜନତା ଏକ ସ୍ଵରରେ କହି ଉଠିଲା, ‘‘ନା, ମହାରାଜ ! ଓଡ଼ିଆ ପ୍ରାଣରେ ଆଳସ୍ୟର ସ୍ଥାନ ନାହିଁ । ଅସାବଧାନତାର ସତ୍ତା ନାହିଁ ।’’

 

ଅନନ୍ତର ମହାରାଜ ପ୍ରତାପରୁଦ୍ର ସାମନ୍ତ ମଣ୍ଡଳୀଙ୍କୁ ଯଥାବିଧି ସମ୍ଭାଷଣ କରି, ସେମାନଙ୍କ ସହିତ ବିସ୍ତୀର୍ଣ୍ଣ ପ୍ରାଙ୍ଗଣରେ ଉପନୀତ ହେଲେ । ସେଠାରେ ଅରଣ୍ୟ ନିବାସୀ କନ୍ଧ ଯୋଦ୍ଧାମାନଙ୍କର ସାମରିକ ନୃତ୍ୟ, ଭୟଙ୍କର ବେଶଭୂଷା, ବିକଟ ଚିତ୍କାର ପ୍ରଭୃତି ଦେଖି, ଶୁଣି ଆହ୍ଲାଦିତ ହେବାକୁ ଲାଗିଲେ ।

 

ସେମାନଙ୍କର ବେଶଭୂଷାର ବିନ୍ୟାସ କିଏ କହି ପାରିବ ? କାହା କାନ୍ଧରେ ତୀକ୍ଷ୍ଣଧାର ଟାଙ୍ଗି, କିଏ ଅବା ଶିଆଳି ଲତାରେ ସର୍ବାଙ୍ଗ ବେଷ୍ଟିତ, କିଏ ସେ ବାହୁ ମୂଳରେ ଭଦଳିଆ ପକ୍ଷୀ ବାନ୍ଧିବାରେ ବ୍ୟସ୍ତ, କୋମଳ–ପଲ୍ଲବରେ କାହାର ମସ୍ତକ ଆଚ୍ଛାଦିତ । ଏମାନଙ୍କର ଅପୂର୍ବ ମଲ୍ଲକ୍ରୀଡ଼ା ଓ ଅଭୂତପୂର୍ବ ସାହସ ଦେଖି ସମସ୍ତେ ବିସ୍ମିତ ହୋଇଗଲେ ।

Image

 

ଦ୍ଵାଦଶ ପରିଚ୍ଛେଦ

 

କୃଷ୍ଣଦେବ ରାୟଙ୍କ ଶିବିର ବର୍ତ୍ତମାନ କଟକଠାରୁ ବାର କ୍ରୋଶ ଦୂରରେ । ପଥ ମଧ୍ୟରେ ତାଙ୍କର କେହି ସମକକ୍ଷ ପ୍ରତିଦ୍ଵନ୍ଦ୍ୱୀ ନଥିଲେ ମଧ୍ୟ ପ୍ରବଳ ମହାମାରୀ ଯୋଗୁଁ ଅନେକ ସୈନ୍ୟସେନା କାଳ–ଗ୍ରାସରେ ପଡ଼ିଲେ । ପ୍ରବଳ ବୃଷ୍ଟି ଓ ବାତ୍ୟାବର୍ତ୍ତ ପ୍ରଭାବରୁ ମଧ୍ୟ କେତେଗୁଡ଼ିଏ ଘୋଟକ ଓ ପଦାତିକ ସୈନ୍ୟ ପ୍ରାଣତ୍ୟାଗ କରିଥିଲେ । ବିଜୟନଗରରୁ ଆସିବା ସମୟରେ ସୈନ୍ୟସଂଖ୍ୟା ଥିଲା ଦୁଇ ଲକ୍ଷ । ମାତ୍ର, ପ୍ରକୃତିର କୋପ ଓ ଖାଦ୍ୟ ଅଭାବରୁ ସଂଖ୍ୟା ହ୍ରାସ ହୋଇ ପଡ଼ିଲା । ବର୍ତ୍ତମାନ ତାହା ଏକ ଲକ୍ଷ ତିରିଶ ହଜାର ମାତ୍ର ।

 

ଏଥିଲାଗି ରାଜା ବିଶେଷ ଚିନ୍ତାଗ୍ରସ୍ତ । ଏହି ସାମାନ୍ୟ ସୈନ୍ୟ ଧରି ଓଡ଼ିଶା ବିପକ୍ଷରେ ଦଣ୍ଡାୟମାନହେବା ନିତାନ୍ତ ମୂର୍ଖତା ବୋଲି ତାଙ୍କର ଧାରଣା । ଏଥିଲାଗି ଶିବିର ମଧ୍ୟରେ ମନ୍ତ୍ରଣା–ସଭାର ଆୟୋଜନ । ମନ୍ତ୍ରୀ, ସେନାପତି, ବୈଦ୍ୟ, ପଣ୍ଡିତ, ପ୍ରଧାନ ପ୍ରଧାନ ସୈନିକବୃନ୍ଦ ଏଥିରେ ଯୋଗ ଦେଇଛନ୍ତି । ରାଜୋଚିତ ପରିଚ୍ଛଦ ପରିହିତ କୃଷ୍ଣଦେବ ରାୟ ଗୋଟିଏ ବହୁମୂଲ୍ୟ ଆସନରେ ଉପବିଷ୍ଟ । ମୁଖଶ୍ରୀ ବିରତ୍ନ ବ୍ୟଞ୍ଜକ । କଟିଦେଶରେ ଅସି ଲମ୍ବମାନ ।

 

ହଠାତ୍ ରାଜା କହିଲେ, ‘‘ଆପାଜି, ଆମ୍ଭମାନଙ୍କର ଯାତ୍ରା ଶେଷ ହୋଇଅଛି । ବାକି ପ୍ରଧାନ କର୍ତ୍ତବ୍ୟ ଯୁଦ୍ଧ । ବର୍ତ୍ତମାନ ଆପଣଙ୍କର ସମସ୍ତ ଯୁଦ୍ଧ କୌଶଳ ପ୍ରୟୋଗ କରିବାର ସମୟ । ସମସ୍ତ ଆଶାଭରସା ଆପଣଙ୍କ ବୁଦ୍ଧି ପ୍ରଖରତା ଉପରେ ନିର୍ଭର କରେ ।’’

 

ଆପାଜି କହିଲେ, ‘‘ବହୁତ ଚିନ୍ତା ପରେ ଆମ୍ଭେମାନେ ଯେ କର୍ତ୍ତବ୍ୟ ନିର୍ଦ୍ଧାରଣ କରିଛୁ, ସେଥିରେ ଭଗବାନ୍ ନିଶ୍ଚୟ ଆମ୍ଭମାନଙ୍କର ସହାୟ ହେବେ ।’’

 

ସେନାପତି ରାମଜାନ୍ ଖାଁ ଟିକିଏ ଚିନ୍ତାନ୍ଵିତ ହୋଇ କହିଲେ, ‘‘ଅଙ୍କୁଶ ଖାଁ ଗୁପ୍ତ ଭାବରେ ଯେ ସମ୍ବାଦ ଦେଇଛନ୍ତି, ସେଥିରୁ ଓଡ଼ିଶାର ସୈନ୍ୟ ସଂଖ୍ୟା ଠିକ୍‍ କଳନା କରାଯାଇପାରୁନାହିଁ । ସାମନ୍ତ ରାଜାମାନେ ମଧ୍ୟ ବହୁସଂଖ୍ୟକ ସୈନ୍ୟସେନା ସହିତ ଏ ଯୁଦ୍ଧରେ ଯୋଗ ଦେଉଛନ୍ତି । କାଠଯୋଡ଼ି ଓ ମହାନଦୀ ମଧ୍ୟସ୍ଥ ସୁବିସ୍ତୀର୍ଣ୍ଣ ପ୍ରାନ୍ତରରେ ବ୍ୟୂହ ରଚନାର ଆୟୋଜନ ଚାଲିଛି । ବୋଧହୁଏ ଓଡ଼ିଶାର ସୈନ୍ୟ ସଂଖ୍ୟା ଢେର୍ ବେଶୀ ।

 

ଅଙ୍କୁଶ ଖାଁ–ଭୟ ନାହିଁ ମହାରାଜ; ଆମ୍ଭେମାନେ ତ ହୀନବଳ ନୋହୁଁ । ତେବେ ଚିନ୍ତା କାହିଁକି ? ଓଡ଼ିଆମାନଙ୍କଠାରୁ ଆମ୍ଭେମାନେ ବେଶ୍ ବୁଦ୍ଧିମାନ, ଖୁବ୍ ପରାକ୍ରମୀ ।’’

 

ମନ୍ତ୍ରୀ–ଏ ଅଯାଚିତ ଯୁକ୍ତିଗୁଡ଼ାକ ଶୂନ୍ୟ ମସ୍ତିଷ୍କରେ କାହିଁକି ବାଢ଼ି ବସୁଛ ? ବନ୍ଦକର ।

 

ଏ ବାକ୍ୟ ବାଣରେ ଅଙ୍କୁଶ ଖାଁ ବ୍ୟଥିତ ହୋଇ ପଡ଼ିଲେ । ତାଙ୍କର ମୁଖମଣ୍ଡଳ ହଠାତ୍ ପରିବର୍ତ୍ତିତ ହୋଇଗଲା । ସେ ବ୍ୟାକୁଳ ଭାବରେ କହିଲେ, ‘‘ଦେଖନ୍ତୁ ମହାରାଜ, ମନ୍ତ୍ରୀ ମହାଶୟ କିପରି ଅପମାନ ଦେଉଛନ୍ତି ? ତେବେ ତାଙ୍କ ଚକ୍ଷୁରେ ଆମ୍ଭେମାନେ ଦାସ, ଆମ୍ଭମାନଙ୍କ କଥାର କୌଣସି ମୂଲ୍ୟ ନାହିଁ ।’’

 

ଡିମାରାଜ ଟିକିଏ ଭ୍ରୂକୁଟି ଭଙ୍ଗୀ କରି କହିଲେ, ‘‘କ’ଣ କହିଲ ? ଦେଶ, କାଳ, ପାତ୍ର ବିବେଚନାରେ ଯାହା କହିବା ଉଚିତ ଓ ଯାହା କରିବା କର୍ତ୍ତବ୍ୟ ସେ ବିଷୟରେ ନ କହି ମୁଁ କଦାପି ଧୈର୍ଯ୍ୟ ଧରି ପାରିବି ନାହିଁ । ଏଥିଲାଗି ତୁମର ଅଭିଯୋଗ ପ୍ରତି ମୁଁ କଦାପି ଭ୍ରୂକ୍ଷେପ କରୁନାହିଁ । ଅବସ୍ଥା ଦେଖି ବରାବର ବ୍ୟବସ୍ଥା କରିବାର କଥା–ତୁମେ ସେ ବିଷୟରେ ନିଶ୍ଚୟ ମୂର୍ଖ ।

 

ବର୍ତ୍ତମାନ ଓଡ଼ିଶାଧିପତିଙ୍କ ପିତା ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ତୁମେ ପ୍ରତ୍ୟକ୍ଷ କରିଛ କି ? ଓଡ଼ିଆର ଅଦମ୍ୟ ଉତ୍ସାହ, ଅମାନୁଷ ବଳ, ବିଚିତ୍ର ରଣକୌଶଳ, ଅଲୌକିକ ସୈନ୍ୟ ଚାଳନା ବିଷୟରେ ତୁମେ କ’ଣ ଜାଣ । ଚକ୍ଷୁ ପଲକମାତ୍ରେ ସମୃଦ୍ଧଶାଳୀ କାଞ୍ଚି ନଗରୀ ଯେ ଧ୍ଵଂସ ହୋଇଗଲା, କାଞ୍ଚି ରାଜଜେମା ପଦ୍ମାବତୀ ବନ୍ଦୀ ହୋଇ ଓଡ଼ିଶାକୁ ଆସିଲେ ଏଇ, ସମସ୍ତ କାର୍ଯ୍ୟରେ ଓଡ଼ିଆର ବୀରତ୍ଵ କିପରି ଜାଣିପାରୁଛ ? ହାତରେ ଶଙ୍ଖା ଥାଉଁଥାଉଁ ଦର୍ପଣର କି ଆବଶ୍ୟକ ? ତୁମ ମୁସଲମାନ ଜାତି ଓଡ଼ିଶା ପ୍ରତି ଘନଘନ ଆକ୍ରମଣ ଚଳାଇ କ’ଣ ପୁରସ୍କାର ପାଇଛି ? ଏତେ ଶୀଘ୍ର ବିସ୍ମୃତ ହୋଇଗଲ ? ସାବଧାନ, ଅଙ୍କୁଶ, ତୁମ୍ଭର ଏ ଅପରିଣାମଦର୍ଶିତାକୁ ସଂଯତ କର ।’’

 

ଅଙ୍କୁଶ ଟିକିଏ ଇତସ୍ତତଃ ହୋଇ ପଡ଼ିଲେ । ଉତ୍ତରପାଇଁ ପ୍ରସ୍ତୁତ ହେଲାବେଳକୁ ରାଜା ତାଙ୍କୁ ସଂଯତ ରହିବାପାଇଁ ଆଦେଶ ଦେଇ କହିଲେ, ‘‘ବାସ୍ତବିକ, ଆପାଜି, ତୁମେ ତ୍ରିକାଳଦର୍ଶୀ, ମହାପଣ୍ଡିତ ତୁମରି ବୁଦ୍ଧିର କୌଶଳ ଉପରେ ଯୁଦ୍ଧର ଫଳାଫଳ ନିର୍ଭର କରେ ।’’

 

ଅଙ୍କୁଶ–ମହାରାଜ ତ ସର୍ବଦା ମନ୍ତ୍ରୀଙ୍କ ଉପଦେଶରେ ବଶୀଭୂତ ।

 

‘‘ରାଜା–ଶାନ୍ତ ହୁଅ, ଅଙ୍କୁଶ । ବୃଥା ଆସ୍ପର୍ଦ୍ଧା ଓ ଆସ୍ଫାଳନରେ ଫଳ କ’ଣ ? ବର୍ତ୍ତମାନ କ’ଣ କରାଯିବ ଆଲୋଚନା କର ।’’

 

ଜ୍ୟୋତିର୍ବିଦ୍ ରଙ୍ଗନାଥ ପଣ୍ଡିତ ହଠାତ୍ କହି ପକାଇଲେ, ‘‘ତେବେ କେଉଁଦିନ, କେଉଁ ମୁହୂର୍ତ୍ତରେ ଯୁଦ୍ଧଯାତ୍ରା ଚଳାଇବାକୁ ହେବ, ନିରୂପଣ କରନ୍ତୁ ।’’

 

ମନ୍ତ୍ରୀ ଡିମାରାଜଙ୍କ ମୁଖରେ ହାସ୍ୟର କ୍ଷୀଣରେଖା ଫୁଟି ଉଠିଲା । ସେ କହିଲେ, ‘‘ଭଟ୍ଟ ମହାଶୟ ତାଙ୍କ ବିଚକ୍ଷଣତା ଏଣିକି ଦେଖାଇବା ଦରକାର ।’’

 

“ମହାରାଜ, ଆଉ ଦୁଇଦିନ ବିଳମ୍ବ କଲେ ଭଲ ତା’ର ଚନ୍ଦ୍ର ଶୁଦ୍ଧି ହେବ ନାହିଁ । କାଲି ଅଷ୍ଟମୀ । ପାଠ କହିଲା, ‘ଅଷ୍ଟମୀ, ପୂର୍ଣ୍ଣମୀ ଦିବାଂ ଚ ବିଷ୍ଟି ।’ ପୁଣି ନବମୀରେ ମଧ୍ୟ ସେ ଦିଗକୁ ଯାତ୍ରା ନିଷିଦ୍ଧ । ଅତଏବ ଦଶମୀ ପ୍ରଶସ୍ତ । ସେହିଦିନ ସର୍ବ ଶୁଭ ।’’

 

ରାମଜାନ୍ ତା’ର ପ୍ରତିବାଦ କରି କହିଲେ, ‘‘ସାବାସ୍, ଏଇତ ସର୍ବନାଶର ମୂଳ । ଶତ୍ରୁପକ୍ଷ ଆୟୋଜନ କରିବାଲାଗି ଢେର୍ ସମୟ ।’’

 

ହଠାତ୍ କୃଷ୍ଣଦେବ ରାୟ ସଭାସ୍ଥଳ ପରିତ୍ୟାଗ କଲେ । ଜୟଲାଭ ନିମିତ୍ତ ଶିବିର ମଧ୍ୟରେ ନାନାପ୍ରକାର ଦେବାରାଧନାର ଯୋଗାଡ଼ କରାଗଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ସମୟ କାହାରି ଅପେକ୍ଷା କରେ ନାହିଁ । ଆଜି ଜ୍ୟେଷ୍ଠ ଶୁକ୍ଳ–ଦଶମୀ । ଉଭୟ ଶିବିରରେ ତୁମୂଳ ରଣସଜ୍ଜା । ବିପୁଳ ଜନତାର କୋଳାହଳ, ଯୁଦ୍ଧାସ୍ତ୍ରର ରଣଝଣ ଶବ୍ଦ, ରଣବାଦ୍ୟର କରାଳ–ନିନାଦ, ଘୋଟକଗଣର ହ୍ରେଷାରବ, ହସ୍ତୀଗଣର ଭୀଷଣ ଗର୍ଜନରେ ଆକାଶପାତାଳ ଧ୍ଵନିତ ।

 

ଅତି ପ୍ରତ୍ୟୁଷରୁ ବାରବାଟୀ ଦୁର୍ଗର ବିଶାଳ ତୋରଣ ଫିଟାଇ ଦିଆଗଲା । ମହାନଦୀର ପ୍ରବଳ ବନ୍ୟା ଜଳ ମାଡ଼ି ଆସିଲା ପରି, ରାଶି ରାଶି ଅଶ୍ଵ, ଗଜ, ସୈନ୍ୟ ‘‘ଜୟ ଜଗନ୍ନାଥଙ୍କର ଜୟ’’, ‘‘ମହାରାଜ ପ୍ରତାପରୁଦ୍ରଙ୍କର ଜୟ" ରବରେ ଦିଗନ୍ତ ଚମକିତ କରି ଦେଲେ । ବୀର ବାଦ୍ୟ ବାଜି ଉଠିଲା । ସେନାଗଣର ଶାଣିତ ତରବାରି ସୂର୍ଯ୍ୟ କିରଣ ସଂପାତରେ ଝଲସି ଉଠିଲା । ପ୍ରଥମରେ ପଦାତିକ, ତା’ ପଛକୁ ଅଶ୍ଵାରୋହୀ ସୈନିକବୃନ୍ଦ, ଶେଷରେ ଗଜାରୋହୀ ଦଳଦଳ ହୋଇ ବାହାରି ପଡ଼ିଲେ । ଇତିପୂର୍ବରୁ ମଧ୍ୟ ସ୍ଥାନେ ସ୍ଥାନେ ଭୂଗର୍ଭରେ ସୁଡ଼ଙ୍ଗମାନ ଖୋଳାଯାଇଥିଲା । ସେଥିରେ ସୈନିକ ବର୍ଗ ପ୍ରଚ୍ଛନ୍ନ ଭାବରେ ଅବସ୍ଥାନ କରିଥିଲେ ।

 

ଏଣେ ଶତ୍ରୁ ଶିବିରରେ ମଧ୍ୟ ସେହିପରି ବିପୁଳ ଆୟୋଜନ, ଭୀଷଣ କୋଳାହଳ । ଉଭୟ ପକ୍ଷ ଭାଗ୍ୟ ପରୀକ୍ଷା ନିମିତ୍ତ ସମର କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ଅବିରତ ଅଜସ୍ର ଧାରାରେ ଶର ବୃଷ୍ଟି, ଆଗ୍ନେୟାସ୍ତ୍ରର ଯାତାୟାତ ଚାଲିଲା । ସହସ୍ର ସହସ୍ର, ସୈନିକ ମୃତ୍ୟୁଶଯ୍ୟାରେ ଶାୟିତ ହେଲେ । ମୁମୂର୍ଷୁର ବିକଟ ଚିତ୍କାର, ବିକଳାଙ୍ଗ ସୈନିକଗଣର ମର୍ମଭେଦୀ ଆର୍ତ୍ତନାଦରେ ଯୁଦ୍ଧକ୍ଷେତ୍ର ପରିପୂର୍ଣ୍ଣ ହେଲା । ମଧ୍ୟାହ୍ନ ପର୍ଯ୍ୟନ୍ତ ତୁମୂଳ ସଂଗ୍ରାମ ଚାଲିଲା । କ୍ରମେ କର୍ଣ୍ଣାଟ ସୈନିକଗଣ ହୀନବଳ ହୋଇ ଆସିଲେ । ସେମାନଙ୍କ ମଧ୍ୟରେ ବିଶୃଙ୍ଖଳା ଉପସ୍ଥିତ ହେଲା ।

 

କୃଷ୍ଣଦେବ ରାୟ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ, ସେ ବିଦ୍ୟୁତ୍ ବେଗରେ ଅଶ୍ଵଚାଳନ କରି ବଜ୍ର ନାଦରେ କହି ଉଠିଲେ, ‘‘ସୈନିକବର୍ଗ, ଏହି ଭାଗ୍ୟପରୀକ୍ଷା ଦିବସରେ ତୁମେମାନେ ଦେଶପାଇଁ ଆତ୍ମବଳି ନଦେଲେ ପୂର୍ବ ଗୌରବ ରକ୍ଷା ହୋଇ ପାରିବ ନାହିଁ । ଚିରକାଳ କେହି ହେଲେ ଦେହ ଧରି ରହିନାହିଁ । ଦେଶ ରକ୍ଷା କରିବାକୁ ଯାଇ ପିତୃ ପିତାମହଙ୍କ ଗରିମାମୟ କୀର୍ତ୍ତିରାଶିର ମହତ୍ତ୍ଵ ପ୍ରଖ୍ୟାପନ କରିବାକୁ ଯାଇ, ତୁମ୍ଭେମାନେ ପଶ୍ଚାତ୍‍ପଦ ହେଉଛ ? ଧିକ୍ ତୁମ୍ଭର ବୀରତ୍ଵ !’’

 

ଏହି ଅପୂର୍ବ ଉତ୍ସାହ–ବାଣୀ ଭୀମ ବେଗରେ ପ୍ରତ୍ୟେକ ସୈନିକର ହୃଦୟ ପ୍ରୋତ୍ସାହିତ କରିଦେଲା । ସେମାନେ ଆତ୍ମବଳି ଦେବାପାଇଁ ପ୍ରସ୍ତୁତ ହେଲେ । ଦେଖୁଦେଖୁ କର୍ଣ୍ଣାଟର ସୈନ୍ୟ ସଂଖ୍ୟା କମି ଆସିଲା । ଓଡ଼ିଆର ଭୀଷଣ ଶରାଘାତରେ ଅନେକ ସୈନିକ ଧରାଶାୟୀ ହେଲେ । ତଥାପି କୃଷ୍ଣଦେବ ରାୟଙ୍କର ସେହି ବଜ୍ରଗମ୍ଭୀର ବୀରବାଣୀରେ ଯୁଦ୍ଧକ୍ଷେତ୍ର, ନିନାଦିତ ହୋଇ ପଡ଼ୁଥାଏ । ପ୍ରତାପରୁଦ୍ର ମଧ୍ୟ ଅସୀମ ରଣକୌଶଳ ପ୍ରୟୋଗ କରି ଶତ୍ରୁ ପ୍ରତି ଅଗ୍ରସର ହେଉଥିଲେ-। ହଠାତ୍ ଭୂଗର୍ଭସ୍ଥ ସୈନ୍ୟଦଳ ଶର ବୃଷ୍ଟି କଲେ । ଏଥିରେ ଶତ୍ରୁପକ୍ଷ ପ୍ରମାଦ ଗଣିଲେ ସତ୍ୟ; ମାତ୍ର ସୂର୍ଯ୍ୟାସ୍ତ ହୋଇ ଆସିବାରୁ ଉଭୟ ପକ୍ଷ ବିଶ୍ରାମ ନିମିତ୍ତ ଶିବିରକୁ ଗମନ କଲେ ।

 

ଯୁଦ୍ଧ ଯେପରି ଗତିରେ ଚାଲିଥିଲା, ତଦ୍ଦ୍ଵାରା ଓଡ଼ିଆର ବିଜୟ ଅନୁମାନ କରାଯାଉଥିଲେ ସୁଦ୍ଧା, ନିୟତିର ସେହି ବିଚିତ୍ର ଗତି କିଏ ରୋଧିପାରେ ? ନିମିଷମାତ୍ରେ ସ୍ଵପ୍ନାତୀତ କଳ୍ପନାର ବହିର୍ଭୂତ ଘଟଣା ଯେ ଘଟିବ, ତାହା କେହି ହେଲେ ଭାବି ପାରି ନଥିଲେ । ଚତୁର୍ଦ୍ଦିଗରେ ଯୁଦ୍ଧର ଏ ଘଟନାବଳି, ଓଡ଼ିଆ ବୀରଗଣର ପ୍ରଶଂସା, ଶତ୍ରୁ, ସୈନ୍ୟର ପୃଷ୍ଟ ଭଙ୍ଗ ଇତ୍ୟାଦି ବିଷୟ ଲୋକେ ସମାଲୋଚନା କରିବାକୁ ଲାଗିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

‘‘ବାସ୍ତବିକ ଆପାଜି, ଏ ଯୁଦ୍ଧରେ ଆଉ କିଛି ଆଶା ନାହିଁ । ସୈନ୍ୟଗଣ ଦୁର୍ବଳ, ଖାଦ୍ୟରାଶିର ଅଭାବ, ସୁତରାଂ ଜୟ ଲାଭ ଆଶା ବୃଥା । ତୁମର ସତ୍ ପରାମର୍ଶ ଗ୍ରହଣ ନକରି ମୁଁ ବର୍ତ୍ତମାନ ଘୋର ଅନୁତାପ କରୁଛି । ଏହି ମୁଷ୍ଟିମେୟ ସେନା ସାହାଯ୍ୟରେ ଓଡ଼ିଶା ପ୍ରତି ଅଭିଯାନ ଚଳାଇବା କିପରି ମୂର୍ଖତା, ଏତେ ଦିନେ ବୁଝିପାରୁଛି । ଓଡ଼ିଆର ସୈନ୍ୟ ସଂଖ୍ୟା ଢେର୍ ବେଶୀ, ଯୁଦ୍ଧ କୌଶଳ ଆହୁରି ବିସ୍ମୟକର । ତୁମ ଭଳି ସୁବିଜ୍ଞ ସଚିବ ଥାଉଁଥାଉଁ ଏ ଘୋର ବିପଦ ମଧ୍ୟରେ ମୁଁ ବର୍ତ୍ତମାନ ମ୍ରିୟମାଣ । ଉପାୟ ଉଦ୍ଭାବନ କର, ନଚେତ ରକ୍ଷା ନାହିଁ ।’’

 

“କ୍ଷତ୍ରିୟ ପ୍ରାଣରେ ନିରୁତ୍ସାହ–ବୀର ପ୍ରାଣରେ କାତରତା କ’ଣ–ତୁମେ ବାଳକ ନା ବାତୁଳ ? କି ଛାର ଯୁଦ୍ଧଟାଏ ଯେ ସେଥିପାଇଁ ଭୟ–ଶତ୍ରୁ ହସିବ । ସୈନ୍ୟଦଳ ନିରୁତ୍ସାହ ହେବେ, ସାବଧାନ । ବର୍ତ୍ତମାନ କାତର ହେବାର ସମୟ ନୁହେଁ, କର୍ତ୍ତବ୍ୟର କଠୋର ଆହ୍ୱାନ ଶ୍ରବଣ କରି ନିଶ୍ଚେଷ୍ଟ ହୁଅନ୍ତୁ ନାହିଁ ।

 

‘‘କି କର୍ତ୍ତବ୍ୟ ଆଉ ମୋର । ସବୁ ଚିନ୍ତା ସବୁ କଳ୍ପନା ଚୂର୍ଣ୍ଣୀଭୂତ ହୋଇଛି । ବର୍ତ୍ତମାନ କେବଳ ଅନୁତାପ ।’’ ‘‘ପୂର୍ବରୁ ତ ଏ ସମସ୍ତ ବିଷୟ ଚିନ୍ତା କରି ପରିଣାମ କ’ଣ ହେବ କହିଛି । ତେବେ ନିରାଶାର କୌଣସି କାରଣ ନାହିଁ । ଶତ୍ରୁକୁ ବରାବର ପରାସ୍ତ କରିବାକୁ ହେବ । ବଳରେ ନହେଲା ତ କୌଶଳର କ’ଣ ଅଭାବ ଅଛି !’’

 

Unknown

‘‘ତେବେ କି ଉପାୟ ଉଦ୍ଭାବନ କରିଛନ୍ତି ?’’

 

‘‘ପ୍ରତାପରୁଦ୍ର ବଡ଼ ଶାନ୍ତିପ୍ରିୟ, ସରଳ ଓ ସଂସାର ବିରାଗୀ । ସେ ଯୁଦ୍ଧ କରିବାପାଇଁ ଇଚ୍ଛୁକ ନୁହନ୍ତି । କେବଳ ରାଜକୀୟ ବିଧିର ଅବମାନନା ହେବ ବୋଲି, ସେ ଅସ୍ତ୍ର ଧାରଣ କରିଛନ୍ତି-। ମାତ୍ର ସୈନ୍ୟ ପରିଚାଳନ ପାତ୍ରମାନଙ୍କ ହସ୍ତରେ ଅର୍ପିତ ହୋଇଅଛି । କୌଶଳ କ୍ରମେ ରାଜା ଓ ପାତ୍ରମାନଙ୍କ ମଧ୍ୟରେ ଅବିଶ୍ୱାସ ଜନ୍ମାଇପାରିଲେ ଆମ୍ଭମାନଙ୍କର ଆଶା ଫଳବତୀ ହେବ-। ସେଥିପାଇଁ ପ୍ରତ୍ୟେକ ପାତ୍ରଙ୍କ ନିକଟକୁ ବହୁମୂଲ୍ୟ ଉପହାରମାନ ପଠାଇ ପତ୍ରଦ୍ୱାରା ଜଣାଇବାକୁ ହେବ ଯେ, ପ୍ରତାପରୁଦ୍ରଙ୍କୁ ଧରାଇଦେଲେ ସେମାନେ ଅଙ୍ଗୀକୃତ ରାଜ୍ୟ ଧନରତ୍ନ ପାଇପାରିବେ-।’’ ଧନ୍ୟ ଆପାଜି, ଧନ୍ୟ ତୁମର ଚତୁରତା ! ନୋହିଲେ କି କର୍ଣ୍ଣାଟ ନରପତି ତୁମର ପାଦ ପୂଜା କରୁଥାନ୍ତେ । ଶିବିର ମଧ୍ୟରେ କୃଷ୍ଣଦେଦ ରାୟ ଓ ମନ୍ତ୍ରୀ ଡିମାରାଜ ଏହିପରି ମନ୍ତ୍ରଣା କରି ପ୍ରସ୍ତାବମତେ ସମସ୍ତ ବନ୍ଦୋବସ୍ତ କଲେ ।

 

ଷୋଡ଼ଶ ଗୋଟି ପେଟିକାରେ ବହୁମୂଲ୍ୟ ଅଳଙ୍କାର ଓ ନାନାବିଧି ପୋଷାକ ପରିପୂର୍ଣ୍ଣ କରି ଦିଆଗଲା । ପ୍ରତ୍ୟେକ ପେଟିକାପାଇଁ ଜଣେ ଜଣେ ସୈନିକ ବାହକରୂପେ ନିଯୁକ୍ତ ହେଲେ । ସେମାନଙ୍କ ହାତରେ ରାଜା କୃଷ୍ଣଦେବ ରାୟଙ୍କ ସ୍ଵାକ୍ଷର ସହିତ ପତ୍ର ଖଣ୍ଡିଏ ଖଣ୍ଡିଏ ମଧ୍ୟ ଦିଆଯାଇଥିଲା । ଜ୍ୟେଷ୍ଠ ମାସର ଚନ୍ଦ୍ର ରଜନୀ । ଆକାଶରେ ଆଦୌ ମେଘ ନାହିଁ । ଧୀରେ ଧୀରେ ପବନ ଅବାରିତ ଗତିରେ ବହୁଛି । ମହାରାଜ ପ୍ରତାପରୁଦ୍ର ଶିବିର ବାହାରେ ଏକାକୀ ବସିଛନ୍ତି । ପରଦିନ କିପରି ଯୁଦ୍ଧ ଚଳାଇବାକୁ ହେବ ସେଇ ଭାବନାରେ ସେ ବ୍ୟସ୍ତ । କିଛି ଦୂରରେ ଜଣେ ପ୍ରହରୀ ପଦଚାରଣ କରୁଛି । ହଠାତ୍ ପ୍ରହରୀ କହିଲା, ‘‘ହୁସିଆର ?’’

 

ଗଜପତି ହଠାତ୍ ସେହି ଆଡ଼କୁ ଦୃଷ୍ଟି ଫେରାଇଲେ । ଦେଖିଲେ ପ୍ରହରୀ ଚିତ୍କାର କରି କେତେଗୁଡ଼ିଏ ଲୋକଙ୍କୁ ଅଟକାଇ ରଖିଛି । ପଚାରିଲେ, ‘‘ସେମାନେ କିଏସେ ଗଣେଶ ।’’

 

ଗଣେଶ ଉତ୍ତର କଲା–‘‘ଶତ୍ରୁପକ୍ଷର ବାର୍ତ୍ତାବହ, ମହାରାଜ ! ଛଦ୍ମବେଶରେ ଏଠାକୁ ଆସିଛନ୍ତି, ଆମ୍ଭମାନଙ୍କର ଗତିବିଧି ଲକ୍ଷ୍ୟ କରି ।’’

 

‘‘ଏଠାକୁ ଘେନି ଆସ ଶୀଘ୍ର’’

 

ପ୍ରହରୀ ମହାରାଜଙ୍କ ଆଦେଶ ପାଳନ କଲା । ସମସ୍ତେ ପ୍ରତାପରୁଦ୍ରଙ୍କ ସମୀପକୁ ଗଲେ । ଗଜପତି ପ୍ରଶ୍ନ କଲେ, ‘‘ତୁମ୍ଭେମାନେ କିଏ ? କି ନିମିତ୍ତ ଏ ରାତ୍ରିରେ ଏଠାକୁ ଆସିଥିଲ ?’’

 

“କର୍ଣ୍ଣାଟ ରାଜା କୃଷ୍ଣଦେବ ରାୟଙ୍କ ସହିତ ଓଡ଼ିଶାର ପାତ୍ରମାନଙ୍କର ସଦ୍‍ଭାବ ଅଛି । ରାଜା ସେମାନଙ୍କଠାରୁ ପତ୍ର ଖଣ୍ଡିଏ ଖଣ୍ଡିଏ ଦେଇ ଏ ଉପହାର ପଠାଇଛନ୍ତି ।’’

 

ଗଜପତି ବିସ୍ମିତ ହୋଇ ପଡ଼ିଲେ, ତାଙ୍କ ମନରେ ଆଶଙ୍କା, ଅବିଶ୍ଵାସ ଓ ଧୈର୍ଯ୍ୟହୀନତାର ପ୍ରବଳ ବାତ୍ୟାବର୍ତ୍ତ ସୃଷ୍ଟି ହେଲା । ସେ ଦୀର୍ଘ ନିଃଶ୍ଵାସ ତ୍ୟାଗ କରି କହିଲେ, ‘‘ତେବେ କାହିଁ ସେ ପତ୍ର !’’ ‘‘ନିଅନ୍ତୁ” ବୋଲି ଜଣେ କେହି ଖଣ୍ଡିଏ ପତ୍ର ଗଜପତିଙ୍କ ଶ୍ରୀହସ୍ତକୁ ବଢ଼ାଇ ଦେଲା; ପ୍ରତାପରୁଦ୍ର ଉତ୍କଣ୍ଠା ସହିତ ପତ୍ର ପାଠ କଲେ :–

 

ପ୍ରିୟ ପାତ୍ର, ମହାଶୟ

 

ଆପଣଙ୍କ ପ୍ରସ୍ତାବରେ ମୁଁ ବରାବର ଏକମତ । ଯଦି ଆପଣ ଓ ଆପଣଙ୍କ ବନ୍ଧୁମାନେ ପ୍ରତାପରୁଦ୍ରଙ୍କୁ ଉପଯୁକ୍ତ ଭାବରେ ଧରାଇ ଦିଅନ୍ତି, ତେବେ ସ୍ଵୀକୃତ ଧନରତ୍ନ ଓ ଗ୍ରାମମାନ ଦେବାଲାଗି ମୁଁ କଦାପି କୁଣ୍ଠିତ ହେବି ନାହିଁ । ଆଶା କରେ ଆପଣମାନେ ଏଥିରେ ଏକମତ ହେବେ-। ଇତି ।

 

ଶୁଭାକାଂକ୍ଷୀ

ଶ୍ରୀ କୃଷ୍ଣଦେବ ରାୟ

 

ପତ୍ର ପାଠ ସଙ୍ଗେ ସଙ୍ଗେ ଗଜପତି ପ୍ରମାଦ ଗଣିଲେ । ପାତ୍ରମାନେ ଅଲକ୍ଷିତ ଭାବରେ ଏପରି ଷଡ଼ଯନ୍ତ୍ର କରି ତାଙ୍କୁ, ଶତ୍ରୁ–ଶିବିରକୁ ବନ୍ଦୀ ଭାବରେ ପ୍ରେରଣ କରିବେ, ଏ ବିଷୟ ଚିନ୍ତା କରି ସେ ବାହ୍ୟଜ୍ଞାନ ଶୂନ୍ୟ ହୋଇ ପଡ଼ିଲେ । ଭାବିଲେ, ‘‘ସତେ ପାତ୍ରମାନଙ୍କର ଏ ଚକ୍ରାନ୍ତ ! କି ଅବିଶ୍ଵାସ ! ପ୍ରଭୁଦ୍ରୋହୀମାନଙ୍କର ସ୍ଥାନ କେଉଁ ନରକରେ ? ଦେଶଦ୍ରୋହୀ, କୁଳାଙ୍ଗାର, ତୁମେ ପରା ଓଡ଼ିଆ–ତୁମ ଧମନୀରେ ପରା ଓଡ଼ିଆର ସେହି ବୀର–ରକ୍ତ ପ୍ରବାହିତ ହେଉଛି ? ତୁମ ଭଳି ବିଶ୍ୱାସଘାତକ, ଧୂର୍ତ୍ତଶିରୋମଣିମାନଙ୍କୁ ଧରି ମୁଁ ଏ ବିଶାଳ ସାମ୍ରାଜ୍ୟ ଶାସନ କରିବି ? ହାୟ, ପାପିଷ୍ଠଗଣଙ୍କର ଆସ୍ପର୍ଦ୍ଧା ତ କମ୍ ନୁହେଁ ! ଭାବିଛ ବର୍ବରଗଣ, ଗଜପତିକୁ ବନ୍ଦୀ କରି ଶତ୍ରୁହସ୍ତରେ ଅର୍ପଣ କରିବ–ନା, କଦାପି ହେବ ନାହିଁ । ଯାଅ ଦୂତଗଣ, ତୁମେମାନେ ସେହି ଗନ୍ତବ୍ୟ ପଥରେ ।’’

 

ସମସ୍ତେ ପ୍ରସ୍ଥାନ କଲେ । ପ୍ରତାପରୁଦ୍ର ଚିନ୍ତାନ୍ଵିତ ହୋଇ ଶିବିର ମଧ୍ୟକୁ ଗମନ କଲେ । ଯନ୍ତ୍ରଣାରେ ଛଟପଟ ହୋଇ ରାଜାଙ୍କୁ ଆଉ ସୁନିଦ୍ରା ହେଲା ନାହିଁ । ତେଣୁ ସେ ଆତ୍ମଗୋପନ କରିବାଲାଗି କଟକ ଅଦୂରବର୍ତ୍ତୀ ଅରଣ୍ୟ ପ୍ରଦେଶସ୍ଥ ‘ଚୂଡ଼ଙ୍ଗ ଦହ’ ନିକଟକୁ ପଳାୟନ କଲେ । ଧୂର୍ତ୍ତଶିରୋମଣି ଡିମାରାଜଙ୍କ ଆକାଂକ୍ଷା ପୂର୍ଣ୍ଣ ହେଲା ।

Image

 

ପଞ୍ଚଦଶ ପରିଚ୍ଛେଦ

 

‘‘ମାଆ ମୋର, କୁଳର ଲକ୍ଷ୍ମୀଟି । ତୁ କାହିଁକି ସବୁ ଦିନେ ଏପରି ଶୁଖିଲା ମୁହଁରେ ଚିନ୍ତା କରୁଛୁ ? ତୋର କ’ଣ ଅଭାବ ହେଲା କହୁନାହୁଁ ? ସବୁ ଦିନେ ଝିଅର ମା’ ପାଖେ ଗୋଟାଏ ଲାଜ କ’ଣ ?’’

 

“ନାଇଁ ମା’, ରାଜ୍ୟରେ ଏ ବିପତ୍ତି, ଗୋଳମାଳ । ଏଥିରେ ମନ କ’ଣ ଭଲ ରହିବ ?’’ ‘‘ସେ ଗୋଳମାଳ ଲାଗି ତୋର କି ଦୁଃଖ ? ମିଛରେ ମତେ ଭୁଲାଇ ଦେଉଛୁ । ମା’ ମୋର, ତୋ ମନ କାହିଁକି ଖରାପ ହୋଇଛି, ସତ କହିଲୁ ?’’

 

‘‘କାଲି ରାତିରେ ଗୋଟାଏ ଦୁଃସ୍ଵପ୍ନ ଦେଖିଲି । ସେତିକିବେଳୁ ମନଟା ଘାଣ୍ଟି ହେଉଛି । ସତେ ମୋର ଦୁର୍ଦ୍ଦଶା–’’ ବୋଲି କହି ପକାଇ ଉତ୍କଳ–ରାଜକୁମାରୀ ଅନ୍ନପୂର୍ଣ୍ଣା କ୍ରନ୍ଦନ କରିବାକୁ ଲାଗିଲେ ।

 

ମହିଷୀ କନ୍ୟାର ଏ ଅବସ୍ଥାରେ ସମବେଦନା ପ୍ରକାଶ କରି କହିଲେ, ‘‘ସ୍ଵପ୍ନ ଦେଖିଲୁ, ସ୍ଵପ୍ନ ପୁଣି ଗୋଟାଏ ସତ କଥା ? ତୁଚ୍ଛା ମିଛଟାକୁ କିଆଁ ଭାବୁମ ? ଥୟ ହୁଅ, ମା’ ମୋର–ତୁ ପାଠଶାଠ ପଢ଼ି କ’ଣ ବାଇଆଣୀ ପାଲଟି ଯିବୁ କି ?’’

 

‘‘କ’ଣ କହିବି ମା’ ସେ କଥା–ଏବେ ସୁଦ୍ଧା ମନେ ପଡ଼ିଲେ ରୋମ ଟାଙ୍କୁରି ଉଠୁଛି । ଆପାଦମସ୍ତକ ଥରି ଯାଉଛି । ଜଣେ ବୀରପୁରୁଷ ଶାଣିତ କୃପାଣ ହସ୍ତରେ ମୋର ଅନୁସରଣ କରିଛନ୍ତି । ଆଉ ମୁଁ ପ୍ରାଣ ରକ୍ଷା କରିବାଲାଗି କେତେ ନଦୀ, ପର୍ବତ, ପ୍ରାନ୍ତର, ଉଦ୍ୟାନ, ଶସ୍ୟକ୍ଷେତ୍ର, ଅତିକ୍ରମ କରି ଚାଲିଛି । ଅନେକ ପଥ ଅଗ୍ରସର ହେବାପରେ ଦେଖିଲି, ଆଉ ସେହି ବୀରପୁରୁଷ ନାହାନ୍ତି, ଜଣେ ଅପରିଚିତ ଦୀର୍ଘକାୟ ଯୁବାପୁରୁଷ ମୋ ଗଳାରେ ଗୋଟିଏ ମନୋହର ସୁବାସିତ ପୁଷ୍ପହାର ଲମ୍ବାଇ ଦେଉଛନ୍ତି । ସେତିକିବେଳୁ ମୋ ମନରେ ଭାରି କଷ୍ଟ ହେଉଛି । ଏ କ’ଣ ମା’ ମଙ୍ଗଳ କି ଅମଙ୍ଗଳ ?’’

 

‘‘ଏଥିରେ ଅମଙ୍ଗଳ ନାହିଁ କି ମଙ୍ଗଳ ନାହିଁ । ସ୍ଵପ୍ନ ଗୋଟାଏ କିଛି କଥା ନୁହେଁ । ମନ ଚିନ୍ତାଗ୍ରସ୍ତ ହେଲେ ଲୋକେ ସ୍ଵପ୍ନ ଦେଖନ୍ତି । ଛାଡ଼ ସେ ସବୁ କଥା । ଅକାରଣ ଚିନ୍ତାରୁ ମନକୁ ଫେରାଇଆଣ ।’’

 

“ନାହିଁ ମା’, ମୋ ମନ ତ କାହିଁକି ଭାରି ଖରାପ ହେଉଛି ।’’

 

“ତେବେ ପୁରୋହିତଙ୍କୁ ଡାକି ଆଣିବାପାଇଁ ବନ୍ଦୋବସ୍ତ କରୁଛି । ତୁ ଆଉ ମନ ଖରାପ କରନା ।’’

 

ରାଣୀ ପ୍ରସ୍ଥାନ କଲେ । ମାତ୍ର ଅବନତମୁଖୀ ଅନ୍ନପୂର୍ଣ୍ଣା ସେହିଠାରେ ଚିନ୍ତା କରି ବସିଲେ-। ହଠାତ୍ ବୃଦ୍ଧା ଯଶୋଦା ସେଠାକୁ ଆସି କହିଲା, ‘‘ସବୁ ଶୁଣିଛି ଯେ–ଏଥିରେ ତ ତୁମର କିଛି ଅମଙ୍ଗଳ ନାହିଁ ଜେମାମଣି, ଯେଉଁ ପୁରୁଷଟି ତୁମ ଗଳାରେ ଫୁଲମାଳ ଲମ୍ବାଇ ଦେଲେ, ସେ ତୁମର ସ୍ଵାମୀ ହେବେ, ଏତେ ଭାବୁଛ କିଆଁ ? ଅନ୍ୟ କାମରେ ଲାଗିଯାଅ, ବୁଢ଼ୀକୁ ପଛେ ମନେ କରିବ ଯେ !’’

 

ଅନ୍ନପୂର୍ଣ୍ଣା ତା’ ଆଡ଼କୁ ମୁଖ ଫେରାଇଲେ ସତ, ମାତ୍ର ଲଜ୍ଜାରେ ଆଉ କିଛି କହି ପାରିଲେ ନାହିଁ ।

Image

 

ଷୋଡ଼ଶ ପରିଚ୍ଛେଦ

 

ପ୍ରଭାତ ସମୟ । ରାତ୍ରି ଯିବା ସଙ୍ଗେ ସଙ୍ଗେ ଦିବସର ଆଗମନ । ତାମସୀ ଅନ୍ତର୍ହିତ ହେବାମାତ୍ରେ ଉଷା ହସି ଉଠିଲେ । ତାଙ୍କ ଶୁଭାଗମନର ଆଡ଼ମ୍ବରରେ ପୃଥିବୀ ପୂରି ଉଠିଲା । ବିହଙ୍ଗମର ମଧୁର ସଙ୍ଗୀତ, ପତ୍ରର ମରମର ଶବ୍ଦ, ପୁଷ୍ପରାଶିର ମନୋରମ ସୁବାସ, ଏ ସବୁ ଉଷାର ପୂର୍ବ ସଙ୍କେତ । ଦିବସର ଆଗମନରେ ନରନାରୀ ଆନନ୍ଦ ବିହ୍ୱଳ ହୋଇ ପଡ଼ିଲେ ।

 

କାଠଯୋଡ଼ି ତୀରସ୍ଥ ଶିବିରର ତୋରଣ ଫିଟାଇ ଦିଆଗଲା । ଆଜି ପୁଣି ଶତ୍ରୁ ସହିତ ଭାଗ୍ୟ ପରୀକ୍ଷା କରିବାକୁ ହେବ । ସେଥିପାଇଁ ସୈନ୍ୟସେନା ସଜ୍ଜିତ ହେଲେ । ପାତ୍ରଗଣ, ସେନାପତି ଓ ସାମନ୍ତ ମଣ୍ଡଳୀ ଗଜପତିଙ୍କୁ ପ୍ରତୀକ୍ଷା କରିବାକୁ ଲାଗିଲେ । ମାତ୍ର ଗଜପତି କାହାନ୍ତି-? ହଠାତ୍ ସମସ୍ତେ ଶୟନ ମନ୍ଦିର ନିକଟରେ ସମବେତ ହେଲେ । ପଲଙ୍କ ଶୂନ୍ୟ ଗୃହଟି ଏପର୍ଯ୍ୟନ୍ତ ଆଲୋକିତ, ମାତ୍ର ମହାରାଜ ଅନୁପସ୍ଥିତ । ଯୁଗପତ୍ ବିସ୍ମୟର ଗୋଟିଏ ଗଭୀର ଛାୟା ମାଡ଼ିଗଲା-। ସମସ୍ତେ ଚତୁର୍ଦ୍ଦିଗରେ ଅନ୍ଵେଷଣ କରିବାଲାଗି ଦୂତ ପ୍ରେରଣ କଲେ । ମାତ୍ର କୌଣସିଠାରେ ରାଜାଙ୍କର ସନ୍ଧାନ ମିଳିଲାନାହିଁ । ଏତେ ବଡ଼ ସୈନ୍ୟଦଳ ନାୟକ ବ୍ୟତୀତ ପ୍ରମାଦ ଗଣିଲେ-। ସେମାନେ ଆଉ ଯୁଦ୍ଧ କରିବେ କ’ଣ ? ଭବିଷ୍ୟତର ବିଷମ ପରିଣାମ ମନେ କରି ହାୟ ହାୟ କରିବାକୁ ଲାଗିଲେ ।

 

ଅନ୍ତଃପୁରକୁ ସମ୍ବାଦ ପ୍ରେରିତ ହେଲା । ରମଣୀମାନେ ବାତାହତ ସ୍ଵର୍ଣ୍ଣ ଲତାପରି ଭୂଲୁଣ୍ଠିତ ହେଲେ ଏବଂ କେହି କେହି ଶିରଦେଶରେ କରାଘାତ କରି ବିଳାପ କରିବାକୁ ଲାଗିଲେ । ମହିଷୀ ଓ ଜେମା ଅନ୍ନପୂର୍ଣ୍ଣାଙ୍କ ଶୋକର ସୀମା ରହିଲା ନାହିଁ । କଟକବାସୀ ଆବାଳବୃଦ୍ଧବନିତା ପ୍ରତ୍ୟେକଙ୍କ ମନରେ ବିଷାଦ, ଚତୁର୍ଦ୍ଦିଗରେ ହାହାକାର, ଶୋକଧ୍ଵନି ଓ ଆର୍ତ୍ତନାଦ ।

 

ଶତ୍ରୁ ଶିବିରରେ, ଏ ବାର୍ତ୍ତା ପ୍ରଚାରିତ ହୁଅନ୍ତେ ରାଜା କୃଷ୍ଣଦେବ ରାୟ ଆନନ୍ଦରେ ଆତ୍ମବିସ୍ମୃତ ହୋଇଗଲେ । ସେ ମନ୍ତ୍ରୀ ଆପାଜିଙ୍କୁ ଭୁରିଭୁରି ପ୍ରଶଂସା କରି କଟକ ଯାତ୍ରା କଲେ । ଶତ୍ରୁ ଉପସ୍ଥିତ ହୋଇଅଛି ଶୁଣି କଟକବାସୀ ଆହୁରି ବ୍ୟଥିତ ହେଲେ । ସେମାନଙ୍କ ଧନ ଓ ଜୀବନ ବର୍ତ୍ତମାନ ବିପଦ ରାକ୍ଷସ କବଳରେ । ସେମାନେ ଏ ଦୁଃଖ କାହାକୁ କହିବେ ? ଏ ଅସମୟରେ ସେମାନଙ୍କୁ ରକ୍ଷା କରିବ କିଏ ? ଏହି କଥା ଭାଳି ଭାଳି ଘରେ ଘରେ କ୍ରନ୍ଦନର ରୋଳ ଉଠିଲା । ରାଜା କୃଷ୍ଣଦେବ ରାୟ ସମସ୍ତଙ୍କୁ ଅଭୟ ପ୍ରଦାନ କରି ଆଶ୍ଵାସନା ଦେଇଥିଲେ । ତଥାପି ପ୍ରଜାଗଣ, ଭୀତ, ତ୍ରସ୍ତ ଓ ବିଚଳିତ ।

 

ଏଣେ ମନ୍ତ୍ରୀଙ୍କ ସହିତ କୃଷ୍ଣଦେବ ରାୟ ମନ୍ତ୍ରଣାରେ ବ୍ୟସ୍ତ, ସେ କ୍ଷୀଣ ହାସ୍ୟ ପରେ କହିଲେ, ‘‘ଆପାଜି, ଆପଣଙ୍କ କୌଶଳ ଯୋଗୁଁ କର୍ଣ୍ଣାଟର ଗୌରବ ଅକ୍ଷୁଣ୍ଣ ରହିଅଛି । ସେଥିଲାଗି ଆପଣଙ୍କୁ କୋଟି କୋଟି ଧନ୍ୟବାଦ । ଆମ୍ଭେମାନେ ବିଜୟୀ ନହେଲେ ମଧ୍ୟ ଯୁଦ୍ଧରେ ପରାଜୟ ସ୍ଵୀକାର କରି ନାହୁଁ । ବର୍ତ୍ତମାନ ଯୁଦ୍ଧ ଚଳାଇ କ୍ଷତିଗ୍ରସ୍ତହେବା ମୋର ଇଚ୍ଛା ନୁହେଁ । ବରଂ ଗଜପତିଙ୍କ ସହିତ ସନ୍ଧି ସ୍ଥାପନ କଲେ ମଙ୍ଗଳ ।’’

 

“ମୁଁ ସେଥିଲାଗି ପ୍ରସ୍ତୁତ ଅଛି । କେବେ କିପରି ଭାବରେ ସନ୍ଧି କରିବାକୁ ହେବ, ତାହା ଭାବିବାର କଥା ।’’

 

ଆଉ ଭାବୁଛନ୍ତି କ’ଣ, ସମସ୍ତ ବିଜିତ ପ୍ରଦେଶ ଫେରାଇ ଦେବାଲାଗି ମୋର ଇଚ୍ଛା । ମାତ୍ର ପ୍ରତାପରୁଦ୍ର ତାଙ୍କ ପରମ ରୂପବତୀ, ସର୍ବଗୁଣାଳଙ୍କୃତା ଜେମା ଅନ୍ନପୂର୍ଣ୍ଣାଙ୍କୁ ମୋତେ ସମର୍ପଣ କରିବାକୁ ଏବଂ ଯବନର ଉଚ୍ଛେଦ ସାଧନ କରିବାକୁ ପ୍ରତିଶ୍ରୁତ ହେବେ ତ ?’’

 

‘‘ମୁଁ ଏ ପ୍ରସ୍ତାବର ପ୍ରତିବାଦ କରୁ ନାହିଁ, ତେବେ କୋଣ୍ଡାବିତୁ ଦୁର୍ଗ କଦାପି ଫେରାଇ ଦେବା ଉଚିତ ନୁହେଁ । ଏଡ଼େ ବଡ଼ ଅଭିଯାନର, ସ୍ମୃତିସ୍ଵରୂପ, ବିଜୟନଗରର ମଙ୍ଗଳ ସକାଶେ କୋଣ୍ଡାବିତୁ ମହାରାଜଙ୍କ ଅଧୀନରେ ରହିବା ଆବଶ୍ୟକ ।’’

 

‘‘ହେଉ, ତୁମେ ବର୍ତ୍ତମାନ ଏ ବିଷୟରେ ଗଜପତିଙ୍କ ସହିତ ପରାମର୍ଶ କର ।’’

 

‘‘ମହାରାଜ ।’’

 

ଡିମାରାଜ ପ୍ରସ୍ଥାନ କଲେ । ଅନୁସନ୍ଧାନ ପରେ ‘‘ଚୂଡ଼ଙ୍ଗ ଦହ’’ ନିକଟରେ ପ୍ରତାପରୁଦ୍ରଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ଶତ୍ରୁକୁ ନିକଟରେ ଦେଖି ଗଜପତି ପ୍ରମାଦ ଗଣିଲେ ସତ୍ୟ, ମାତ୍ର ପରକ୍ଷଣରେ କହି ପକାଇଲେ, ‘‘କର୍ଣ୍ଣାଟ ମନ୍ତ୍ରୀ ଆଜି ଓଡ଼ିଆର ଅତିଥି । ସତ୍କାରପାଇଁ ଏଠାରେ ସବୁ ଅଭାବ । ଅତଏବ କ୍ଷମା ଚାହେଁ ।’’ ଗଜପତିଙ୍କ ସାରଲ୍ୟପୂର୍ଣ୍ଣ ମିଷ୍ଟାଳାପରେ ଡିମାରାଜ ମୁଗ୍ଧ ହେଲେ । ତାଙ୍କ ହୃଦୟରେ ଭାବାନ୍ତର ଉପସ୍ଥିତ ହେଲା । ଏପରି ସରଳ ନିରାଡ଼ମ୍ବରପ୍ରିୟ ନରପତିଙ୍କୁ ଶଠତା ପ୍ରୟୋଗ କରି ବଶୀଭୂତ କରିବା କିପରି ଅପରାଧ ସେ ଉତ୍ତମରୂପେ ଜାଣିପାରିଲେ । ପରେ ଆତ୍ମଗୋପନ କରି କହିଲେ, ‘‘ମହାରାଜଙ୍କର ଏ ଉଦାରତା ଓ ସରଳତା ଯୋଗୁଁ ଅଧୀନ କୃତାର୍ଥ । ବର୍ତ୍ତମାନ କର୍ଣ୍ଣାଟ ରାଜା ଆପଣଙ୍କ ସହିତ ଯୁଦ୍ଧ କରିବାପାଇଁ ଅସମ୍ମତ । ଆଶା କରେ ଆପଣ ତାଙ୍କ ପ୍ରସ୍ତାବରେ ସମ୍ମତ ହୋଇ ସଖ୍ୟ ସ୍ଥାପନ ଲାଗି ଉଦ୍‍ଯୋଗ କରିବେ ।’’

 

‘‘ମୁଁ ସର୍ବଦା ଶାନ୍ତିପାଇଁ ବ୍ୟାକୁଳ । ତେବେ ଏ ଦୁରୂହ ବ୍ୟାପାର ସମାଧାନ ଲାଗି ମୋର ବନ୍ଧୁମାନଙ୍କ ପରାମର୍ଶ ଗ୍ରହଣ ନକରି କିଛି କହି ପାରିବି ନାହିଁ ।’’

 

‘‘ତେବେ ବିଳମ୍ବରେ କିଛି ଆବଶ୍ୟକ ନାହିଁ । ବର୍ତ୍ତମାନ ରାଜଧାନୀକୁ ଆସନ୍ତୁ ।’’

 

ଅନନ୍ତର ଗଜପତି ଡିମାରାଜଙ୍କ ସହିତ କଟକରେ ପଦାର୍ପଣ କଲେ । ରାଜାଙ୍କ ଆକସ୍ମିକ ଆଗମନରେ ପ୍ରଜାବର୍ଗ ଓ ଅନ୍ୟାନ୍ୟମାନେ ପରିତୁଷ୍ଟ ହେଲେ । ପ୍ରସ୍ତାବିତ ସନ୍ଧି ସମ୍ବାଦ ଚତୁର୍ଦ୍ଦିଗରେ ବ୍ୟାପ୍ତ ହେଲା ।

Image

 

ସପ୍ତଦଶ ପରିଚ୍ଛେଦ

 

କଟକବାସୀମାନଙ୍କ ମନରେ ଆଜି କଳ୍ପନା ଜଳ୍ପନାର ସ୍ରୋତ ସୁଖ, ଦୁଃଖର ପ୍ରବଳ ତୋପାନ, ଆଶା ଓ ନୈରାଶ୍ୟର ତୀକ୍ଷ୍ଣ ବାତ୍ୟା ସାହସ ଓ କାତରତା ପ୍ରବଳ ସୃଷ୍ଟି ଚାଲିଛି । କିଏ ଜାଗ୍ରତ, କିଏ ସେ ଚିନ୍ତାରେ ଇତସ୍ତତଃ, କିଏ ଅବା କଳ୍ପନା କରି କରି ନିଦ୍ରିତ । ପ୍ରତାପରୁଦ୍ର, ଜଣେ ସାମାନ୍ୟ ରାଜପୁତକୁ କନ୍ୟା ସମ୍ପ୍ରଦାନ କରି ରାଜ୍ୟ ରକ୍ଷା କରିବେ ? ଏ କ’ଣ କମ୍ ଅପମାନ । ଗଜପତି ବଂଶଧର ପକ୍ଷେ ଏ କ’ଣ କମ୍ ଅପରାଧ ? ବୀର ପ୍ରାଣ ପ୍ରତିହିଂସାରେ ଜଳି ଉଠିଲା । ମାତ୍ର ନିୟତିକୁ କାହାର ଚାରା ଅଛି ।

 

ପ୍ରଭାତ ହେଲା । ଉଷାର ମଧୁର ଅରୁଣିମାନେ ପ୍ରାଚୀଦିଗ୍‍ବଧୂ ହସି ଉଠିଲା । ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଓ ଡିମାରାଜଙ୍କ ମଧ୍ୟରେ ଆଳାପ ଚାଲିଲା, ଖୁବ୍ ଏକାନ୍ତରେ ! ଗୋବିନ୍ଦ ବିଦ୍ୟାଧର କହିଲେ, ‘‘ଆପଣ ଯେଉଁ ସନ୍ଧି ବିଷୟରେ ପ୍ରସ୍ତାବ କରିଛନ୍ତି, ସେ ସମ୍ବନ୍ଧରେ ମୁଁ କିଛି ପ୍ରଶ୍ନ କରିପାରେ କି ?’’

 

‘‘ନିର୍ଭୟରେ କରି ପାରନ୍ତି ।’’

 

‘‘କୃଷ୍ଣଦେବ ରାୟଙ୍କୁ ବର୍ତ୍ତମାନ ବୟସ କେତେ ? ସେ ବିବାହିତ ନା ଅବିବାହିତ ?’’

 

‘‘ମହାରାଜ ବର୍ତ୍ତମାନ ତ୍ରିଂଶବର୍ଷରେ ପଦାର୍ପଣ କରିଛନ୍ତି । ସେ ଇତିପୂର୍ବରୁ ଦୁଇ କନ୍ୟାର ପାଣିଗ୍ରହଣ ମଧ୍ୟ କରିଅଛନ୍ତି ।’’

 

‘‘ଆଚ୍ଛା, ସେମାନଙ୍କର ପରିଚୟ ଦେବା ଲାଗି ଆପଣଙ୍କର କିଛି ଆପତ୍ତି ଅଛି ?’’

 

‘‘ନା, ପ୍ରଥମତଃ ପୂର୍ବ ଅନୁରାଗବଶତଃ ମହାରାଜ ଜଣେ କ୍ଷତ୍ରିୟ କନ୍ୟାର ପାଣିଗ୍ରହଣ କରିଥିଲେ । ତାଙ୍କର ନାମ ସାନ ଦେବୀ । ଦ୍ଵିତୀୟରେ ଶ୍ରୀରଙ୍ଗପତ୍ତନ ରାଜକୁମାରୀ ତିରୁମଲ ଦେବୀଙ୍କ ସହିତ ପରିଣୟ କ୍ରିୟା ସଂପାଦିତ ହୋଇଅଛି ।’’

 

‘‘ଉତ୍କଳୀୟ ରାଜାମାନେ ମଧ୍ୟ ଏହିପରି ଏକାଧିକ କନ୍ୟାର ପାଣିଗ୍ରହଣ କରିଥାନ୍ତି । କୃଷ୍ଣଦେବ ରାୟ ଅନ୍ନପୂର୍ଣ୍ଣାଙ୍କ ପାଇଁ ଯୋଗ୍ୟ ପାତ୍ର । ତେବେ ଆଉ ଗୋଟାଏ କଥା, ଆପଣ ଯଦି କ୍ଷୁବ୍ଧ ନହେବେ ତେବେ ପଚାରିବା ପାଇଁ ସାହସ କରିବି ।’’

 

‘‘ଆପତ୍ତି ନାହିଁ । ପଚାରିପାରନ୍ତି ।’’

 

‘‘ଶୁଣିପାରୁଛି କୃଷ୍ଣଦେବ ରାୟ ପ୍ରକୃତ କ୍ଷତ୍ରିୟ ବଂଶଜ ନୁହନ୍ତି । ସେ ଜଣେ ରକ୍ଷିତା ସ୍ତ୍ରୀର ସନ୍ତାନ ?’’

 

‘‘ଉତ୍ତର ଦେବା ପୂର୍ବରୁ ପଚାରେ, ପ୍ରତାପରୁଦ୍ର କିପରି ନିଜକୁ ଗଙ୍ଗବଂଶଜ ବୋଲି ପରିଚୟ ଦିଅନ୍ତି ।’’

 

“କ୍ରୋଧ ସମ୍ବରଣ କରନ୍ତୁ । ମୁଁ କେବଳ ସନ୍ଦେହ ଭଞ୍ଜନ ନିମିତ୍ତ ପ୍ରଶ୍ନ କରିଛି ।’’

 

‘‘ମୋ ହୃଦୟରେ କ୍ରୋଧର ସତ୍ତା ନାହିଁ । କେବଳ ଆପଣଙ୍କୁ ସ୍ପଷ୍ଟ ଭାବରେ ବୁଝାଇବାଲାଗି ଏପରି କହୁଛି । ଓଡ଼ିଶାର ପ୍ରାଚୀନ ଗଙ୍ଗବଂଶ ଅନେକ ଦିନରୁ ଲୁପ୍ତ । ଚୋଳଗଙ୍ଗଙ୍କ ଶେଷ ବଂଶଧର ଚତୁର୍ଥ ନରସିଂହ ଦେବ ଏହି ବଂଶର ଶେଷ ରାଜା । ତାଙ୍କ ଅନ୍ତେ ଯେକୌଣସି ରାଜା ସିଂହାସନ ଅଧିକାର କରି ଆପଣାକୁ ଗଙ୍ଗବଂଶଜ ବୋଲି ପରିଚୟ ଦେଇ ବଂଶ ରକ୍ଷା କରିଛନ୍ତି । ରାଜା କପିଳେନ୍ଦ୍ର ଦେବ ଶୈଶବାବସ୍ଥାରେ ଜନୈକ ବ୍ରାହ୍ମଣର ଗୋଚାରଣ କାର୍ଯ୍ୟ କରୁଥିଲେ ବୋଲି ପ୍ରବାଦ ଅଛି । ପୁରୁଷୋତ୍ତମ ଦେବ ତାଙ୍କ ଉପପତ୍ନୀ ଗର୍ଭଜାତ ସନ୍ତାନ ।’’

 

‘‘କପିଳେନ୍ଦ୍ର ଯେ ପୋଷ୍ୟପୁତ୍ରରୂପେ ଗୃହୀତ ହୋଇଥିଲେ ।’’

 

“ତା’ର ପ୍ରମାଣ କ’ଣ ? ଯେତେ ଦୂର ଜାଣେ ସେ ମୁସଲମାନମାନଙ୍କ ସାହାଯ୍ୟରେ ଓଡ଼ିଶା ଆକ୍ରମଣ କରି ଅଧିକାର କରିଥିଲେ । ଛାଡ଼ନ୍ତୁ ସେ କଥା, ରାଜାମାନଙ୍କ ପକ୍ଷେ ଏ ସବୁ ଧର୍ତ୍ତବ୍ୟ ନୁହେଁ । ସେହି ଭାବରେ ଦେଖିଲେ କୃଷ୍ଣଦେବ ରାୟ ପୁରାତନ ଏକଶୀଳା ନଗର (ଓରୁମଲ ବା ବାରଙ୍ଗଲ) ଅଧିଷ୍ଠିତ ରାଜା ପ୍ରତାପରୁଦ୍ର ଗଣପତିଙ୍କର ବଂଶଧର ଅଟନ୍ତି ।’’

 

ତାଙ୍କ ଅନ୍ତେ ତଦୀୟ ଭ୍ରାତା ହରିହରଦେବ ରାୟ ନୂତନ ବିଜୟନଗର ରାଜ୍ୟ ସ୍ଥାପନ କରିଥିଲେ । ହରିହରଙ୍କ ବଂଶଧର ବିରୂପାକ୍ଷ ନିଃସନ୍ତାନ ଥିବାରୁ ମନ୍ତ୍ରୀ ସାଳୁଆ ନରସିଂହ ରାୟ ସିଂହାସନ ଅଳଙ୍କୃତ କରିଥିଲେ । ବର୍ତ୍ତମାନ କର୍ଣ୍ଣାଟ ରାଜ୍ୟାଧିପତି ତାଙ୍କର ପ୍ରକୃତ ବଂଶଧର ଅଟନ୍ତି-। ଏମାନେ ଚନ୍ଦ୍ରବଂଶୀୟ କ୍ଷତ୍ରିୟ । ଏହାଙ୍କ ଜନନୀ ନଗଲ ଦେବୀଙ୍କୁ ରକ୍ଷିତା ବୋଲି ମନେ କରିବା କେବଳ ମୂର୍ଖତା ।’’

 

‘‘ଗଜପତିଙ୍କର ପ୍ରସ୍ତାବିତ ବୈବାହିକ ସମ୍ବନ୍ଧରେ କୌଣସି ପ୍ରକାର ଆପତ୍ତି ନାହିଁ । ତାଙ୍କ ପରି ସରଳ ଉଦାର ନୀତି ବିଶିଷ୍ଟ ନରପତି ଓଡ଼ିଶାରେ ବିରଳ । କେବଳ ରାଜପରିବାର ଓ ବନ୍ଧୁବର୍ଗ ଏଥିରେ ସମ୍ମତ ହେଲେ ହେଲା ।’’

 

‘‘ଉତ୍କଳ ପରି ସୁବିଶାଳ ରାଜ୍ୟର ଶାସକ ହୋଇ ସେ ଯେପରି ଉଦାରତାର ପରିଚୟ ଦେଇଛନ୍ତି, ବାସ୍ତବରେ ତାହା ପ୍ରଶଂସନୀୟ । ବର୍ତ୍ତମାନ ଦେଶ କାଳ–ପାତ୍ର–ବିବେଚନାରେ ସମସ୍ତ କାର୍ଯ୍ୟ ନିର୍ବାହିତ ହେଲେ ଯଥେଷ୍ଟ ହେବ ।’’

 

‘‘ନିଶ୍ଚୟ । ମୁଁ ମଧ୍ୟ କର୍ତ୍ତବ୍ୟ ପାଳନରେ ଅଣୁମାତ୍ର ତ୍ରୁଟି କରିବି ନାହିଁ ।’’

 

‘‘ଆପଣଙ୍କର ଯେ ଇଚ୍ଛା’’ କହି ଡିମାରାଜ ବିଦାୟ ନେଲେ । ଗୋବିନ୍ଦ ବିଦ୍ୟାଧର ଗଜପତିଙ୍କୁ ଏ ବିଷୟ ଜଣାଇଦେଲେ । ଅପରାହ୍ନରେ ପାତ୍ର, ସାମନ୍ତ ବର୍ଗଙ୍କ ପରାମର୍ଶ ଲାଗି ରାଜସଭା ଆହ୍ଵାନ କରିବା ନିମିତ୍ତ ଆଦେଶ ଦେଇ ମହାରାଜ ଅନ୍ତଃପୁରକୁ ଗମନ କଲେ । ସେଠାରେ ମଧ୍ୟ ଏ ପ୍ରସଙ୍ଗର ଯୁକ୍ତିତର୍କ ଚାଲିଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ଆଜି ବାରବାଟୀ ମନ୍ତ୍ରଣା–ମଣ୍ଡପରେ ପାତ୍ର ସାମନ୍ତବୃନ୍ଦ ନୀରବ ଭାବରେ ଉପବିଷ୍ଟ । ହଠାତ୍ ମହାରାଜ ପ୍ରତାପରୁଦ୍ର–ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧରଙ୍କ ସହିତ ସେଠାରେ ଉପନୀତ ହେଲେ-। ସଭ୍ୟବୃନ୍ଦ ରାଜାଙ୍କୁ ଯଥାବିଧି ଅଭିବାଦନ କରି ଆସନ ଗ୍ରହଣ କଲେ । ବିରାଟ ରାଜସଭା ନୀରବ, ନିସ୍ତବ୍ଧ । କାହାର ମୁଖରେ କଥା ପଦେ ନାହିଁ । ସମସ୍ତଙ୍କ ମୁଖ ବିବର୍ଣ୍ଣ: ଏକ ଦୃଷ୍ଟିରେ ସମସ୍ତଙ୍କର ଲକ୍ଷ୍ୟ ।

 

ଗଜପତିଙ୍କ ପ୍ରତି, ମହାରାଜଙ୍କର କି ଆଦେଶ ହେବ । ବିଶେଷତଃ ବୃଦ୍ଧ ବଳଭଦ୍ର ପାତ୍ରଙ୍କ ମନରେ ଉଦ୍‍ବେଗର ଗୋଟିଏ ପ୍ରକାଣ୍ଡ–ସାମ୍ରାଜ୍ୟ ଗଠିତ ହେଲାପରି ଜଣାପଡ଼ୁଥିଲା । ସତେ ଯେପରି କ’ଣ ଗୁଡ଼ାଏ କହିଯିବେ । ବିଶାଳ ଚକ୍ଷୁଦ୍ୱୟ ଘୂର୍ଣ୍ଣାୟମାନ ଓ ଓଷ୍ଠ ଦ୍ୱୟ ଅସ୍ଥିର । ଅଚିରାତ୍ ଗୋବିନ୍ଦ ବିଦ୍ୟାଧର ବଜ୍ରଗମ୍ଭୀର ନାଦରେ କହିଲେ, ‘‘ଆପଣମାନେ କର୍ଣ୍ଣାଟ ଅଧୀଶ୍ଵରଙ୍କ ସନ୍ଧି ପ୍ରସ୍ତାବ ଶୁଣିପାରିଛନ୍ତି । ବର୍ତ୍ତମାନ ସେ ବିଷୟରେ ସିଦ୍ଧାନ୍ତ କରିବାଲାଗି ରାଜସଭା ଆହ୍ଵାନ କରାଯାଇଛି । ନିର୍ଭୟରେ ସମସ୍ତେ ସ୍ଵ ସ୍ଵ ମତ ବ୍ୟକ୍ତ କରିବାଲାଗି ମହାରାଜଙ୍କର ଆଦେଶ ।’’

 

ହଠାତ୍ ବଳଭଦ୍ର ଦଣ୍ଡାୟମାନ ହେଲେ । ସଙ୍ଗେ ସଙ୍ଗେ ତାଙ୍କ ଚକ୍ଷୁରୁ ଅଗ୍ନିକଣା ବହିର୍ଭୂତ ହେଲା । ସେ ମେଘ ଗମ୍ଭୀର ସ୍ଵରରେ ସଭାସ୍ଥଳ ଚମକିତ କରି କହିଲେ, ‘‘ମହାରାଜ, କ୍ଷମା କରନ୍ତୁ-। ଯଦି ଦାସର ଅପରାଧ ହୁଏ, ତେବେ ଏହିକ୍ଷଣି ଏ ମସ୍ତକ ଦିଖଣ୍ଡ କରନ୍ତୁ । ଆଜି ଓଡ଼ିଶାର ଗୌରବ–ରବି ଅସ୍ତମିତ । ନଚେତ କେଶରୀ ସମ୍ମୁଖରେ ନୀଚ, ଘୃଣ୍ୟ ଶୃଗାଳଟା ଏପରି ସାହସ କରନ୍ତା ! ପ୍ରବଳ ପ୍ରତାପୀ ଗଜପତି ଜଣେ ସାମାନ୍ୟ ବର୍ବରର ପ୍ରବଞ୍ଚନାରେ ସମର–ପ୍ରାଙ୍ଗଣ ପରିତ୍ୟାଗ କରିଥାନ୍ତେ ? ଅର୍ବାଚୀନ କୃଷ୍ଣଦେବ ରାୟ ସହିତ ପ୍ରତାପରୁଦ୍ରଙ୍କର ସନ୍ଧି–ପୁଣି ଅଜ୍ଞାତ କୁଳଶୀଳ, ଦାସୀ ପୁତ୍ର ସହିତ ଅନ୍ନପୂର୍ଣ୍ଣାଙ୍କ ପରିଣୟ–ଓହୋ, କି ଲଜ୍ଜା, କି ଅପମାନ ! ବକ୍ଷ, ବିଦୀର୍ଣ୍ଣ ହୁଅ ! ମସ୍ତକ, ଏହିକ୍ଷଣି ତୋ ଉପରେ ବଜ୍ରପାତ ହେଉ । ଓଡ଼ିଆର ସର୍ବନାଶ–ଓଡ଼ିଆ ବୀରକୁଳ ନିର୍ମୂଳ ! ଧିକ୍ ଗଜପତି; ତୁମର ଏ ପ୍ରସ୍ତାବ–କୁକୁର ସହିତ କେଶରୀର ବନ୍ଧୁତା-! ବଳଭଦ୍ର, ତୁ ଜୀବିତ ରହିଥିଲୁ ଏଇ ପୁରସ୍କାର ପାଇବାପାଇଁ, ନିର୍ଲଜ୍ଜ ଓଡ଼ିଆର ପତନ ଦେଖିବାପାଇଁ । ଯା ପ୍ରାଣ ଏଇଠାରେ ଶେଷ ହୋଇଯା । ଏହି ଶାଣିତ କୃପାଣ ଦିନେ ପୁରୁଷୋତ୍ତମଙ୍କ ସହିତ ଯୁଦ୍ଧ କରି କାଞ୍ଚି ନଗର ଧ୍ଵଂସ ପୂର୍ବକ କର୍ଣ୍ଣାଟ ରାଜ୍ୟର ସର୍ବନାଶ କରିଥିଲା-। ଆଜି ସେ ଦିନ କାହିଁ ? ଆଜି ଗଙ୍ଗବଂଶର ପବିତ୍ର ସିଂହାସନ କଳଙ୍କିତ, ଓଡ଼ିଆ ବୀରର ଧମନୀ ନିରକ୍ତ; ଧିକ୍ ଓଡ଼ିଆ । ତେବେ କ’ଣ ସତେ ତୋର ବର୍ତ୍ତମାନ ସର୍ବନାଶର ସମୟ ଉପସ୍ଥିତ-? ନା, କଦାପି ନୁହେଁ; ବର୍ତ୍ତମାନ ଯଦି ମହାରାଜଙ୍କର ଆଦେଶ ହୁଏ, ତେବେ ଶତ୍ରୁ ନିର୍ମୂଳ ହୋଇଯିବ, ଓଡ଼ିଆର ବିଜୟ ବୈଜୟନ୍ତୀ ସଗର୍ବରେ ଉଡ୍ଡୀୟମାନ ହେବ । ହାୟ, କି ଦୁର୍ଗତି ! ଓଡ଼ିଶାଧିପତି ମଠାଧ୍ୟକ୍ଷ ତୁଲ୍ୟ ସଂସାର ବିରାଗୀ ହୋଇ ବସିଲେ, ଦେଶ ମଧ୍ୟରେ ରାଜନୀତି ଶିଥିଳ ନହେବ କାହିଁକି ? ଅମାତ୍ୟବର ରାମାନନ୍ଦ ସନ୍ନ୍ୟାସୀ । ଅପରିଣାମଦର୍ଶୀ, ଅନୁପଯୁକ୍ତ ପୁତ୍ର ହସ୍ତରେ ରାଜ୍ୟ ଅର୍ପିତହେବା ଫଳରେ ରାଜ୍ୟର ଧ୍ଵଂସ ଅନିବାର୍ଯ୍ୟ । ଚତୁର୍ଦ୍ଦିଗରେ ଅରାଜକତାର ରାଜତ୍ଵ-। ଅଚିରେ ଶସ୍ୟଶାଳିନୀ ଉତ୍କଳ ମରୁଭୂମିରେ ପରିଣତ ହେବ ସନ୍ଦେହ ନାହିଁ ।

 

ଆଉ ଧୈର୍ଯ୍ୟ ଧରି ହେଉନାହିଁ । ନିଅନ୍ତୁ ମହାରାଜ, କ୍ଷତ୍ରିୟର ସମ୍ବଳ ଏଇ ପ୍ରିୟତମ ଅସି ଖଣ୍ଡିକ, ବର୍ତ୍ତମାନ ଶସ୍ୟ କାଟିବାରେ ବ୍ୟବହୃତ ହେବ । ଆଉ ଅଧିକ କହିବି ନାହିଁ । ବର୍ତ୍ତମାନ ଏ ରାଜସଭାରୁ ବହିଷ୍କୃତ ହେଉଛି ।’’

 

ହଠାତ୍ ବଳଭଦ୍ର ଲମ୍ଫ ପ୍ରଦାନ ପୂର୍ବକ ରାଜସଭା ପରିତ୍ୟାଗ କଲେ । ପ୍ରତାପରୁଦ୍ରଙ୍କର ସମସ୍ତ ଆଶ୍ଵାସନା ନିଷ୍ଫଳ ହେଲା ।

 

ଗୋବିନ୍ଦ ବିଦ୍ୟାଧର ନିଜକୁ ଅପମାନିତ ମନେ କରି କହିଲେ, ‘‘ଓଃ ମନୁଷ୍ୟରବି କ୍ରୋଧ, ଅପରିଣାମଦର୍ଶିତା ! ସେ ଉତ୍କଳର ଶାସକଙ୍କୁ ସୁଦ୍ଧା ଭ୍ରୂକ୍ଷେପ କଲା ନାହିଁ । ସାମାନ୍ୟ ପାତ୍ରର ଏ ଆସ୍ପର୍ଦ୍ଧା ।’’

 

ପ୍ରତାପରୁଦ୍ର ଗୁଣଗ୍ରାହୀ ରାଜା । ସେ ତା’ର ପ୍ରତିବାଦ କରି କହିଲେ, ‘‘ବଳଭଦ୍ର ବୃଦ୍ଧ ସତ, ମାତ୍ର ଦେଶରକ୍ଷା, ସ୍ୱାଧୀନତା ନିମିତ୍ତ ସେ ନିରନ୍ତର ବ୍ୟାକୁଳ । ହୃଦୟର ବେଦନା ଜଣାଇବାଦ୍ୱାରା ସେ ଦୋଷ କରିଛନ୍ତି କ’ଣ ? ଛାଡ଼ ସେ କଥା–ବର୍ତ୍ତମାନ କର୍ତ୍ତବ୍ୟ ସ୍ଥିର କର ।’’

 

ବିଦ୍ୟାଧର କହିଲେ, ‘‘କର୍ତ୍ତବ୍ୟ କ’ଣ ? ଗଜପତିଙ୍କ ଆଦେଶ ଲଙ୍ଘନ କରିବାକୁ ଶକ୍ତି କାହାର ? ବର୍ତ୍ତମାନ ଛାମୁ ଇଚ୍ଛାମତେ କାର୍ଯ୍ୟ କରି ପାରନ୍ତି ।’’

 

ସଭାଭଙ୍ଗ ହେଲା । ବଳଭଦ୍ରଙ୍କ ବୀରବାଣୀ ଓଡ଼ିଆର ପ୍ରତି ତନ୍ତ୍ରୀରେ ଭାବାନ୍ତର ଆଣିଦେଲା । ଚତୁର୍ଦ୍ଦିଗରେ ଲୋକେ କେବଳ ତା’ର ସମାଲୋଚନା କରିବାକୁ ଲାଗିଲେ । ଅନ୍ତଃପୁରବାସିନୀ ରମଣୀମାନେ ମଧ୍ୟ ବଳଭଦ୍ରଙ୍କୁ ପ୍ରଶଂସା ନକରି ରହିପାରିଲେ ନାହିଁ ।

Image

 

ଊନବିଂଶ ପରିଚ୍ଛେଦ

 

‘‘ଏପରି ବ୍ୟସ୍ତ କାହିଁକି ରାଣୀ ! ଅନୁ କ’ଣ ବିବାହ ହୁଅନ୍ତା ନାହିଁ ?’’

“ଅନୁର ବିବାହ, ଗୋଟାଏ ଦାସୀପୁତ୍ର ସହିତ, ଜଣେ ଅଜ୍ଞାତ କୁଳଶୀଳ ଗଜପତିଙ୍କର ଜାମାତା, ଏଥିରେ ଲଜ୍ଜା ଅନୁଭବ କରୁନାହଁ ପ୍ରିୟତମ !’’

‘‘କୃଷ୍ଣଦେବ ରାୟ ଦାସୀପୁତ୍ର ? ଅଜ୍ଞାତ କୁଳଶୀଳ ? କିଏ କହିଲା ? ଭ୍ରମ ଧାରଣା ତୁମର ରାଣୀ ।’’

‘‘ମୁଁ ଭ୍ରମରେ ପଡ଼ିଛି । ତେବେ ପ୍ରିୟତମ, ଏ ପ୍ରଜାବର୍ଗ କ’ଣ କହୁଛନ୍ତି ? ପାତ୍ରମାନେ ମହାରାଜଙ୍କୁ କାହିଁକି ନିନ୍ଦା କରୁଛନ୍ତି ? ଗୁଣହୀନ ଜାମାତା ପ୍ରତି ତୁମର ଏଡ଼େ ଶ୍ରଦ୍ଧା କାହିଁକି ?’’

‘‘ତୁମେ ବୁଝିନାହଁ ରାଣୀ, ଉପଯୁକ୍ତ ପାତ୍ର ହସ୍ତରେ ଅନ୍ନପୂର୍ଣ୍ଣାକୁ ସମର୍ପଣ କରିବା ତ ଆମର ଧର୍ମ । କର୍ଣ୍ଣାଟ ଅଧୀଶ୍ଵର କୃଷ୍ଣଦେବ ରାୟ ସେଥିଲାଗି ଅନୁପଯୁକ୍ତ ନୁହନ୍ତି । ସେ ଶାସ୍ତ୍ର ଜ୍ଞାନରେ ବୃହସ୍ପତି, ରୂପଲାବଣ୍ୟରେ କନ୍ଦର୍ପ ପୁଣି ଇନ୍ଦ୍ର ତୁଲ୍ୟ ଐଶ୍ଵର୍ଯ୍ୟର ଅଧିକାରୀ । ଦକ୍ଷିଣ ଭାରତ ସମସ୍ତ ରାଜନ୍ୟ ମଣ୍ଡଳୀ ତାଙ୍କର ପ୍ରସାଦାର୍ଥୀ । ଜାତିଧର୍ମର ଭେଦଭାବ କେବଳ ସଂକୀର୍ଣ୍ଣତା ବ୍ୟତୀତ ଆଉ କ’ଣ କୁହାଯାଇପାରେ ? ଅନୁସନ୍ଧାନଦ୍ଵାରା ଜଣାଯାଇଅଛି, ଦେବରାୟ ପ୍ରକୃତ କ୍ଷତ୍ରିୟ ବଂଶଜ ।’’

‘‘ଜନରବ ପ୍ରତି ମହାରାଜ କର୍ଣ୍ଣପାତ କରନ୍ତୁ ।’’

‘‘ଜନରବ ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ । ସେଥିରେ ବିଶ୍ୱାସ କରିବା ମଙ୍ଗଳଜନକ ନୁହେଁ ।’’

‘‘ସ୍ଵାମୀ ସହିତ ସ୍ତ୍ରୀର ବାଦ ପ୍ରତିବାଦ ଶୋଭନୀୟ ନୁହେଁ । ମହାରାଜଙ୍କ ଇଚ୍ଛା ।’’

ରାଣୀଙ୍କ ସହିତ ଅନ୍ତଃପୁର ମଧ୍ୟରେ ପ୍ରତାପରୁଦ୍ର ଏହିପରି ଆଳାପନାରେ ବ୍ୟସ୍ତ, ହଠାତ୍ ଅନ୍ନପୂର୍ଣ୍ଣା ଉଭୟଙ୍କ ପଦ ବନ୍ଦନା କରି ଦଣ୍ଡାୟମାନା ହେଲେ । ରାଜଦମ୍ପତି କନ୍ୟାର ମଳିନ ମୁଖ ଦର୍ଶନରେ ବ୍ୟଥିତ ହୋଇ ସମବେଦନା ପ୍ରକାଶ କଲେ । ପରେ ରାଜା ସାନ୍ତ୍ୱନା ଦେଇ କହିଲେ, ‘‘ମା’ ମୋର, ବର୍ତ୍ତମାନ ମୁଁ ତୋତେ ଉପଯୁକ୍ତ ପାତ୍ର ହସ୍ତରେ ଅର୍ପଣ କରି କୃତାର୍ଥ ହେବି । କନ୍ୟା ଦିନେ ଅନ୍ୟର ଗୃହ ଅଳଙ୍କୃତ କରିବ, ଏହା ତ ସମାଜର ନିୟମ । ଆଉ କାହିଁକି ଦୁଃଖିତ ହେଉଛୁ, ତୋର ଅନ୍ତର ବେଦନା ପ୍ରକାଶ କରୁନାହୁଁ ?’’

ଅନ୍ନପୂର୍ଣ୍ଣାଙ୍କ ନୟନଯୁଗଳ ଅଶ୍ରୁପୂର୍ଣ୍ଣ ହେଲା । ସେ ଅଶ୍ରୁ ମୋଚନ କରି କହିଲେ, ‘‘ବାପା, ଏ ଅଧୀନା ତ ଆପଣଙ୍କୁ ଅବଜ୍ଞା କରି ନପାରେ । ଆପଣଙ୍କ ଇଚ୍ଛାରେ ଆଉ ଅନ୍ତରାୟ କ’ଣ ?’’

“ନାହିଁ ମା’, ତୋର ଏ କି ଛଳନା । ମୋ ନିକଟରେ ଦୁଃଖ ପ୍ରକାଶ କରିବାଲାଗି ଲଜ୍ଜା କାହିଁକି ?’’

‘‘ଯୁଦ୍ଧ ଯାତ୍ରୀଙ୍କୁ ବରଯାତ୍ରୀରୂପେ ବରଣ କରିବା କ’ଣ ଉଚିତ ?’’

‘‘କାହିଁକି ମା’, ସେଥିରେ ଦୋଷ କ’ଣ ?’’

 

‘‘ଯେଉଁଠାରେ ହିଂସା ପ୍ରଣୋଦିତ ତରବାରିର ବ୍ୟବହାର କରାଯାଉଛି, ସେହିଠାରେ ପବିତ୍ର ପ୍ରେମବନ୍ଧନ ସମ୍ଭବପର ତ ପିତା ?

 

‘‘ମା’ ମୋର, ତୋତେ କ’ଣ ଅଧିକ ବୁଝାଇବାକୁ ହେବ ? ତୀକ୍ଷ୍ଣ କଣ୍ଟକଜାଳ ମଧ୍ୟରେ କେତକୀ, ଜଟିଳ ଶୈବାଳ ଦଳ ମଧ୍ୟରେ ମନୋରମ ପଦ୍ମିନୀ, ବିଷଧର ମଧ୍ୟରେ ସୁରଭିଯୁକ୍ତ ଚନ୍ଦନ ଯେ ବିଦ୍ୟମାନ ।’’

 

“ଏହା ତ ପ୍ରଭୁଙ୍କର ସେହି ଅଦ୍ଭୁତ ସୃଷ୍ଟି କ୍ରିୟା ।

 

‘‘ତେବେ ଆମ୍ଭେମାନେ କ’ଣ ସେହି ସୃଷ୍ଟିରୁ ବହିର୍ଭୂତ ? ମାନବ ପକ୍ଷେ ସୃଷ୍ଟିର ମନୋହାରିତା ଅନୁଭବ କରିବା ନିତାନ୍ତ ଆବଶ୍ୟକ । ତୁ ଏତେ ଶୀଘ୍ର ମହାରାଣୀ ପଦ୍ମାବତୀଙ୍କ ବିଷୟ ପାସୋରିଦେଲୁ ? ସେ ତ ଘଟଣା କ୍ରମେ ସ୍ଵାମୀଙ୍କ ଶ୍ରଦ୍ଧା ଓ ପ୍ରୀତି ଆକର୍ଷଣ କରିପାରିଥିଲେ-। ଅବିମିଶ୍ର ସୁଖ–ସଂପଦ ଚିରକାଳ ପାଇଁ ନଥାଏ । ସହଜେ ତ ସଂସାରଟା କ୍ଷଣଭଙ୍ଗୁର-। ତୁ ଏତେ ବ୍ୟାକୁଳ କାହିଁକି ହେଉଛୁ । ମା’ ମୋର, ଥରେ ଏ ପ୍ରସଙ୍ଗ ଭାବି ଦେଖ ତ-?’’

 

ଗଜପତି ଅନ୍ୟ ଉଦ୍ଦେଶ୍ୟରେ ଚାଲିଲେ । ଅନ୍ନପୂର୍ଣ୍ଣା କିନ୍ତୁ ବିଶାଦସମୁଦ୍ର ମଧ୍ୟରେ ଭାସମାନ । ସାମାନ୍ୟ ଆହାର ପରେ ସୁକୁମାରୀ ରାଜକୁମାରୀ ଶୟନ ମନ୍ଦିରକୁ ଗମନ କଲେ । ମାତ୍ର ତୁଳିତଳ୍ପ ତାଙ୍କୁ କଣ୍ଟକ ପରି ବୋଧ ହେଲା । ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ସମୁଦ୍ର ତରଙ୍ଗ ପରି ଭାବନା ରାଶି ତାଙ୍କ ହୃଦୟକୁ ଆଲୋଡ଼ିତ କରିଦେଲା ।

ସେ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲା ପରେ କହିଲେ, ‘‘ଆହା, ଆଉ କେତେ କାଳ ଏପରି ଚିନ୍ତା କରିବି ? ଭାବନାରେ ଆନନ୍ଦର ସ୍ଥାନ ନାହିଁ; ବରଂ ଭବିଷ୍ୟତର ଦୁଃଖ ରାଶି ବିରାଟ ଆକାରରେ ପ୍ରତିଭାତ ହୋଇ ହୃଦୟକୁ ଜଡ଼ ତୁଲ୍ୟ କରି ଦେଉଅଛି । ପୂଜନୀୟ ପିତୃଦେବଙ୍କ ଇଚ୍ଛାର ଅନ୍ତରାୟ କ’ଣ କରାଯାଇପାରେ ? ନା, ପିତା ସନ୍ତାନ ସନ୍ତତିକୁ ଦାନ କରି ପାରନ୍ତି, ତେବେ ସେଠାରେ ଆଉ କି ଯୁକ୍ତିର ଆବଶ୍ୟକ ଅଛି ? ଏଣେ ରାଜ୍ୟରେ ଘୋର ଅଶାନ୍ତି । ପ୍ରଜାକୁଳର ଜୀବନ ଆଶଙ୍କା ପୂର୍ଣ୍ଣ । ହତଭାଗିନୀ ଯୋଗୁଁ ଯଦି ଏ ସବୁ ନିରାକୃତ ହୋଇପାରିବ, ତେବେ ତ ଏ କଷ୍ଟମୟ ଜୀବନ ସାର୍ଥକ ହୋଇଅଛି ବୋଲି ଜାଣିବାକୁ ହେବ ।’’

ହଠାତ୍ ଏ କି ପରିବର୍ତ୍ତନ ! ଅନ୍ନପୂର୍ଣ୍ଣା ଆଉ ପଲଙ୍କ ଉପରେ ବସି ପାରିଲେ ନାହିଁ । ସେ ପ୍ରକୋଷ୍ଠ ମଧ୍ୟରେ ପଦଚାରଣ କରିବାକୁ ଲାଗିଲେ । ତାଙ୍କର ଭାବଭଙ୍ଗୀ ପରିବର୍ତ୍ତିତ ହେଲା । ସେ କହିଲେ, ‘‘ଗଜପତି କୁଳ କନ୍ୟା ଆଜି ଜଣେ ସାମାନ୍ୟ ରାଜାର ପ୍ରଣୟ–ପ୍ରାର୍ଥନୀ । ଏ କ’ଣ ଓଡ଼ିଆ ପକ୍ଷରେ କମ୍ କଳଙ୍କ ? ଯେ ଏ ପ୍ରସ୍ତାବ ସମର୍ଥନ କରିଛି, ସେ ତେବେ କ’ଣ ଓଡ଼ିଆ ନୁହେଁ ? ଛି, ମୋର ଏ କି ବାଚଳତା । ନିଜେ ପିତାଙ୍କର ତ ଏଥିରେ ସମ୍ପୂର୍ଣ୍ଣ ମତ । ପିତା–ତୁମେ ତେବେ ତୁମର କନ୍ୟାକୁ ସ୍ନେହ କରନାହିଁ ? କନ୍ୟାର ଭବିଷ୍ୟତ ପ୍ରତି ତେବେ ତୁମର ଲକ୍ଷ୍ୟ ନାହିଁ ? ହାୟ, ଗଜପତି ଲକ୍ଷ୍ୟଭ୍ରଷ୍ଟ, ଜ୍ଞାନ ଶୂନ୍ୟ, ନିଷ୍ଠୁରହୃଦୟ । ରସନା, ତୁ ବିଦୀର୍ଣ୍ଣ ହେଉନାହୁଁ ! ପିତୃନିନ୍ଦା ମହାପାପ । କ୍ଷମାକର ପ୍ରଭୁ; ନା, ଆଉ ନୁହେଁ । ଏ କଷ୍ଟମୟ ଜୀବନ ରଖିବା କଦାପି ଆବଶ୍ୟକ ନାହିଁ । ଆସ ଶମନ ତୁମର ସେହି କରାଳ–ମୁଖ ବ୍ୟାଦାନ କରି ଏ ହତଭାଗିନୀକୁ ଗ୍ରାସ କର । ସୁଦର୍ଶନ, ଶୀଘ୍ର ଏ ପାପୀୟସୀ ମସ୍ତକ ଚୂର୍ଣ୍ଣ କରିଦିଅ । ଯାଉ,ଏ ଦୁଃଖିନୀର ଏହି ରୂପଲାବଣ୍ୟ, ଶିକ୍ଷା–ଯାହା ଆଜି ଜୀବନର ପ୍ରଧାନ କଣ୍ଟକ ବୋଲି ଠିକ୍ କରିଛି । କ’ଣ, ପ୍ରଭୁ ତେବେ ନିଷ୍ଠୁର ? ଚକ୍ରଧରଙ୍କ ଚକ୍ର ମଧ୍ୟ ମୋପାଇଁ ବକ୍ର ହୋଇ ପଡ଼ିଲା ? ତେବେ ଆଉ କ’ଣ–ଆତ୍ମହତ୍ୟା–ଉତ୍କଟ ହଳାହଳ କିମ୍ବା ଶାଣିତ ଛୁରିକା !’’

ଏହିପରି କହି କହି ସେ ବାଚାଳ ତୁଲ୍ୟ ପ୍ରକୋଷ୍ଠ ମଧ୍ୟରେ ପଦଚାରଣ କରିବାକୁ ଲାଗିଲେ । ହଠାତ୍ ତାଙ୍କର ମସ୍ତକ ଘୂର୍ଣ୍ଣିତ ହେବାରୁ ବାଧ୍ୟ ହୋଇ ଅନ୍ନପୂର୍ଣ୍ଣା ପଲଙ୍କୋପରି ଶାୟିତ ହେଲେ । ସଙ୍ଗେ ସଙ୍ଗେ ନୟନଯୁଗଳ ମୁଦ୍ରିତ ହୋଇଗଲା । ସେ ଦେଖିଲେ ଜଣେ ଦିବ୍ୟକାନ୍ତ ପୁରୁଷ ତାଙ୍କ ସମୀପରେ ଦଣ୍ଡାୟମାନ ହୋଇ କହୁଛନ୍ତି, ‘‘ଭୟ ନାହିଁ, ଆତ୍ମହତ୍ୟା କଲେ ଅମୂଲ୍ୟ–ଜୀବନ ଆଉ ଆସିବ ନାହିଁ । ଧୈର୍ଯ୍ୟ ଧର, ଭବିଷ୍ୟତ ତୁମ୍ଭର ବରାବର ଉଜ୍ଜ୍ୱଳମୟ । ଯାଅ ରାଜକୁମାରୀ, ଆନନ୍ଦରେ ତୁମେ ତୁମର ସଂସାର ଗଢ଼ିପାରବ । କିଏ କହେ, ତୁମେ ଦୁଃଖିନୀ ହତଭାଗିନୀ ! ନା, ତୁମେ ଅନ୍ନପୂର୍ଣ୍ଣା, ଲକ୍ଷ୍ମୀ ।’’

ଅନ୍ନପୂର୍ଣ୍ଣା ହଠାତ୍ ଜାଗ୍ରତ ହେଲେ । ଦେଖିଲେ ପ୍ରକୋଷ୍ଠରେ କେହି ନାହିଁ, କେବଳ ପ୍ରଦୀପଟି ମିଞ୍ଜି ମିଞ୍ଜି ହେଇ ଜଳୁଛି । ସେ ଦୀର୍ଘ ନିଃଶ୍ଵାସ ତ୍ୟାଗ ପରେ କହିଲେ, ‘‘ମୋ ଜୀବନ ଅମୂଲ୍ୟ–ମୁଁ ପୁଣି ଅନ୍ନପୂର୍ଣ୍ଣା, ଲକ୍ଷ୍ମୀ ! କିଏ ତୁମେ ଦେବଦୂତ, ମୋ ପ୍ରାଣରେ ଆଶ୍ଵାସନାର, ଅମୃତ–ଧାରା ଢାଳି ଦେଲଗଲ ? ପ୍ରଭୁ, ନୀଳାଚଳ ନାଥ, ତେବେ ତୁମ୍ଭର ଏ ଅମୃତମୟ–ଉପଦେଶ ଦାସୀ କଦାପି ଭୁଲି ପାରିବ ନାହିଁ ।’’

କହୁ କହୁ ଅନ୍ନପୂର୍ଣ୍ଣାଙ୍କ ବିଷାଦ ମୁଖମଣ୍ଡଳରେ କ୍ଷୀଣ ହାସ୍ୟ ଦେଖାଗଲା । ସେ ସେହିକ୍ଷଣି–ଚିନ୍ତା ରାଜ୍ୟରୁ ଫେରିଆସି ନିଦ୍ରିତ ହେଲେ । ପ୍ରଭାତ ହେଲାରୁ ତାଙ୍କର ଏ ପରିବର୍ତ୍ତନ ରାଜପରିବାର ମଧ୍ୟରେ ଆନନ୍ଦସ୍ରୋତର ସୃଷ୍ଟି କରି ଦେଲା ।

Image

 

ବିଂଶ ପରିଚ୍ଛେଦ

 

ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଆଜି ଏକାକୀ ନିଜର ପ୍ରକୋଷ୍ଠ ମଧ୍ୟରେ ଆସୀନ । ତାଙ୍କ ମୁଖରେ ଚିନ୍ତାରେଖା ସ୍ପଷ୍ଟ ପ୍ରତୀୟମାନ । କେତେବେଳେ ହାସ୍ୟ, କେତେବେଳେ ବିଷାଦ ତାଙ୍କ ମୁଖଭଙ୍ଗୀରୁ ଜଣାପଡ଼ୁଅଛି । ସେ ଆଜି ଗୁରୁତର ଭାବନା ମଧ୍ୟରେ ଇତସ୍ତତଃ । କର୍ଣ୍ଣାଟ ଓ ଉତ୍କଳ ମଧ୍ୟରେ ସନ୍ଧି–ଏ ବ୍ୟାପାରରେ ହସ୍ତକ୍ଷେପ କରି ସେ ପ୍ରତାପରୁଦ୍ରଙ୍କର ବିଶେଷ ଅନୁରାଗଭାଜନ ହୋଇପାରିଛନ୍ତି । ପୁଣି ଶଠଶିରୋମଣି ଡିମାରାଜ ତାଙ୍କୁ କୌଶଳ–ବାଗୁରାରେ ପକାଇ ଓଡ଼ିଶାର ସିଂହାସନ ପ୍ରଦାନ କରିବାର ଆଶା ଦେବା ଯୋଗୁଁ ସେ ଆଜି ଆନନ୍ଦରେ ଅନ୍ଧ । ଯୁଗପତ୍ ବିସ୍ମୟରେ ସେ କରମର୍ଦ୍ଦନ କରୁ କରୁ କହି ପକାଇଲେ, ‘‘କ’ଣ ବିଦ୍ୟାଧର ଏ ବିଶାଳ–ଉତ୍କଳ–ସାମ୍ରାଜ୍ୟର ସମ୍ରାଟ ! କି ଭାଗ୍ୟ ମୋର ! ପ୍ରତାପରୁଦ୍ର ବର୍ତ୍ତମାନ ବୈଷ୍ଣବ, ରାଜସିଂହାସନ ତାଙ୍କ ପକ୍ଷେ କଣ୍ଟକ । ସଂସାରୀ ହେବା ଲାଗି ତାଙ୍କର ଇଚ୍ଛା ନାହିଁ । ତେବେ ଏ ବିଶାଳ ସାମ୍ରାଜ୍ୟ ଭାର ନିଶ୍ଚୟ ବିଦ୍ୟାଧର ଉପରେ । ସେ ବର୍ତ୍ତମାନ ଏହାର ଅଧିପତି । ଉତ୍କଳର ଭାଗ୍ୟ ବିଦ୍ୟାଧର ହାତରେ । ସେ ନିମିଷମାତ୍ରେ ସବୁ ପରିବର୍ତ୍ତନ କରିଦେଇପାରେ । ଏଥିଲାଗି କଣ୍ଟକରୂପେ ରାଜକୁମାର ଦ୍ଵୟ ବିଦ୍ୟମାନ । ଏ ଦୁହିଁକୁ ହତ୍ୟା କଲେ ଉତ୍କଳ–ସିଂହାସନ ନିଷ୍କଣ୍ଟକ । ବିଦ୍ୟାଧରର ଏକଛତ୍ର ଆଧିପତ୍ୟ । ଦେଖାଯାଉ, ପ୍ରଭୁ ଇଚ୍ଛା ବଳବତୀ ।’’ ବିଦ୍ୟାଧର ନିଜର ଭବିଷ୍ୟତ ଭାବି ଭାବି ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ରାଜଦଣ୍ଡ ଧାରଣର ସୁଖ–ସ୍ୱପ୍ନ ରାଜ୍ୟରେ ସେ ଚତୁର୍ଦ୍ଦିଗ ସିଂହାସନମୟ ଅନୁଭବ କଲେ । ରାଜପଦ ! ଆହା, କି ସୁଖକର ! ବିଳାସର ଗୋଟିଏ ପ୍ରଧାନ ଉନ୍ମୁକ୍ତ କ୍ଷେତ୍ର । ରାଜା ସେହି ବିଳାସ–ସାଗର–ପଥର ଏକମାତ୍ର ଯାତ୍ରୀ ।

 

ପ୍ରହରୀ ହଠାତ୍ ସମ୍ବାଦ ଦେଲା, ‘‘ମନ୍ତ୍ରୀ ଡିମାରାଜ ଦ୍ଵାରଦେଶରେ ।’’ ପ୍ରବେଶ କରାଅ’’ ବୋଲି କହି ବିଦ୍ୟାଧର ଭାବନା–ରାଜ୍ୟକୁ ଚାଲିଲେ । ସେ ଶୂନ୍ୟରେ କେବେ ସୌଧ ନିର୍ମାଣ କରିଗଲେ, ତାହା ତାଙ୍କୁ ଜଣା । ଡିମାରାଜ ଉପସ୍ଥିତ ହୁଅନ୍ତେ ବିଦ୍ୟାଧର ତାଙ୍କୁ ଅଭିବାଦନ ପୂର୍ବକ ଆସନ ପ୍ରଦାନ କଲେ । ଉଭୟଙ୍କ ମଧ୍ୟରେ କଥୋପକଥନ ଚାଲିଲା । ବହୁତ ଯୁକ୍ତିତର୍କ ସନ୍ଧି ପତ୍ର ଲିଖିତ ହେଲା । ଶଠ ଶିରୋମଣି ଡିମାରାଜ ଓଡ଼ିଶା ଓ କର୍ଣ୍ଣାଟ ରାଜ୍ୟର ସୀମାରୂପେ କୃଷ୍ଣା ନଦୀକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ କରି ଅର୍ଥଲୋଭୀ ବିଦ୍ୟାଧରଙ୍କୁ ଭୁଲାଇ କୃତକାର୍ଯ୍ୟ ହେଲେ । ଅନନ୍ତର ବିବାହଦିବସ ସ୍ଥିର କରିବାପାଇଁ ମନ୍ତ୍ରଣା ଚାଲିଲା । ଶ୍ରୀଗୁଣ୍ଡିଚା ଦିବସରେ ଏ ମାଙ୍ଗଳିକକାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ବିଦ୍ୟାଧର ପ୍ରସ୍ତାବ କଲେ ।

 

ଡିମାରାଜ ଏଥିରେ ସମ୍ମତ ହୋଇ ବିଦ୍ୟାଧରଙ୍କୁ କୃତଜ୍ଞତା ଜଣାଇଲେ । ତତ୍ପରେ ଉଭୟେ ଯଥାବିଧି ଅଭିବାଦନ ଜଣାଇ ବିଦାୟ ନେଲେ ।

 

ଓଡ଼ିଶା ଓ କର୍ଣ୍ଣାଟ ମଧ୍ୟରେ ଏ ସନ୍ଧି ଓଡ଼ିଆ ପକ୍ଷେ ନିତାନ୍ତ ଅପମାନ ଓ ଲଜ୍ଜାର ବିଷୟ-। ଏତଦ୍‍ଦ୍ୱାରା ବିଦେଶୀ ଶତ୍ରୁମାନେ ଉତ୍କଳର ପତନ ଅବସ୍ଥା ଉତ୍ତମରୂପେ ବୁଝିପାରିଥିଲେ-। ଚତୁର୍ଦ୍ଦିଗରେ ପ୍ରତାପରୁଦ୍ରଙ୍କୁ କେହି ହେଲେ ପ୍ରଶଂସା କଲେ ନାହିଁ ।

Image

 

ଏକବିଂଶ ପରିଚ୍ଛେଦ

 

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁରୀଧାମରେ ଶ୍ରୀ ଗୁଣ୍ଡିଚାଯାତ୍ରା । କଟକରେ ରାଜକୁମାରୀ ଅନ୍ନପୂର୍ଣ୍ଣାଙ୍କ ବିବାହୋତ୍ସବ । ଆଜି ନଗର ଲୋକାରଣ୍ୟ । ସ୍ଥାନେ ସ୍ଥାନେ ଶୁଭ ସୂଚକ ବାଦ୍ୟତାନର ଲହରୀ, ଉତ୍ସବାନନ୍ଦର ମହାତରଙ୍ଗ ।

 

ବୀର ରକ୍ତ ପିଣ୍ଡରେ ଗଠିତ ବାରବାଟୀ ଓଡ଼ିଶାର ସୁଦୃଢ଼ ଦୁର୍ଗ ମଧ୍ୟରେ ଅନ୍ୟତମ । ଭାରତବିଖ୍ୟାତ ନରପତି ଅନଙ୍ଗଭୀମ ଦ୍ଵାଦଶଶତାବ୍ଦୀ ଶେଷ ଭାଗରେ ଏହାକୁ ନିର୍ମାଣ କଲା ପରି ଅନୁମିତ ହୁଏ । ଏକ ଦିଗରେ ଚଉଦୁଆର ଦୁର୍ଗ ଓ ନଦୀ, ଅନ୍ୟ ଦିଗରେ ବିଡ଼ାନାସୀ ଏବଂ ମହାନଦୀ ଓ ସାମାନ୍ୟ ଅରଣ୍ୟ ବିଦ୍ୟମାନ । ଦକ୍ଷିଣ ଦିଗରେ ଶାରଙ୍ଗଗଡ଼ ଓ ନଦୀ ଅବସ୍ଥିତ । ଦୁର୍ଗରେ ଦୁଇ ଗୋଟି ପ୍ରସ୍ତର ପ୍ରାଚୀର । ଗୋଟାଏ ବହିର୍ଭାଗରେ ପରିଖା ନିକଟରେ ଏବଂ ଅନ୍ୟଟି ଚତୁଃପାର୍ଶ୍ୱରେ ବେଷ୍ଟିତ । ତାହାର ପ୍ରସ୍ଥ ପ୍ରାୟ ଦେଢ଼ ଶତ ହସ୍ତ । ଅଭ୍ୟନ୍ତରସ୍ଥ ପ୍ରାଚୀରଟିର ଦୀର୍ଘ ପ୍ରାୟ ୧୫୦୦ ହାତ ଓ ପ୍ରସ୍ତ ୧୨୦୦ ହାତ ଅଟେ । ପ୍ରାଚୀର ମଧ୍ୟସ୍ଥିତ ପ୍ରଦେଶ ଘନବନାବୃତ । ପ୍ରାଚୀର ପୂର୍ବଦିଗରେ ପ୍ରକାଣ୍ଡ ତୋରଣ । ଦୁର୍ଗ ମଧ୍ୟରେ ନାନାବିଧ ଶିଳ୍ପ ପରିଶୋଭିତ ଅସଂଖ୍ୟ ପ୍ରାସାଦ ଓ ଅଟ୍ଟାଳିକା–ବିଶେଷତଃ ସଭାମଣ୍ଡପ ଓ ମନ୍ତ୍ରଣା–ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋମୁଗ୍ଧକର । ଅନ୍ତଃପୁର ରାଜପ୍ରାସାଦରୁ ସମ୍ପୂର୍ଣ୍ଣ ପୃଥକ୍ । ପ୍ରାସାଦର ଉଭୟ ପାର୍ଶ୍ଵରେ ନାନାବିଧ ଫଳ–ପୁଷ୍ପ–ଶୋଭିତ ଉପବନ, ନିର୍ମଳ ଜଳ ପୂର୍ଣ୍ଣ ପୁଷ୍କରିଣୀ ବିଦ୍ୟମାନ । ଦୁର୍ଗାଧିଷ୍ଠାତ୍ରୀ ଚଣ୍ଡୀଙ୍କ ମନ୍ଦିର ପ୍ରସାଦର ଦକ୍ଷିଣ ଦିଗରେ ଅବସ୍ଥିତ । କାଞ୍ଚିରୁ ଆନୀତ ସାକ୍ଷୀଗୋପାଳ ମୂର୍ତ୍ତି ମଧ୍ୟ ଏଠାରେ ସୁରକ୍ଷିତ ।

 

ବାରବାଟୀ ଆଜି ଉତ୍ସବମୟ । ଚତୁର୍ଦ୍ଦିଗରେ ରମ୍ଭା ବୃକ୍ଷ ପ୍ରୋଥିତ, ଚୁତପତ୍ର ଓ ନାନାବିଧ ପୁଷ୍ପଗୁଚ୍ଛରେ ରଚିତ ତୋରଣାବଳୀ ଓ ବିଶାଳ ଚନ୍ଦ୍ରାତପ ଖଚିତ ଛାୟାମଣ୍ଡପମାନ ଆଜି ଅଧିକ ଭାବରେ ସୁନ୍ଦରତା ବଢ଼ାଇ ଦେଇଛି । ବରଯାତ୍ରୀଙ୍କ ଶୋଭାଯାତ୍ରା ନିରୀକ୍ଷଣ କରିବାଲାଗି ନଗରବାସୀ ନିର୍ନିମେଷ ନୟନରେ ଅନାଇରହିଛନ୍ତି । କ୍ରମେ ସନ୍ଧ୍ୟା ଉପସ୍ଥିତ ହେଲା । ସଙ୍ଗେ ସଙ୍ଗେ ବିରାଟ ଶୋଭାଯାତ୍ରା । ରାଜମାର୍ଗ ଜନାକୀର୍ଣ୍ଣ–ଚତୁର୍ଦ୍ଦିଦିଗରେ ହୁଳହୁଳି, ବାଦ୍ୟତାନ । ମାର୍ଗ ଆଲୋକମୟ । ବହୁସଂଖ୍ୟକ ହସ୍ତୀ, ଘୋଟଳ ଓ ବିପୁଳ ଜନସମାଗମରେ ଶାନ୍ତି ରକ୍ଷା କରିବା କଷ୍ଟକର । ପୁଣି ଅନେକ ପ୍ରକାର ବାଣ ଆତସବାଜି ଫୁଟିଗଲା । ବରଯାତ୍ରୀଗଣ କେହି ଅଶ୍ଵପୃଷ୍ଠରେ, କିଏ ଅବା ଶିବିକାରେ କିମ୍ବା ହସ୍ତୀରେ ଆରୂଢ଼ ହୋଇ ଚାଲିଛନ୍ତି । ଚାରଣ ଓ ବନ୍ଦୀମାନଙ୍କ ଗୀତା ଗାନରେ ଦିଗନ୍ତ ଉଛୁଳି ପଡ଼ୁଛି । ଆଡ଼ମ୍ବରର ଘନଘଟା–କ୍ରମେ ବର ବାରବାଟୀ ନିକଟରେ ଉପନୀତ ହେଲେ । ସେତେବେଳକୁ ପ୍ରଭାତିତାରା ଉଦୟ ହୋଇଗଲାଣି । ପୁରୋହିତବର୍ଗ ଯଥାବିଧି ବରଣ କରି ନେଇ କ୍ଷିପ୍ର ଗତିରେ ସମସ୍ତ ବୈଦିକ କର୍ମ କରି ପକାଇଲେ-

 

ହସ୍ତଗ୍ରନ୍ଥିବେଳକୁ ଠିକ୍ ସୂର୍ଯ୍ୟୋଦୟ । ଅନ୍ନପୂର୍ଣ୍ଣାଙ୍କର ସେହି କୋମଳ କରପଲ୍ଲବ ସହିତ କୃଷ୍ଣଦେବ ରାୟଙ୍କ ଶ୍ରୀକର ସଂଯୁକ୍ତ ହୋଇ ବଡ଼ ସୁନ୍ଦର ଦେଖାଗଲା । ପ୍ରତାପରୁଦ୍ର କନ୍ୟା ସମର୍ପଣ ପୂର୍ବକ ଯଥାବିଧି ଯୌତୁକ ସମ୍ଭାର ପ୍ରଦାନ କଲେ । ଏଣିକି ଅନ୍ନପୂର୍ଣ୍ଣା ରାଜମହିଷୀ । ଓଡ଼ିଶା–ରାଜ–ପରିବାର ସହିତ ତାଙ୍କର ଯେ ଅଚ୍ଛେଦ୍ୟ ସମ୍ବନ୍ଧ, ତା’ ମୂଳରେ ବର୍ତ୍ତମାନ କୁଠାରାଘାତ ହେଲା-। ସେ ଏଣିକି ସ୍ୱାମୀ ଦୁଃଖରେ ଦୁଃଖିନୀ, ସ୍ୱାମୀଙ୍କ ସୁଖରେ ସହକାରିଣୀ–ଏଇଥିପାଇଁ କୋମଳ କଠୋରର ମଧୁର ମିଳନ ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ବିବାହୋତ୍ସବ ଅନ୍ତେ ପ୍ରତାପରୁଦ୍ର ଗୁଣ୍ଡିଚାଯାତ୍ରା ନିମିତ୍ତ ଶ୍ରୀକ୍ଷେତ୍ରକୁ ଗମନ କଲେ । ସେଠାରେ ମହାତ୍ମା ଚୈତନ୍ୟଙ୍କ ପ୍ରତିଷ୍ଠିତ ହରିନାମ–ସଂକୀର୍ତ୍ତନ ଲହରୀରେ ସମସ୍ତେ ବିଭୋର–ରାଜା ମଧ୍ୟ ତଦ୍ରୂପ । ବହୁ ଦିନ ପରେ ସେ ପରମ ଭାଗ୍ୟବାନ ହୋଇଛନ୍ତି–କାରଣ ଶ୍ରୀକୃଷ୍ଣ ଚୈତନ୍ୟ ଆଜି ତାଙ୍କ ସମ୍ମୁଖରେ । ଗୁଣ୍ଡିଚାଯାତ୍ରାରେ ପ୍ରଭୁ ତାଙ୍କୁ ଏ ଈପ୍ସିତ ଫଳ ପ୍ରଦାନ କରିଛନ୍ତି ଭାବି ଗଜପତିଙ୍କ ନୟନରୁ ପ୍ରେମାଶ୍ରୁ ବିଗଳିତ ହେଲା । ସେ ଦିନ ସନ୍ଧ୍ୟାରେ ଯେତେବେଳେ ଚୈତନ୍ୟ ଜଗନ୍ନାଥବଲ୍ଲଭ ଉଦ୍ୟାନରେ ବିଶ୍ରାମ କରୁଥିଲେ ସେତେବେଳେ ରାଜା ପ୍ରତାପରୁଦ୍ର ତାଙ୍କ ପଦସେବା କରି ଆହୁରି ଆପ୍ୟାୟିତ ହେଲେ । ରାଜାଙ୍କର ଚିତ୍ତ ପରୀକ୍ଷା ଲାଗି ଚୈତନ୍ୟ ଯେ କଠୋରତା ଅବଲମ୍ବନ କରିଥିଲେ, ତାହା ଏତେ ଦିନେ ପ୍ରତାପରୁଦ୍ର ବୁଝିପାରିଲେ । ସାର୍ବଜନୀନ ପ୍ରେମ ସେ କିପରି ଶିକ୍ଷା କରିପାରିଛନ୍ତି, ସେଥିପାଇଁ ତାଙ୍କୁ କେତେ ତ୍ୟାଗ କରିବାକୁ ପଡ଼ିଛି, ଆଉ ସେହି ତ୍ୟାଗ ବଳରେହିଁ ସେ ଆଜି ତାଙ୍କୁ ଅଭିଳଷିତ ଧନ ପାଇଛନ୍ତି; ଏହାଠାରୁ ବଳି ଆଉ ଭାଗ୍ୟର ବିଷୟ କ’ଣ ଥାଇପାରେ ।

 

ଆଜି ବିବାହର ତୃତୀୟ ଦିବସ । ରାଜା କୃଷ୍ଣଦେବ ରାୟ ସ୍ୱଦେଶକୁ ପ୍ରୟାଣ କରିବାକୁ ଇଚ୍ଛୁକ । କିନ୍ତୁ ପ୍ରତାପରୁଦ୍ର ଗୁଣ୍ଡିଚାଯାତ୍ରା ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ କଲେ । କର୍ଣ୍ଣାଟ ଅଧୀଶ୍ଵର ଏ ଅନୁରୋଧ ରକ୍ଷା କରିବାକୁ କୁଣ୍ଠିତ ହେବାରୁ ଅଗତ୍ୟା ପ୍ରତାପରୁଦ୍ର କନ୍ୟା ଓ ଜାମାତାଙ୍କୁ ବିଦାୟ ଦେବା ଲାଗି ସମସ୍ତ ଆୟୋଜନ କରିବାକୁ ଲାଗିଲେ । ଅନ୍ତଃପୁର ମଧ୍ୟରେ ମହାକୋଳାହଳ ଓ କ୍ରନ୍ଦନର ସୀମା ରହିଲା ନାହିଁ । ଅନ୍ନପୂର୍ଣ୍ଣା କାନ୍ଦି କାନ୍ଦି ଅଜ୍ଞାନ ହୋଇଗଲେ । ତାଙ୍କର ସେହି ଅପୂର୍ବ ଲାବଣ୍ୟମୟୀ ମୂର୍ତ୍ତିଟି କ୍ରମେ ମଳିନ ଓ କ୍ଷୀଣ ହୋଇଗଲା । ବାଲ୍ୟକାଳର ସୁଖ ସ୍ନେହ, ଆମୋଦ ପ୍ରମୋଦ, କ୍ରୀଡ଼ା କୌତୁକମାନ ସ୍ମରଣ କରି ସେ ଜନନୀଙ୍କ କଣ୍ଠାଲିଙ୍ଗନ ପୂର୍ବକ କ୍ରନ୍ଦନ କରିବାକୁ ଲାଗିଲେ । ପ୍ରତାପରୁଦ୍ର ମଧ୍ୟ କନ୍ୟାର ଏ ଦୁର୍ଦ୍ଦଶାରେ ତରବର ହୋଇ ପଡ଼ିଲେ । ତାଙ୍କ ନୟନଯୁଗଳ ଅଶ୍ରୁପୂର୍ଣ୍ଣ ହୋଇଗଲା । ମାତ୍ର ସେ ଧୈର୍ଯ୍ୟ ଧାରଣ କରି କହିଲେ, ‘‘ମା’ ମୋର, ତୁ କ’ଣ ଜାଣୁନାହିଁ, କନ୍ୟାଟିକୁ ଦିନେ ହେଲେ ପିତାମାତାଙ୍କୁ ଅନ୍ୟ ହସ୍ତରେ ସମର୍ପଣ କରିବାକୁ ପଡ଼ିବ । ତୁ ଯାବତୀୟ ବିଷୟ ଜାଣିଶୁଣି ମଧ୍ୟ ପାଗଳ ତୁଲ୍ୟ ପ୍ରଳାପ କରୁଛୁ । ତେବେ ତୋର ଆଉ ଅନ୍ୟାନ୍ୟମାନଙ୍କଠାରୁ ବିଶେଷ ଗୁଣ କ’ଣ ଅଛି ?’’ ଜେମା ପ୍ରବୋଧ ମାନିଲେ ସତ, ମାତ୍ର ନୀରବ ଦୁଃଖାଗ୍ନିରେ ତାଙ୍କର ଅନ୍ତରାତ୍ମା ଦଗ୍ଧ ହୋଇଯାଉଥାଏ ।

 

ଯୌତୁକର ଯାବତୀୟ ସମ୍ଭାର ଠିକ୍ କରାଗଲା–ବହୁମୂଲ୍ୟ ଅଳଙ୍କାର, ପଟ୍ଟବସ୍ତ୍ର, ନାନାବିଧ ପାତ୍ର, ଅଶ୍ଵ, ହସ୍ତୀ ପ୍ରଭୃତି, ଆହୁରି ମଧ୍ୟ ଏକ ସହସ୍ର ପଦାଦିକ ସେନା ଓ ପଚାଶ ଜଣ ଦାସୀ–କର୍ଣ୍ଣାଟରୁ ଆନୀତ ସେହି ବୃଦ୍ଧାଟି ମଧ୍ୟ । କ୍ରମେ ରଜନୀ ଦ୍ଵିପ୍ରହର ହେଲା । ବାରବାଟୀ ଶଙ୍ଖଧ୍ଵନି ଓ ହୁଳହୁଳି ନାଦରେ ଧ୍ୱନିତ ହୋଇଗଲା । କୃଷ୍ଣଦେବ ରାୟ ନବ–ମହିଷୀଙ୍କ ସହିତ ସ୍ଵଦେଶ ଅଭିମୁଖେ ଯାତ୍ରା କଲେ । ସେମାନେ ସମସ୍ତେ ପୁରୀଠାରେ ଜଗନ୍ନାଥଙ୍କୁ ଦର୍ଶନ କରି ଆନନ୍ଦରେ ପ୍ରୟାଣ କଲେ ।

 

ଏତେ ଆନନ୍ଦ ମଧ୍ୟରେ ଅନ୍ନପୂର୍ଣ୍ଣା କେବଳ ନିରାନନ୍ଦ–ରାଜ୍ୟରେ ନିଜର ଆତ୍ମ ଚିନ୍ତାରେ ବ୍ୟସ୍ତ । ସ୍ଵର୍ଗାଦପୀ ଗରୀୟସୀ ଜନ୍ମଭୂମି, ଗର୍ଭଧାରିଣୀ ଜନନୀ ଓ ପରମ ସ୍ନେହ–ପ୍ରତିମୂର୍ତ୍ତି ପିତାଙ୍କୁ ହରାଇ ସେ କୁଆଡ଼େ ଯାଉଛନ୍ତି । ଜେମାମଣି ଏଗୁଡ଼ିକ ଭାବି ଭାବି କେବଳ ଶିବିକା ମଧ୍ୟରେ ନିଃଶ୍ୱାସ ତ୍ୟାଗ କରୁଥାନ୍ତି ଓ ଅବିରଳ ଆଶ୍ରୁଧାରା ବହି ଯାଉଥାଏ ।

 

ରାଜା ପ୍ରତାପରୁଦ୍ର କନ୍ୟା ଓ ଜାମାତାଙ୍କୁ ଶ୍ରୀକ୍ଷେତ୍ରଠାରେ ବିଦାୟ ଦେଇ ଫେରିଲେ । ଫେରିବା ପୂର୍ବରୁ ଜେମାଙ୍କ ନିକଟକୁ ଯାଇ କହିଲେ, ‘‘ମା’ ମୋର, କେବେହେଲେ ପିତୃବଂଶର ଓ ଶିକ୍ଷାର ଅବମାନନା କରିବୁ ନାହିଁ । ଯା, ମୋର ସ୍ନେହ–ପିତୁଳି, ତୁ ତୋର ସୁନ୍ଦର ସଂସାର ଗଢ଼ି ସୁଖରେ ଦିନଯାପନ କରିବୁ ।’’

 

ଜେମା କେବଳ ପିତାଙ୍କୁ ଏକ ଦୃଷ୍ଟିରେ ଅନାଇ ରହିଲେ । ‘‘ବାପା ମୋର ।’’ ଏତିକି କହିଲାବେଳକୁ ମୀନାକ୍ଷୀ ପୋଇଲୀଟା ସବାରି କବାଟ ପକାଇଦେଲା । ଗଜପତି ଦୀର୍ଘ ନିଃଶ୍ଵାସ ତ୍ୟାଗ ପରେ ରାଜପ୍ରାସାଦକୁ ଫେରି ଆସିଲେ ।

 

ବର୍ତ୍ତମାନ ଗଜପତିଙ୍କ ମନରେ ଶାନ୍ତି ରାଜତ୍ଵ କଲା । ସେ ଅବସର ପାଇ ଧର୍ମଚର୍ଚ୍ଚା ଓ ପଣ୍ଡିତ ମଣ୍ଡଳୀଙ୍କ ସହିତ ‘‘ସରସ୍ଵତୀ–ବିଳାସ’’ ରଚନାରେ ମନ ପ୍ରାଣ ଢାଳି ଦେଲେ ।

Image

 

ତ୍ରୟୋବିଂଶ ପରିଚ୍ଛେଦ

 

ପ୍ରାୟ ଏକ ମାସ କାଳ ପଥ ମଧ୍ୟରେ ଅତିବାହିତ କରି ଦେବରାୟ ବିଜୟନଗରର ନିକଟବର୍ତ୍ତୀ ହେଲେ । ପଥ ମଧ୍ୟରେ ସେପରି କିଛି ଉଲ୍ଲେଖଯୋଗ୍ୟ ଘଟଣା ଘଟି ନଥିଲା । କେବଳ ବିଜୟନଗର ଦୁର୍ଗ ବର୍ଣ୍ଣନା ଏଠାରେ ଅତ୍ୟାବଶ୍ୟକ ହେବାରୁ ତାହା ନିମ୍ନରେ ଦିଆଗଲା ।

 

ବିଜୟନଗର କର୍ଣ୍ଣାଟ ରାଜ୍ୟର ପ୍ରଧାନ ଓ ସୁଦୃଢ଼ ଦୁର୍ଗ । ଚତୁର୍ଦ୍ଦିଶ ଶତାବ୍ଦୀର ମଧ୍ୟଭାଗରେ ରାଜା ହରହରି ରାୟ ଏହ ନଗର ସ୍ଥାପନ କରିଥିଲେ । ତୁଙ୍ଗଭଦ୍ରାର ଦକ୍ଷିଣ ଦିଗରେ ନଗରଟି ଅବସ୍ଥିତ । ସେ ସମୟରେ କର୍ଣ୍ଣାଟ ରାଜ୍ୟ ସମୁଦ୍ରତୀରରେ ୯୦୦ ମାଇଲ ପର୍ଯ୍ୟନ୍ତ ବିସ୍ତୃତ ଏବଂ ନଗରଟି ସୁରକ୍ଷିତ ସ୍ଥାନରେ ନିର୍ମିତ ହୋଇଥିଲା । ଚତୁର୍ଦ୍ଦିଗରେ ମହୋଳ ସୁବିଶାଳ ପର୍ବତ ଶ୍ରେଣୀ ପ୍ରାକୃତିକ ପ୍ରାଚୀରରୂପେ ଦୁର୍ଗଟିକୁ ଆହୁରି ନିରାପଦ କରିଥିଲା । ଭାରତର ଅନ୍ୟ ପ୍ରଦେଶରେ ଏପରି ମନୋହର ଓ ନିରାପଦ ସ୍ଥାନ ବିରଳ ! ନଗରର ତିନି କ୍ରୋଶ ଦୂରରେ ଗୋଟିଏ ପ୍ରଧାନ ପର୍ବତ ମାଳା ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଅଛି । ଏହି ପର୍ବତ ଶ୍ରେଣୀର ଦୈର୍ଘ୍ୟ ପ୍ରାୟ ଏକ କ୍ରୋଶ । ପର୍ବତମାଳା ଓ ନଗର ମଧ୍ୟରେ ବ୍ୟବଧାନ ଥିବା ସ୍ଥଳମାନ କୃତ୍ରିମ ପର୍ବତରେ ପୂର୍ଣ୍ଣ । ସ୍ଥାନେ ସ୍ଥାନେ ସମତଳ କ୍ଷେତ୍ର ।

 

ନଗରର ଦ୍ଵାରଦେଶମାନଙ୍କରେ ପ୍ରକାଶ ତୋରଣମାନ ବିରାଜିତ ଓ ବିଶିଷ୍ଟ ବିଶିଷ୍ଟ ସୈନିକବର୍ଗଙ୍କ ତତ୍ତ୍ଵାବଧାନରେ ଦ୍ଵାରଗୁଡ଼ିକ ରକ୍ଷିତ; ବହିର୍ଭାଗରେ ସ୍ଥାନେ ସ୍ଥାନେ ନିର୍ମଳ ଜଳ ପୂର୍ଣ୍ଣ ସରୋବର, ବିଭିନ୍ନ ଫଳ ପୁଷ୍ପ ଶୋଭିତ ଉଦ୍ୟାନ ସମୂହ ବିରାଜିତ ।

 

ନାଗଲାପୁରଠାରୁ ବିଜୟନଗର ପର୍ଯ୍ୟନ୍ତ ଗୋଟିଏ ଦୀର୍ଘ ସାହି ବିଦ୍ୟମାନ । ଗୃହଗୁଡ଼ିକର ନିର୍ମାଣ ପ୍ରଣାଳୀ ଓ ଅବସ୍ଥିତି ଅତି ସୁନ୍ଦର । ବିଶେଷତଃ ନାନାବିଧ ପଣ୍ୟଦ୍ରବ୍ୟର କ୍ରୟବିକ୍ରୟରେ ସ୍ଥାନଟି ଅଧିକ ଗହଳ ହୋଇଥାଏ । ଏହି ସାହିରେ କାରୁକାର୍ଯ୍ୟ ଖଚିତ ‘ଅନନ୍ତଶୟନ ଦେବାଳୟ’ ଅତି ମନୋହର ଓ ପ୍ରାଚୀନ ଶିଳ୍ପକଳାର ଜ୍ଵଳନ୍ତ ପ୍ରମାଣ ।

 

ବିଜୟନଗର ଚତୁର୍ଦ୍ଦିଗରେ ପ୍ରକାଣ୍ଡ ପ୍ରସ୍ତର ପ୍ରାଚୀର । ପ୍ରାଚୀର ପାଖକୁ ବିରାଟ ଜଳପୂର୍ଣ୍ଣ ପରିଖା । ପ୍ରାଚୀର ଅତିକ୍ରମ କଲେ ନଗର ଯିବାକୁ ହୁଏ । ସେଥିପାଇଁ କେତେଗୁଡ଼ିଏ ଶସ୍ୟକ୍ଷେତ୍ର, ଉଦ୍ୟାନ, ଓ ନାଳ ଦୃଷ୍ଟିପଥରେ ପଡ଼ିଥାଏ ।

 

ରାଜା କୃଷ୍ଣଦେବ ରାୟ ବର୍ତ୍ତମାନ ନାଗଲାପୁର ରାଜଭବନରେ ବାସ କରୁଅଛନ୍ତି । କାରଣ ସାନ ଦେବୀ ତାଙ୍କର ବିଶେଷ ଅନୁରାଗ ଭାଜନ । ଏହି ନୂତନ ନଗର ମଧ୍ୟରେ ଗୋଟିଏ ମନୋହର ଦେବାଳୟ ମଧ୍ୟ ନିର୍ମିତ ହୋଇଅଛି । ବହୁସଂଖ୍ୟକ ଜଳାଶୟ ଓ କୂପ ମଧ୍ୟ ଖୋଦିତ ହୋଇଅଛି । ରାଜଭବନଟି ପ୍ରକାଣ୍ଡ ପ୍ରାଚୀରଦ୍ଵାରା ବେଷ୍ଟିତ । ପ୍ରବେଶପଥ ଦୁଇଟି । ତାହା ସଶସ୍ତ୍ର ପ୍ରହରୀମାନଙ୍କଦ୍ୱାରା ରକ୍ଷିତ । ଉଭୟ ଦ୍ଵାର ମଧ୍ୟରେ ଗୋଟିଏ ସଭାମଣ୍ଡପ । ଏ ସ୍ଥାନ ଅତିକ୍ରମ କଲେ ଦୁଇଟି ଦେବାଳୟ ଦୁଇଟି ଗୋଚର ହୁଏ । ତା’ର କିଛି ଦୂରକୁ ଅନ୍ୟ ଦ୍ୱାରଟିକୁ ଅତିକ୍ରମ କରିବାକୁ ପଡ଼େ । ନଗର ମଧ୍ୟରେ ନାନାପ୍ରକାର ଦୋକାନ, ପଣ୍ୟଦ୍ରବ୍ୟରେ ପୂର୍ଣ୍ଣ । ଗୃହଗୁଡ଼ିକ ସୁସଜ୍ଜିତ ଓ ମନୋହର ।

 

ଦେବରାୟଙ୍କ ନଗର ପ୍ରକାଣ୍ଡ, ମନୋହର ଓ ନାନା ଆଡ଼ମ୍ବର ପୂର୍ଣ୍ଣ । ଏହାର ଅନତିଦୂରରେ ଦୁର୍ଗାଧିଷ୍ଠାତ୍ରୀଙ୍କ ମନ୍ଦିର । ପ୍ରତିଦିନ ଏଠାରେ ବଳି ଅର୍ପିତ ହୁଏ । ନଗରଟି ଦେବ ମନ୍ଦିରରେ ପୂର୍ଣ୍ଣ । ଅଧିକାଂଶ ଦେବରାୟଙ୍କ କୀର୍ତ୍ତି । ପ୍ରତି ଶୁକ୍ରବାର ଦିନ ନଗରର ପ୍ରାନ୍ତ ଦେଶସ୍ଥ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ହାଟ ମଧ୍ୟ ବସେ । ଅନେକ ସ୍ଥାନରେ ଶୁକ୍ଳ ଦ୍ରାକ୍ଷାର ଉଦ୍ୟାନ ଓ ନାନାବିଧ ଫଳ ପୁଷ୍ପ ଶୋଭିତ ଉପବନମାନ ପରିଦୃଷ୍ଟ ହୁଏ ।

 

ତୁଙ୍ଗଭଦ୍ରାର ଉତ୍ତର ତୀରରେ ପ୍ରାଚୀନ ରାଜଧାନୀ ଆନେଗୋନ୍ଦିପୁର । ଏଠାରେ ଗୋଟିଏ ସୁଦୃଢ଼ ଦୁର୍ଗ ଅବସ୍ଥିତ । ଜଣେ ସେନାପତି ଏହି ଦୁର୍ଗରେ ବାସ କରନ୍ତି । ଲୋକେ ବେତ୍ର ନିର୍ମିତ ନୌକାରେ ନଦୀପାର ହୋଇଥାନ୍ତି । ଏହି ନଗରରେ ତିନୋଟି ବୃହତ୍ ଦେବମନ୍ଦିର ଅଛି । ବିରୂପାକ୍ଷ ସ୍ୱାମୀଙ୍କର ମନ୍ଦିର ତନ୍ମଧ୍ୟରେ ପ୍ରଧାନ । ବିରୂପାକ୍ଷ ରାଜ୍ୟର ସର୍ବ ପ୍ରଧାନ ଦେବତା । ପ୍ରଜାବର୍ଗ ଏହାଙ୍କୁ ସମସ୍ତ ଭକ୍ତି ଓ ବିଶ୍ଵାସ ଅର୍ପଣ କରିଥାନ୍ତି । ଏଠାରେ ଗୋଟିଏ ପାନ୍ଥନିବାସ ଓ ରାଜପ୍ରାସାଦ ନିର୍ମିତ ହୋଇଅଛି । ଏହି ମନ୍ଦିରର ଶିଳ୍ପକଳା ଅତି ମନୋହର । ମନ୍ଦିର ଗାତ୍ରରେ ଅନେକଗୁଡ଼ିଏ ଦେବଦେବୀର ମୂର୍ତ୍ତି ବିରାଜିତ । ସମ୍ମୁଖସ୍ଥ ମଣ୍ଡପର ସ୍ତମ୍ଭଗୁଡ଼ିକ ସ୍ଵର୍ଣ୍ଣ ଓ ତାମ୍ରରେ ନିର୍ମିତ । ଏଥିମଧ୍ୟରେ ଅସଂଖ୍ୟ ତ୍ରିକୋଣାକାର ଗର୍ଭ । ଏଥିରେ ପ୍ରତିଦିନ ରାତ୍ରକୁ ଦୀପାବଳି ଜଳାଯାଏ । ଦୀପ ସଂଖ୍ୟା ପ୍ରାୟ ଏକ ସହସ୍ର ହେବ ।

 

ବିଜୟନଗର ରାଜଭବନ ଅତିବିଶାଳ । ଏଥିରେ ଚଉତିରିଶ ଗୋଟି ସାହି । ଅନ୍ତଃପୁରମାନ ଭିନ୍ନ ଭିନ୍ନ ଉପାଦାନରେ ଗଠିତ । କେତେଗୁଡ଼ିଏ ନପୁଂସକ ଏଠାରେ କଞ୍ଚୁକୀ କାର୍ଯ୍ୟ କରନ୍ତି । ବିଜୟନଗରର ସୈନ ସଂଖ୍ୟା ପ୍ରାୟ ଦଶ ଲକ୍ଷ । ବର୍ଷରେ ଥରେ ଲେଖାଏଁ ଏମାନଙ୍କୁ ବେତନ ଦିଆଯାଏ । ସୈନ ବିଭାଗରେ ରାଜସରକାର ଅଜସ୍ର ଧନ ବ୍ୟୟ କରିଥାନ୍ତି ।

 

କୃଷ୍ଣଦେବ ରାୟ ବିଜୟନଗରରେ ଉପନୀତ ହେବାର କିଛିଦିନ ପରେ ଦିଗ୍‍ବିଜୟର ସ୍ମୃତିଚିହ୍ନସ୍ଵରୂପ ‘‘ଜୟ–ମନ୍ଦିର’’ ନିର୍ମାଣ ଆରମ୍ଭ ହେଲା । ସେହି ଦିନଠାରୁ ରାଜା ‘‘ଶ୍ରୀମାନ ମହାରାଜାଧିରାଜ ରାଜପରମେଶ୍ଵର ପୂର୍ବ ଦକ୍ଷିଣ ପଶ୍ଚିମ ସମୁଦ୍ରାଧୀଶ୍ୱର ଶ୍ରୀକୃଷ୍ଣ ଦେବ ମହାରାୟ’’ ଉପାଧିରେ ଭୂଷିତ ହେଲେ ।

Image

 

ଚତୁର୍ବିଂଶ ପରିଚ୍ଛେଦ

 

ବିବାହର ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟମାନ ବିଜୟନଗର ଦୁର୍ଗରେ ମହାସମାରୋହ ସହକାରେ ସଂପାଦିତ ହେଲା । ଆଜି ଅନ୍ନପୂର୍ଣ୍ଣା ବିଜୟନଗରର ନୂତନ ମହିଷୀ । ରାଜା ତାଙ୍କ ନିମିତ୍ତ ନୂତନ ପ୍ରାସାଦ, ଉପବନ, କ୍ରୀଡ଼ାଭୂମି ପ୍ରଭୃତି ନିର୍ମାଣ କରିଦେଲେ । ଅନ୍ନପୂର୍ଣ୍ଣା ତାଙ୍କର ପରିଚାରିକା ଓ ସହକାରୀମାନଙ୍କ ସହିତ ସେଠାରେ ଦିନଯାପନ କରିବାକୁ ଲାଗିଲେ ।

 

ସ୍ଵଭାବତଃ ନୂତନ ଦେଶ, ନୂତନ ଜଳବାୟୁ, ଖାଦ୍ୟପେୟ, ଆଚାର ବ୍ୟବହାର, ସବୁଥିରେ ନୂତନତା । ପୁଣି ଏ ବିବାହରେ ତାଙ୍କର ମନ ଆଦୌ ନଥିଲା । ପରମାରାଧ୍ୟ ପିତୃଦେବଙ୍କ ଆଜ୍ଞା ଲଙ୍ଘନ କରି ନପାରି ସେ ଆଜି ବିପଦ ବରଣ କରିଛନ୍ତି ବୋଲି ଭାବି ତାଙ୍କର ଅନ୍ତରାତ୍ମା କାନ୍ଦି ଉଠିଲା । ଚତୁର୍ଦ୍ଦିଗରେ ନୂତନତ୍ଵ ଓ ସମସ୍ତ ପୁରାତନ ସୁଖ ସୌଖ୍ୟର ଦାରୁଣ ବିଚ୍ଛେଦ ତାଙ୍କୁ ବରାବର ଚିନ୍ତାକ୍ଳିଷ୍ଟ କରିଦେଲା । ବସ୍ତୁତଃ ତାଙ୍କ କୋମଳ ପ୍ରାଣରେ ଏ ସବୁ ଦାରୁଣ ଆଘାତ ବିଷମ ପରିବର୍ତ୍ତନ ଘଟାଇଥିଲା । ସେ ସର୍ବଦା ବିଷଣ୍ଣ, କାତର ଓ ଶୋକାକୁଳିତ ଦେଖାଯାଉଥିଲେ । ପରିଚାରିକାମାନଙ୍କ ମଧ୍ୟରେ କେବଳ ବୃଦ୍ଧା ମୀନାକ୍ଷୀ ଜେମାଙ୍କର ଏ ଗତି ରୀତି ଦେଖି ତାଙ୍କୁ ପ୍ରସନ୍ନମନା କରିବାଲାଗି ଯତ୍ନ କରୁଥିଲା । ଅନ୍ୟ ସମସ୍ତେ ଅନ୍ନପୂର୍ଣ୍ଣାଙ୍କ ସମଦଶାପନ୍ନ । ଅନ୍ନପୂର୍ଣ୍ଣା ସର୍ବଦା ଚିନ୍ତାକୁଳ ରହି ନିଜର ବିବେକ ସୁଦ୍ଧା ହରାଇ ବସିଲେ । ସ୍ୱାମୀଙ୍କ ପ୍ରତି ଅନୁରାଗ ପ୍ରଦର୍ଶନ କରିବା ତେଣେ ଥାଉ ସ୍ୱାମୀଙ୍କୁ ଦେଖିବାଲାଗି ମଧ୍ୟ ସେ ଇଚ୍ଛୁକ ନଥିଲେ ।

 

ଧାରାଶ୍ରାବଣ କ୍ରମେ ଅତୀତ ହେବା ଉପରେ । ଦିନେ ଘୋର ତମସାବୃତ ରଜନୀରେ ଅବିରଳ ବୃଷ୍ଟି, ବାତ୍ୟା ଚାଲିଛି; ଦର୍ଦ୍ଦୁର, ଡାହୁକ ସ୍ଵନରେ ଚତୁର୍ଦ୍ଦିଗ ମୁଖରିତ ହେଉଛି, ଅନ୍ନପୂର୍ଣ୍ଣା ଅତୃପ୍ତିକର ଭୋଜନ ସମାପ୍ତ କରି ଶୟନ ମନ୍ଦିର ମଧ୍ୟରେ ଉପବିଷ୍ଟ ହେଲେ । ମାତ୍ର ବିରାମଦାୟିନୀ ନିଦ୍ରା ତାଙ୍କୁ ଆକ୍ରମଣ କଲେ ନାହିଁ । ସେ ଅଗତ୍ୟା ଉଦ୍ୟାନର ସମ୍ମୁଖୀନ ଗବାକ୍ଷ ଫିଟାଇ ଦେଇ ଲକ୍ଷ୍ୟ ଶୂନ୍ୟ ଭାବରେ ଅନାଇ ରହିଲେ । ବାୟୁବେଗରେ ଜଳକଣାଗୁଡ଼ିକ ତାଙ୍କ ଚିନ୍ତାକ୍ଳିଷ୍ଟ ମୁଖମଣ୍ଡଳକୁ ଆଘାତ କରୁଥିଲା । ଖଦ୍ୟୋତର କ୍ଷୀଣାଲୋକ ଉଦ୍ୟାନର ସ୍ଥାନେ ସ୍ଥାନେ ଦୃଷ୍ଟ ହେଉଥିଲା । ବୃଦ୍ଧା ମୀନାକ୍ଷୀ କହିଲା, ‘‘ମଣିମା, ପହଡ଼କୁ ବିଜେ କରନ୍ତୁ; ବହୁତ ରାତି ହୋଇଗଲାଣି-। ଶ୍ରୀଅଙ୍ଗ ଅଳସ ହେଉ ନାହିଁ ?’’

 

ଅନ୍ନପୂର୍ଣ୍ଣା ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ । ତାଙ୍କ ଦୃଷ୍ଟି ମଧ୍ୟ ସେଆଡ଼ୁ ଫେରିଲା ନାହିଁ-। ହଠାତ୍ ଦାସୀ ଆସି ସମ୍ବାଦ ଦେଲା, ‘‘ମଣିମା ମହାରାଜ ବିଜେ କରିବେ । ପ୍ରତିହାରୀ ସମ୍ବାଦ ପଠାଇଛି ।’’

 

ତେବେ ମଧ୍ୟ ଅନ୍ନପୂର୍ଣ୍ଣା ନୀରବ । ଦାସୀ କୌଣସି ସମ୍ବାଦ ନପାଇ ସେହି କଥାର ପୁନରାବୃତ୍ତି କଲା । ଅନ୍ନପୂର୍ଣ୍ଣା ବିରକ୍ତ ପ୍ରକାଶ କରି କହିଲେ, ‘‘କ’ଣ କହୁଛୁ ? ଯା କହ, ମୋ ଦେହ ସୁସ୍ଥ ନାହିଁ ।’’

 

ଦେବରାୟଙ୍କ ନିକଟକୁ ସମ୍ବାଦ ପ୍ରେରିତ ହେଲା । ମହିଷୀଙ୍କ ପୀଡ଼ାସମ୍ବାଦ ପାଇ ସେ ଟିକିଏ ଚିନ୍ତିତ ହେଲେ । ପ୍ରକୃତ ଘଟଣା ଜାଣିବାଲାଗି ସେ କାଳବିଳମ୍ବ ନକରି ମହିଷୀଙ୍କ ଅନ୍ତଃପୁରରେ ଉପନୀତ ହେଲେ । ଦାସୀଗଣ ରାଜାଙ୍କୁ ଦେଖିବାମାତ୍ରେ ଅନ୍ୟତ୍ର ପ୍ରସ୍ଥାନ କଲେ; ମାତ୍ର ଅନ୍ନପୂର୍ଣ୍ଣା ସେହି ଅବସ୍ଥାରେ । ସ୍ୱାମୀଙ୍କ ଆଡ଼କୁ ତାଙ୍କର ଦୃଷ୍ଟି ଆଦୌ ଫେରିଲା ନାହିଁ । ଦେବରାୟ ମହିଷୀଙ୍କ ନିକଟସ୍ଥ ହୋଇ ପଚାରିଲେ, ‘‘ଏତେ ରାତ୍ରିରେ ଏପରି ଅବସ୍ଥାରେ କ’ଣ କରୁଛ ? ଅସୁସ୍ଥତାର କାରଣ କ’ଣ ?’’

 

ଅନ୍ନପୂର୍ଣ୍ଣା ଦୃଷ୍ଟି ଫେରାଇ ଦେଖିଲେ, ତାଙ୍କ ହୃଦୟର ଦେବତାସ୍ଵାମୀ । ସେ ସଲଜ୍ଜଭାବରେ ଦଣ୍ଡାୟମାନ ହୋଇ ଉତ୍ତର ଦେଲେ, ‘‘ଆହାର ବିହାରରେ ସୁଖ ନାହିଁ;–ନିଦ୍ରା ନାହିଁ-। ତେବେ ଆଉ ସୁସ୍ଥ କ’ଣ ?’’ ଅଳ୍ପ ଦିନ ହେଲା ଜନ୍ମଭୂମି ପରିତ୍ୟାଗ କରିଥିବାରୁ ତୁମ ମନରେ ବରାବର ଅଶାନ୍ତି ଜନ୍ମିଛି । କିନ୍ତୁ ତୁମେ ପ୍ରାପ୍ତ ବୟସ୍କା ଓ ସୁଶିକ୍ଷିତା ହୋଇ, ବାଳିକା ତୁଲ୍ୟ ଏପରି ଆଚରଣ କରିବା ନ୍ୟାୟସଙ୍ଗତ କି ?’’

 

‘‘ମୁଁ ଆଜି ପର୍ଯ୍ୟନ୍ତ ବାଳକା ତୁଲ୍ୟ ଜୀବନଯାପନ କରିଛି; ଆଜୀବନ ମଧ୍ୟ କରିବି ।’’

 

କୃଷ୍ଣଦେବ ରାୟ ଅଧୋବଦନ ହେଲେ । ମହିଷୀଙ୍କର ଏ ବ୍ୟବହାର ତାଙ୍କ ମନରେ ଘୋର ବ୍ୟଥା ଜାତ କଲା । ସେ ଯେତେ ଯତ୍ନ କଲେ ମଧ୍ୟ ମହିଷୀଙ୍କର ପରିବର୍ତ୍ତନ ଦେଖିଲେ ନାହିଁ-। ପରିଶେଷରେ ଗାତ୍ରୋତ୍ଥାନ କରି, ଦୃଢ଼ ଭାବରେ କହିଲେ ‘‘ତେବେ ତୁମର ଆନ୍ତରିକ ଇଚ୍ଛା କ’ଣ ? ପତିପତ୍ନୀ ମଧ୍ୟରେ ଏପରି ବ୍ୟବହାର କଦାପି ଶୋଭନୀୟ ନୁହେଁ ।’’

 

ରୁକ୍ଷ ବ୍ୟବହାରରେ ମଧ୍ୟ ଅନ୍ନପୂର୍ଣ୍ଣାଙ୍କର ଚୈତନ୍ୟୋଦୟ ହେଲା ନାହିଁ । ସେ ବିକୃତସ୍ଵରରେ କହିଲେ, ‘‘ଏ ଦୃଶ୍ୟର ଅନ୍ତରାଳରେ ମୁଁ ଏକାକିନୀ ରହିବାଲାଗି ବଡ଼ ଇଚ୍ଛୁକ । ବର୍ତ୍ତମାନ ଆଉ ଅଧିକ କିଛି କହିପାରୁନାହିଁ ।’’ କୃଷ୍ଣ ଦେବରାୟ ଦୀର୍ଘ ନିଃଶ୍ଵାସ ତ୍ୟାଗ ପରେ ସେଠାରୁ ଅନ୍ତର୍ହିତ ହେଲେ ।

Image

 

ପଞ୍ଚବିଂଶ ପରିଚ୍ଛେଦ

 

ବିଧିର ଦାରୁଣ ବିଧାନ ମାନବର ଅଗୋଚର । ନବଦମ୍ପତି ମଧ୍ୟରେ ଏପରି ହଠାତ୍ ମନୋମାଳିନ୍ୟର ସୂତ୍ରପାତ ହେବ ବୋଲି କିଏ କହିପାରେ ? କିନ୍ତୁ ବିଧାତାଙ୍କ ପକ୍ଷେ ଏହା ଆଶ୍ଚର୍ଯ୍ୟ ନୁହେଁ । ସେ ନିମିଷ ମଧ୍ୟରେ ଅଘଟନ ସଂଘଟନ କରି ପାରନ୍ତି ।

 

ଦେବରାୟ ଅନ୍ନପୂର୍ଣ୍ଣାଙ୍କ ବ୍ୟବହାରରେ ମର୍ମାହତ ହେଲେ ସତ, ମାତ୍ର ମହିଷୀଙ୍କ ପ୍ରତି କୌଣସି ପ୍ରକାର ଦୁର୍ବ୍ୟବହାର କରିବା ତାଙ୍କର ଇଚ୍ଛା ନଥିଲା । ରାଣୀଙ୍କ ମନୋରକ୍ଷା ଲାଗି ନଗରର ଅଦୂରବର୍ତ୍ତୀ ନିକାଞ୍ଚନ ସ୍ଥାନରେ ଗୋଟିଏ ନୂତନ ପ୍ରାସାଦ ନିର୍ମିତ ହେଲା । ତା’ର ଚତୁର୍ଦ୍ଦିଗରେ ପୁଷ୍କରିଣୀ, ପ୍ରମୋଦ ଉଦ୍ୟାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ଆୟୋଜନ କରାଇଦିଆଗଲା ।

 

ଅନ୍ନପୂର୍ଣ୍ଣା ଏଣିକି ନୂତନ ବାସଭବନରେ ଏକାକିନୀ ପରିଚାରିକାମାନଙ୍କ ସହିତ ବାସ କଲେ । ରାଜା ମହିଷୀଙ୍କର ଅଭାବ ଆଉ କ’ଣ ? ସେ ଯାହା ଇଚ୍ଛା କରିଥିଲେ, ତାହା ପାଇଲେ । କ୍ରମେ କ୍ରମେ ମନରୁ ଅଶାନ୍ତି ଦୂରୀଭୂତ ହୋଇ ଶାନ୍ତି ଆସିଲା । ସେ ଏଣିକି ତାଙ୍କର କର୍ମମୟ ଜୀବନ ଆନନ୍ଦରେ ଯାପନ କରିବାକୁ ଲାଗିଲେ । ମନରେ ନୂତନ ଆନନ୍ଦ, ନୂତନ ଚିନ୍ତା ଜାଗ୍ରତ ହେଲା । ସେ ସର୍ବଦା ଦେବାରାଧନା, ଗ୍ରନ୍ଥ ଅଧ୍ୟୟନ, ଉଦ୍ୟାନ ପାଳନରେ ମନଯୋଗୀ ହେଲେ ଦୁଃଖୀ ଓ ବିପନ୍ନଙ୍କୁ ସାହାଯ୍ୟ ଦାନ, ଅନ୍ନସତ୍ର, ପ୍ରତିଷ୍ଠା, ପ୍ରତ୍ୟହ ଅଜସ୍ର ଅର୍ଥ ବିତରଣ ପ୍ରଭୃତି ସତ୍‍କାର୍ଯ୍ୟ ପ୍ରତି ତାଙ୍କର ମନ ସ୍ଵତଃ ଆକୃଷ୍ଟ ହେଉଥିଲା । ପରିଶେଷରେ ସେ ସ୍ଵୀୟ ବାସଭବନ ନିକଟରେ ଗୋଟିଏ ପ୍ରକାଣ୍ଡ ପୁଷ୍କରିଣୀ ଖନନ କରି ଅଜସ୍ର ଧନବ୍ୟୟ କରିଥିଲେ । ଏହି ପୁଷ୍କରିଣୀ ସମୀପରେ ଗୋଟିଏ ଜନପଦ ସ୍ଥାପିତ ହେଲା । ତାହା କମ୍ବଂ ନାମରେ ପରିଚିତ । କଥିତ ଅଛି କମ୍ବ ନାମକ ଗୋଟିଏ ବାଳକକୁ ପୁଷ୍କରିଣୀ ଖନନ ସମୟରେ ବଳି ଦିଆଯାଇଥିବାରୁ, ସେହି ଅନୁସାରେ ଜନପଦର ନାମ କମ୍ବଂ ବୋଲି ଦିଆଯାଇଥିଲା ।

 

ଏହିପରି ଦୁଇବର୍ଷ ଅତିବାହିତ ହେଲାପରେ ଅନ୍ନପୂର୍ଣ୍ଣାଙ୍କର ଚୈତନ୍ୟୋଦୟ ହେଲା । ସେ ଭାବିଲେ, ‘‘ମୁଁ କେଡ଼େ ମୂର୍ଖ ? ମୋର ଭ୍ରମର ପରିଣାମ କାହିଁ ? ମୁଁ ଜୀବନ ଦେବତା, ଆରାଧ୍ୟ ପତିଙ୍କୁ ଶାସ୍ତି ଦେବାପାଇଁ ମନସ୍ଥ କରିଛି । ଛି, ନାରୀର ପୁଣି ଏ କର୍ତ୍ତବ୍ୟ ? ମୋ ମୁଣ୍ଡରେ ବଜ୍ରପାତ ହେଉ ନାହିଁ । ଧିକ୍ ମୋର ଜୀବନ । ଯାହାଙ୍କ ଲାଗି ସୁଖ ସୌଖ୍ୟ, ସ୍ନେହ, ପ୍ରେମ, ଆନନ୍ଦ ମୁଁ ତାଙ୍କଠାରୁ ଦୂରରେ । ସେଥି ଦେବତାଙ୍କର ମୁଁ ବିଦ୍ଵେଷ ଭାଜନ । ଧିକ୍ ମୋର ସ୍ତ୍ରୀତ୍ଵ ।’’

 

କ୍ରମେ କ୍ରମେ ଅନ୍ନପୂର୍ଣ୍ଣା ଅନୁତାପାନଳରେ ଦଗ୍ଧ ହେବାକୁ ଲାଗିଲେ । ସେ କିପରି ସ୍ଵାମୀଙ୍କର ଅନୁରାଗ ଅର୍ଜନ କରିବେ, ତାଙ୍କ ବାମ ପାର୍ଶ୍ଵରେ ବସି ହୃଦୟ ବେଦନା ଜଣାଇବେ ? ଆହା–ଜୀବନରେ କ’ଣ ସତେ ଆଉ ସେ ସୁଖ ପଥର ସହଯାତ୍ରୀ ହେବେ ? ପ୍ରଭୁ ନୀଳାଚଳନାଥ ତୁମ ଇଚ୍ଛା ।

 

ମାଘ ମାସର ଘୋର ଶୀତ ରାତି । ଆକାଶରେ ଆଦୌ ମେଘ ନାହିଁ । ଚନ୍ଦ୍ରର ମଧୁମୟୀ ଜ୍ୟୋତ୍ସ୍ନା ପୃଥିବୀର ଚତୁର୍ଦ୍ଦିଗରେ ଖେଳି ବୁଲୁଛି । ଅନ୍ନପୂର୍ଣ୍ଣା ସ୍ଵୀୟ ବାସ–ଭବନରେ ବୃଦ୍ଧା ମୀନାକ୍ଷୀ ସହିତ ଆଳାପରେ ବ୍ୟସ୍ତ ।

 

ମହିଷୀ ପଚାରିଲେ, ‘‘କିଲୋ ବୁଢ଼ୀ ! ଆଜି କାହିଁକି ତୋ ମନଟାରେ ଭାରି ଦୁଃଖ ? ମୁହଁଟା ବିବାକ କଳା କାଠ ପଡ଼ି ଯାଇଛି ?’’

 

‘‘ବୁଢ଼ୀ କଥା କ’ଣ ପଚାରୁଛ ? ମୋର ତ ଆସି ମରିବାବେଳ ହେଲାଣି । ହେଲେ ଗୋଟିଏ କଥା ଲାଗି ମୋ ମନ ଭାରି ଘାଣ୍ଟି ହଉଚି ।’’

 

‘‘କି କଥା ସିଏ କହିଲୁ, କହିଲୁ ?’’

 

‘‘ଆଉ କି କଥା, ଯାହାଙ୍କର ଅନ୍ନଜଳ ଖାଇ ବଢ଼ିଛି, ତାଙ୍କରି ବିଷୟ ।’’

 

‘‘ଛାଡ଼ ସେ କଥା ବୁଢ଼ୀ, ତୁ ଏଣିକି ସଂସାର ଛାଡ଼ି ଯିବୁ । ତୁ ଜାଣିଥିବା ଔଷଧ ପତ୍ର, ମନ୍ତ୍ର ଯନ୍ତ୍ରଗୁଡ଼ିକ ଆଜିଯାଏବି କହିଲୁ ନାହିଁ । କେତେ ଥର ତତେ ଏ କଥା କହିଲିଣି–ମାତ୍ର ତୁ କହିବୁ ନାହିଁ ବୋଲି ଜିଗର ଧରି ବସିଛୁ ପରା ?’’

 

‘‘ମଲା, କୁଆଡ଼ କଥା କୁଆଡ଼ୁକୁ ଯାଉଛି । କହିଲି କ’ଣ, ହେଲା କ’ଣ ? ରାଜାଘର ରାଣୀକି ଏ ସବୁ କି ଲୋଡ଼ା ଯେ !’’

 

‘‘ଭଲ କହିଲୁ, ରଜାଘର ଲୋକେ କ’ଣ ମନୁଷ୍ୟ ନୁହନ୍ତି ? ସେମାନେ କ’ଣ ସଂସାରୀ ନୁହ ? ତାଙ୍କୁ କ’ଣ ରୋଗ ବ୍ୟାଧି ହୁଏ ନାହିଁ ?’’

 

‘'ନାଇଁ ଗୋ ମା’, ମୁଁ କ’ଣ ତୁମ ସାଥିରେ କଥା କହି ପାଇବି । ଜାଣିଛ ତ ମୁଁ ମୂର୍ଖ, ଜିଗରଦାର ଲୋକଟାଏ । ତୁମେ ମୋ କଥା ନରଖିଲେ ମୁଁ କିଆଁ ତୁମ କଥା ରଖିବି ।’’

 

‘‘ଆଚ୍ଛା, କ’ଣ କହିଲୁ ତେବେ ?’’

 

‘‘ଦେଖ ମା’, ଦଇବ ବିଧାତାର ଭିଆଣ । ସ୍ତ୍ରୀ ପୁରୁଷ ଦୁଇଟି । ଦୁହେଁଯାକ ଏକାଠି ନରହିଲେ ପୁଣି କୋଉ କଥା–ମନୁଷ୍ୟ କଥା ଛାଡ଼, ଚଢ଼େଇ ଚିରଗୁଣୀ ତ ଏପରି । ଓଡ଼ିଶା ମହାରାଜାଙ୍କ ଜେମା କ’ଣ ସେଥିରୁ ଅଲଗା ? ମୋ ମୁର୍ଦ୍ଧନା ଏ କଥା ସହିପାରୁନାହିଁ ।’’

 

‘‘ବୁଢ଼ୀ, ଛାଡ଼ ସେ କଥା । ଆଉ ଯଦି କ’ଣ ଅଛି ତେବେ କହ ।’’

 

‘‘ମୋର ଆଉ କିଛି କଥା ନାହିଁ । ବୁଢ଼ୀ କଥାଟାକୁ ଗୋଡ଼ରେ ଆଡ଼େଇ ଦିଅନା । ମୁଁ ଆଉ କେତେ କାଳ ବଞ୍ଚିବି ? ଏ ଜୀବନରେ ତୁମ ଦୁହିଁଙ୍କି କିମିତି ଏକାଠି ରଖିଯାଆନ୍ତି କି, ତେବେ ମୋର ଗଙ୍ଗାସ୍ନାନ ଫଳ ।’’

 

‘‘ତତେ ଅନେକ ଥର କହିଚି ପରା, ମୁଁ ଏବେ ଯେପରି ଅଛି ସେହିପରି ରହିବାକୁ ବଡ଼ ଭଲ ପାଏ । ଏପରି ରହିବାଦ୍ଵାରା ଲୋକ ସମାଜର ବିଶେଷ ଉପକାର କରିପାରିବି ବୋଲି ଆଶା । ଭୋଗରେ କ’ଣ ଗୋଟାଏ ଆନନ୍ଦ ଅଛି, ବୁଢ଼ୀ ? ତ୍ୟାଗମୟ ଜୀବନ ବଡ଼ ଭଲ, ଖୁବ୍ ସରସ । ଦିନେ ତ ମରିବାକୁ ହେବ, ସେ ଅନିତ୍ୟ ସୁଖ ଭୋଗରେ ଭଲା କି ଲାଭ ?’’

 

“ମା’, ତୁମେ କେତେ ପାଠ, ପୁରାଣ ପଢ଼ିଛ । ମୁଁ ଆଉ ଅଧିକଗୁଡ଼ାଏ କ’ଣ ବୁଝାଇପାରିବି ? ତେବେ ଏ କୋମଳ ବୟସରେ, ଯୌବନର ଏ ଅଭିନବ ସୌନ୍ଦର୍ଯ୍ୟ ନଷ୍ଟ କରି ବୈରାଗ୍ୟ ଅବଲମ୍ବନ କରିବାଟା ତ ସୁନ୍ଦର ଦିଶୁନାହିଁ । ତୁମେ ତ ମତେ ଦିନେ କହିଛ ମା’, ବନିତା, ଲତା ଆଉ କ’ଣ ବିନା ଆଶ୍ରୟରେ ଉଧେଇ ପାରନ୍ତି ନାହିଁ, ଅକାଳରେ ନଷ୍ଟ ହୋଇଯାନ୍ତି ।’’

 

ଅନ୍ନପୂର୍ଣ୍ଣା ଟିକିଏ ହସି ଦେଇ କହିଲେ, ‘‘ବୁଢ଼ୀ ତ ପଣ୍ଡିତ ପାଲଟି ଗଲାଣି ।’’ ବୁଢ଼ୀ ଉତ୍ତର କଲା, ‘‘ମା’, ତୁମ ପାଖରେ ରହି ମୁଁ ଏ ସବୁ ବେଶ୍ କରି ଜାଣିଛି । ସେଥିରୁ କ’ଣ ମିଳିବ, ମୁଁ କହିବା କଥାର ଆଗ ଉତ୍ତର ଦେଲ ।’’

 

ଅନ୍ନପୂର୍ଣ୍ଣା ନୀରବ ରହିଲେ । ପରେ ଉତ୍ତର ଦେବେ ବୋଲି କହି ସେଠାରୁ ମଣୋହି କି ଚାଲିଲେ । ସାମାନ୍ୟ ଫଳାହାର ପରେ ଶୟନ ମନ୍ଦିରର ସେହି ଗଜଦନ୍ତ ପଲଙ୍କରେ ଉପବିଷ୍ଟ ହେଲେ । ମାତ୍ର ତାଙ୍କ ମନ ଚିନ୍ତାରେ ଇତସ୍ତତଃ ।

Image

 

ଷଡ଼ବିଂଶ ପରିଚ୍ଛେଦ

 

ଦାସୀର ନୀତିପୂର୍ଣ୍ଣ ବାକ୍ୟ ରାଶିରେ ଅନ୍ନପୂର୍ଣ୍ଣା ବିଚଳିତ । ବିଶେଷତଃ ‘‘ଦଇବ ବିଧାତାର ଭିଆଣ ସ୍ତ୍ରୀ ପୁରୁଷ ଦୁଇଟି ଏକାଠି ନରହିଲେ ପୁଣି କୋଉ କଥା ?’’ ଏଇ ଉପଦେଶ ତାଙ୍କ ହୃଦୟରେ ବଜ୍ରବତ୍ ପ୍ରବେଶ କଲା । ଏତେଦିନେ ସେ ତାଙ୍କର ଭ୍ରମ ବୁଝିପାରି ଅନୁତାପ କଲେ; ‘‘ସ୍ଵାମୀଙ୍କ ସ୍ନେହ ସୁଖରୁ ବଞ୍ଚିତ ହୋଇ ମୁଁ ଏଠାରେ କ’ଣ କରିବି ? ମୋର ସଂସାରରେ ଆଉ ଅଛି କ’ଣ ? ସ୍ଵାମୀଙ୍କ ସ୍ନେହ ଶ୍ରଦ୍ଧା ସ୍ତ୍ରୀ ଜୀବନର ଅମୂଲ୍ୟ ସଂପଦ । ସ୍ଵାମୀଙ୍କ ଉଚ୍ଛିଷ୍ଟ ରମଣୀର ନିର୍ମାଲ୍ୟ–ସ୍ଵାମୀଙ୍କର ପଦସେବା ନାରୀର ସ୍ଵର୍ଗ–ବିଭୂତି । ଏ ସବୁ ହରାଇ ମୁଁ ଦୀନହୀନ ଭାବରେ ବାସ କରି ରହିବା ଯାହା, ମରିବା ତ ତା’ଠାରୁ ଶତ ଗୁଣରେ, ସହସ୍ର ଗୁଣରେ ଶ୍ରେୟସ୍କର-। ତେବେ କ’ଣ କରିବି ? ସେ ଅମୂଲ୍ୟ–ସଂପଦ କିପରି ଫେରି ପାଇବି ? ସେହି ଅମୃତମୟ ଜୀବନ–ଯାପନ ସତେ ମୋ ଭାଗ୍ୟରେ ଅଛି ? ତାଙ୍କ ପ୍ରାଣରେ ଘୋର ଅଶାନ୍ତି ଢାଳି ଦେଇ ମୁଁ ଯେ ଅପରାଧ ଅର୍ଜନ କରିଛି, ତା’ର ପ୍ରାୟଶ୍ଚିତ୍ତ ଅଛି ତ ?’’

 

ଅନ୍ନପୂର୍ଣ୍ଣା ଆଜି ପାଗଳିନୀ । ସେ ଚତୁର୍ଦ୍ଦିଗରେ ଦେଖୁଛନ୍ତି କେବଳ ସ୍ଵାମୀଙ୍କର ସେହି ମନୋରମ ମୃଦୁହାସ୍ୟଯୁକ୍ତ ଶ୍ରୀମୁଖ, ସ୍ଵର୍ଣ୍ଣଘନ ତୁଲ୍ୟ ସେହି ବିଶାଳ ବକ୍ଷ, ଆଜାନୁ ଲମ୍ବିତ ଭୁଜ; ଶୁଣୁଛନ୍ତି ତାଙ୍କର ସେହି ଅମୃତମୟ କର୍ଣ୍ଣ ରସାୟନ ଉପଦେଶ ପୂର୍ଣ୍ଣ ମିଷ୍ଟାଳାପ । ‘‘ସତେ, ସତେ ସ୍ଵାମୀ ଜୀବନ ଦେବତା–ଅବଳାର ଏକମାତ୍ର ଅବଲମ୍ବନ–ଆସିଚ–ପ୍ରିୟତମ ମୁଁ ପରା ଉପେକ୍ଷିତା ! ନା ମୁଁ ନୁହେଁ, ମୁଁ ତୁମ ହୃଦୟର ଈଶ୍ଵରୀ, କର୍ମଜୀବନର ସହକାରିଣୀ, ଧର୍ମାନୁଷ୍ଠାନରେ ଅର୍ଦ୍ଧାଙ୍ଗିନୀ । ମତେ କ୍ଷମାକର–ମୋ ଅପରାଧ ମାର୍ଜନା କର–ମୋର ଏଇ ଶେଷ ଭିକ୍ଷା ।’’

 

କିଶୋରୀ ପ୍ରାଣରେ ବିରହ ବାସ୍ତବିକ ବଡ଼ କଷ୍ଟମୟ–ଖୁବ୍ ଯନ୍ତ୍ରଣାଦାୟକ । ବିରହର ଦୁଃଖ ଦୈନ୍ୟ ଯେ ଅନୁଭବ କରେ ଭବିଷ୍ୟତରେ ପ୍ରଭୁ ତା’ପାଇଁ ମିଳନର ସେହି ମଧୁର ଅମୃତ–ଧାରା ରଖିଥାନ୍ତି । ଧୈର୍ଯ୍ୟ ବିବେକ ବଳରେ ପ୍ରେମିକ ପ୍ରେମିକା ଯୁଗଳ ବରାବର ମିଳନ ପରେ ବିରହ, ବିରହ ପରେ ମିଳନ ଉପଭୋଗ କରିଥାନ୍ତି ।

 

ରାଜମହିଷୀ ଆଉ ନିଦ୍ରିତ ହୋଇ ପାରିଲେ ନାହିଁ । ଶଯ୍ୟା ତାଙ୍କୁ କଣ୍ଟକାକୀର୍ଣ୍ଣ ପରି ବୋଧ ହେଲା । ବସନ, ଭୂଷଣ ବିଷବତ୍ ପ୍ରତୀୟମାନ ହୋଇ ପଡ଼ିଲା । କ’ଣ କରିବେ ? ଭାବି ଭାବି ସ୍ଥିର କଲେ ସେ ନିଜେ ଯାଇ ତାଙ୍କର ସମସ୍ତ ଅପରାଧ ଲାଗି କ୍ଷମା ଭିକ୍ଷା କରିବେ । ମାତ୍ର ସେ ସୁବିଧା ତ ଆଦୌ ନାହିଁ । ଆଉ ତେବେ କ’ଣ କରାଯିବ ?

 

ଭାବି ଭାବି ସ୍ଥିର କଲେ, ସ୍ଵାମୀ ମୋର ପରମ ପଣ୍ଡିତ, କବି, ଭାବୁକଙ୍କ ପରି ଅତିଶୟ ଗୁଣଗ୍ରାହୀ । ଅତଏବ ମୋର ଦୁଃଖ ଦୈନ୍ୟ କବିତା ଆକାରରେ ତାଙ୍କୁ ଜଣାଇବି, ଦେଖାଯାଉ କ’ଣ ହେଉଛି ?

 

ରଜନୀ ପ୍ରଭାତ ହେଲା । ଅନ୍ନପୂର୍ଣ୍ଣା ପ୍ରାତଃକୃତ୍ୟ ସମାପନ କରି ଗୋଟିଏ ସଂସ୍କୃତ–ପଞ୍ଚକ ରଚନା ପ୍ରତି ମନ ବଳାଇଲେ । ବୃଦ୍ଧା ମୀନାକ୍ଷୀ ଜେମାଙ୍କର ଏ ପରିବର୍ତ୍ତନରେ ଆନନ୍ଦିତ ହେଲା । ଅନ୍ନପୂର୍ଣ୍ଣା ବର୍ତ୍ତମାନ ସର୍ବଦା ସେହି କବିତା–ରଚନାରେ ବ୍ୟସ୍ତ ।

 

ଦୀର୍ଘ ଭାବନା ଓ କଳ୍ପନା ମଧ୍ୟରୁ ତାଙ୍କର ପଞ୍ଚକଟି ପ୍ରସ୍ତୁତ ହେଲା । ସେ ସେଗୁଡ଼ିକ ତାଳ ପତ୍ରରେ ଲେଖି ମୀନାକ୍ଷୀ ହାତରେ ରାଜାଙ୍କ ସମୀପକୁ ପଠାଇ ଦେଲେ ।

 

ଚରନ୍ ବନାନ୍ତେ ନବ ମଞ୍ଜରୀଷୁ

ନ ଷଟ୍‍ପଦୋ ଗନ୍ଧ ଫଳୀ ମଜିଘ୍ରତ୍

ସାକିନ୍ନରମ୍ୟା ନଚକିନ୍ନରକ୍ତା

ବଳୀୟସୀ କେବଳ ମୀଶ୍ଵରାଜ୍ଞା ।୧।

ଅର୍ଥାତ୍ ଭ୍ରମର ବନପ୍ରାନ୍ତସ୍ଥିତ ନୂତନ ପୁଷ୍ପ ମଧ୍ୟରେ ବିତରଣ କରୁ କରୁ ଚମ୍ପକକୁ ଆଘ୍ରାଣ କରି ନପାରି ପରିତ୍ୟାଗ କରେ ବୋଲି କ’ଣ ଚମ୍ପକ–ସୁନ୍ଦରୀଙ୍କର ସୁନ୍ଦରତା ଓ ସୌରଭର ଅଖ୍ୟାତି ହେବ ? ନା ତାହା କଦାପି ସମ୍ଭବପର ନୁହେଁ । କେବଳ ବିଧାତାଙ୍କର ବିଧାନ ଅତି ବଳିୟାନ ଓ ଅଲଙ୍ଘନୀୟ । ଷଟ୍‍ପଦ ସେହି ଅନୁଜ୍ଞାର ବଶବର୍ତ୍ତୀ ହୋଇ ଚମ୍ପକ ନିକଟରେ ପ୍ରବେଶ କରିପାରେ ନାହିଁ । ତା’ର ତୀବ୍ର ସୌରଭ ସହି ନପାରି ଭୟରେ ମଧ୍ୟ ଦୂର ହୋଇଥାଏ ।

ମାକିଂଶୁକ ପ୍ରକଟୟାତ୍ମ ନିମେଷ ମାତ୍ରଂ

ମନ୍ନସ୍ତକେ ବିହାରତୀତ ମଧୁବ୍ରତୋୟଂ

କିଂ ମାଳତି, ବିରହବେଦନୟା ତ୍ଵଦୀୟଂ

ଦୃଷ୍ଟ୍ୱା ପ୍ରସୂନ ମଚିରାନ୍ଦନଳ ଭ୍ରମେଣ ।୨।

ଅର୍ଥାତ୍ ହେ କିଂଶୁକ, ଭ୍ରମର ତୁମ୍ଭ ମସ୍ତକ ଉପରେ ବିହାର କରୁଛି ବୋଲି ତୁମେ ଯେ କ୍ଷଣିକ ଆନନ୍ଦ ଅନୁଭବ କରୁଛ, ତାହା ଯେପରି ଅନୁଚିତ, ମାଳତି ପୁଷ୍ପକୁ ପରିତ୍ୟାଗ କରିବାଦ୍ଵାରା ତା’ର ଯେ ବିରହ ଘଟିଛି, ସେଥିପାଇଁ ମାଳତିର ଦୁଃଖ ପ୍ରକାଶ କରିବା ମଧ୍ୟ ସେହିପରି ଅନାବଶ୍ୟକ । କେବଳ ପଲାଶ ପୁଷ୍ପର ରକ୍ତିମାରେ ବଶବର୍ତ୍ତୀ ହୋଇ ଭ୍ରମର ଅଗ୍ନି ଭ୍ରମରେ ତାହାର ନିକଟବର୍ତ୍ତୀ ହୋଇଛି ସିନା !

ଭ୍ରମର ଭ୍ରମଣ ଦିଗନ୍ତରାଳେ

କ୍ୱଚିଦାସ୍ଵାଦିତ, ମୀକ୍ଷିତଂ ଶ୍ରୁତଂବୀ

ବଦ ସତ୍ୟ ମପାସ୍ୟ ପକ୍ଷପାତଂ

ଯଦି ଯାଢ଼ୌ କୁସୁମାନୁକାରୀ ପୁଷ୍ପଂ ।୩।

ଅର୍ଥାତ୍ ଭ୍ରମର ଦିଗନ୍ତରାଳରେ ଭ୍ରମଣ କରୁ କରୁ ଜାତି କୁସୁମ ପରି ମନୋହର ସୁରଭି ବିଶିଷ୍ଟ ପୁଷ୍ପରୁ ଯଦି ମଧୁପାନ ନକରି ଅନ୍ୟତ୍ର ଗମନ କରେ, ତାହାହେଲେ ତା’ର ଗୌରବ କିମ୍ବା ରସିକତାର କିଛି ହାନି ହୁଏ କି ?

କୁସୁମାନ ଲିଖଂତୁ ନାମଚିତ୍ରୋ

କତି ଚିତ୍କାରୁ ବିଶେଷ ରୂଢ଼ ଶିକ୍ଷାଃ

ସୁରଭିତ୍ଵ ମସୂନିର୍ଜିଂ ଲଭନ୍ତେ

କିମୁ ଚୈତେଷୁ ରସଂ ପିବନ୍ତି ଭୁଙ୍ଗାଃ । ୪ ।

ଅର୍ଥାତ୍ ଗୋଟିଏ ଚିତ୍ରପଟ ଊପରେ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ କରି କୌଶଳ କ୍ରମେ ପୁଷ୍ପ ସମୂହ ଲିଖିତ ହେଲେ ଭ୍ରମର ସେଥିରୁ ସୌରଭ ଆଘ୍ରାଣ କରି ମଧୁପାନ କରିପାରେ କି ?

କିଂମାଳତି ମ୍ଳାୟସୀମାଂ ବିଦ୍ରାୟ

ଚୁଚୁମ୍ବ ତୁମ୍ବୀ କୁସୁମଂ ଷଡ଼ଘ୍ରିଃ ।

ଲୋକେ ଚତୁର୍ଭିଶ୍ଚରଣୈଃ ପଶୁସ୍ତା

ତ୍ସଷଭିରତ୍ୟର୍ଥ ପଶୁର୍ନ କିଂସ୍ୟାତ୍ । ୫ ।

 

ଅର୍ଥାତ୍ ମାଳତି ! ଭ୍ରମର ତୁମ୍ଭଙ୍କୁ ପରିତ୍ୟାଗ କରି ତୁମ୍ବୀ ପୁଷ୍ପ (ଲାଉ ଫୁଲ)କୁ ଚୁମ୍ବନ କଲା ବୋଲି ତୁମେ ବେଦନା ଅନୁଭବ କରୁଛ ? ନା, ଭ୍ରମର ଯେ ବିବେକ ଶୂନ୍ୟ, ଜ୍ଞାନ ହୀନ । କାରଣ ଚତୁଷ୍ପଦ ପଶୁ ଅପେକ୍ଷା ଏହାର ପାଦ ସଂଖ୍ୟା ଅଧିକ । ତେଣୁ ସେ ଜ୍ଞାନରେ ମଧ୍ୟ ପଶୁଠାରୁ ହୀନ ।’’

Image

 

ସପ୍ତବିଂଶ ପରିଚ୍ଛେଦ

 

କୃଷ୍ଣଦେବ ରାୟ ବ୍ୟଥିତ ହୃଦୟରେ ନୂତନ ମହିଷୀଙ୍କ ସମୀପରୁ ବିଦାୟ ନେଇ ନାନା କାର୍ଯ୍ୟରେ ବ୍ୟସ୍ତ ରହିଲେ । ଇତିମଧ୍ୟରେ ନାନାପ୍ରକାର ରାଜକାର୍ଯ୍ୟ ଓ ଦିଗ୍‍ବିଜୟରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେବାକୁ ଲାଗିଲା । କିନ୍ତୁ ସରଳା ମହିଷୀଙ୍କର ଏ ପ୍ରକାର ବିରାଗ, ନୀରସତା, ତାଙ୍କ ହୃଦୟରେ ସର୍ବଦା ନାନାଚିନ୍ତା ସୃଷ୍ଟି କରୁଥିଲା । ସେ କିପରି ଅନ୍ନପୂର୍ଣ୍ଣାଙ୍କୁ ବଶୀଭୂତ କରିପାରିବେ ଏଥିଲାଗି କୌଶଳ ଉଦ୍ଭାବନ କରିବାଲାଗି ତାଙ୍କୁ ସମୟ କମ୍ ସୁବିଧା ନଥିଲା । ଦିଗ୍‍ବିଜୟରୁ ଫେରି ଆସି କିଛିଦିନ ଶିକାରରେ କଟିଗଲା । ଅରଣ୍ୟବାସ ସମୟରେ ବିଦୂଷକ ରାଜାଙ୍କୁ, ତାଙ୍କ ନୂତନ ମହିଷୀଙ୍କ ବିଷୟ ସ୍ମରଣ କରାଇଦେଲେ ।

 

ରାଜା ବିଷାଦରେ ରାଜଧାନୀକୁ ଫେରିଲେ । ଭାବିଲେ ‘‘ମୁଁ ତ ତାଙ୍କୁ ପ୍ରାଣରୁ ଅନ୍ତର କରି ଦେଇଛି, ଆଉ କେଉଁ ଉପାୟରେ ସେହି ସରଳାର ମୁଖାବଲୋନ କରି ତାପିତ ପ୍ରାଣ ଶୀତଳ କରିବି ? କ’ଣ ବୋଲି ତାଙ୍କୁ ଆଉ ସମ୍ବୋଧନ କରିବି ?’’ ଏହିପରି ଚିନ୍ତା କରି କରି କୃଷ୍ଣଦେବ ରାୟ ରାଜକାର୍ଯ୍ୟରେ ବ୍ୟସ୍ତ ହୋଇ ପଡ଼ିଲେ । ମାତ୍ର ସେ ସବୁ ତାଙ୍କୁ ବିଷ ତୁଲ୍ୟ ବୋଧ ହେଲା । ସେ ସେହିକ୍ଷଣି ଏକାକୀ ପ୍ରମୋଦ ଉପବନକୁ ଗମନ କଲେ । ଉପବନର ସେହି ସେ ସୌନ୍ଦର୍ଯ୍ୟ, ପୁଷ୍ପଗୁଡ଼ିକର ମନୋମୁଗ୍ଧକର ମାଧୁରୀ, ମଧୁପର ମନୋହର ଗୁଞ୍ଜନ, କୋକିଳର ମଧୁର ସ୍ଵରଲହରୀ ତାଙ୍କ ପ୍ରାଣକୁ ଅଧିକ କଷ୍ଟମୟ କରିଦେଲା । ବିରହ ପ୍ରେମିକ ପ୍ରାଣରେ କିପରି ଦୁଃଖଦାୟକ, ତାହା ବୁଝିବାପାଇଁ ଆଉ ବାକି ରହିଲା ନାହିଁ । ରାଜା କହିଲେ, ‘‘ହାୟ, ଅନ୍ନପୂର୍ଣ୍ଣା–ପ୍ରକୃତରେ ତୁମେ ଅନ୍ନପୂର୍ଣ୍ଣା, ଲକ୍ଷ୍ମୀ– ମାତ୍ର ମୁଁ ତୁମକୁ ଯୋଗ୍ୟ ନୁହେଁ ? ହେଲେ ମଧ୍ୟ ମୁଁ ଯେ ତୁମର ସ୍ୱାମୀ, ଜୀବନର ଦେବତା–ମୋ ଅପରାଧ ମାର୍ଜନା କରିବା ତ ତୁମର ଧର୍ମ ? ଆସ ଅନ୍ନପୂର୍ଣ୍ଣା, ଜୀବନର ସଙ୍ଗିନୀ, ସଂସାର ଯାତ୍ରାର ଧ୍ରୁବତାରା, ତୁମର ସେହି ଅମଳ–ଧବଳ–ହାସ୍ୟ–ବିମଣ୍ଡିତ ଶ୍ରୀମୁଖରେ ଥରେ ମୃଦୁ–ହାସ୍ୟ କରି ଡାକି ଦିଅ ‘ପ୍ରିୟତମ’; ମୁଁ ଭୁଲିଯିବି ମୋର ଏ ଅସହ୍ୟ ଯନ୍ତ୍ରଣା, ବିରହର ଏ ଭୀଷଣ କଷ୍ଟ । ଆସ ପ୍ରିୟେ, ତୁମ ମୃଣାଳ–କୋମଳ ବାହୁଯୁଗଳରେ ଥରେଭଲା ଆଲିଙ୍ଗନ କର ।’’

 

କହୁ କହୁ ଦେବରାୟ ବିଚଳିତ ହୋଇ ପଡ଼ିଲେ । କେବଳ ନୀରବରେ ଅନାଇ ରହିଲେ ସନ୍ଧ୍ୟାର ସେହି ମନୋରମ ଚିତ୍ର ରାଶିକୁ । ହଠାତ୍ ମୀନାକ୍ଷୀ ସେଠାରେ ଉପନୀତ ହେଲା । ରାଜା ତା’ର ଆକସ୍ମିକ ଆଗମନରେ ଆହୁରି ଆଶଙ୍କା କରି ପଚାରିଲେ, ‘‘ବୁଢ଼ୀ, ଏ ଅସମୟରେ କୁଆଡ଼େ ଆସିଲୁ ? ମଣିମାଙ୍କ ଶ୍ରୀଅଙ୍ଗ କୁଶଳ ତ ?’’

 

“ଚାତକ ନବ ମେଘର ଗର୍ଜନ ଶୁଣିଲେ, ଚକୋର ପୂର୍ଣ୍ଣିମାର ମନୋରମ ଚନ୍ଦ୍ରକୁ ଦର୍ଶନ କଲେ, କାହିଁକି ଆନନ୍ଦିତ ନୋହିବ ମହାରାଜ !’’

 

ରାଜାଙ୍କର ସେହି ବିଷଣ୍ଣ ବଦନରେ ହାସ୍ୟର କ୍ଷୀଣଛିଟା ପରିଦୃଷ୍ଟ ହେଲା । ସେ ବୃଦ୍ଧାକୁ ଟିକିଏ ତୀକ୍ଷ୍ଣଦୃଷ୍ଟିରେ ଅନାଇ କହିଲେ, ‘‘ବୁଢ଼ୀ ତ ଏବେ ଗୋଟାଏ ମସ୍ତ ପଣ୍ଡିତ !’’

 

ବୃଦ୍ଧା ତା’ର ଅଞ୍ଚଳକୁ ମୁଖରେ ଆବୃତ କରି କହିଲା, ‘‘ମଧୁପର ଯେଉଁ ପୁଷ୍ପ ପ୍ରତି ନିରନ୍ତର ମନ ଥାଏ, ସେ କ’ଣ ତାକୁ କେବେ ଛାଡ଼ିପାରେ ? ସେଥିପାଇଁ ପରା ରାତିରେ ମଧ୍ୟ ପଦ୍ମଫୁଲ ଭିତରେ ଭ୍ରମରଟା ରହିଯାଏ ।’’ କହିବା ସଙ୍ଗେ ସଙ୍ଗେ ବୃଦ୍ଧା ହାସ୍ୟସମ୍ବରଣ କରି ନପାରି ପତ୍ର ଖଣ୍ଡିକ ମହାରାଜଙ୍କ ଶ୍ରୀହସ୍ତକୁ ବଢ଼ାଇ ଦେଇ ବିଜୁଳି ବେଗରେ ସେଠାରୁ ପ୍ରସ୍ଥାନ କଲା ।

 

ଦେବରାୟ ଉତ୍କଣ୍ଠାର ସହିତ ପତ୍ରଟି ଖୋଲି ଦେଖିଲେ । ସେ ନିଜେ ପଣ୍ଡିତ, ଭାବୁକ, କବି । ପଞ୍ଚକଟି ପଢ଼ୁ ପଢ଼ୁ ତାଙ୍କ ନୟନରୁ ଅଶ୍ରୁଧାର ବହିଗଲା । ସେହି ଶ୍ଳୋକର ଭାବ ରାଶିରେ ମୁଗ୍ଧ ହୋଇ ଦେବରାୟ ତାକୁ ବାରମ୍ବାର ପଢ଼ିବାକୁ ଲାଗିଲେ ଏବଂ ପୁନଃପୁନଃ ହୃଦୟରେ ସ୍ଥାପନ କରି ଆଲିଙ୍ଗନ କରିବାକୁ ଲାଗିଲେ । ଚିରଦିନର ସ୍ମୃତିସ୍ୱରୂପ ଉକ୍ତ ପଞ୍ଚକଟି ବହୁମୂଲ୍ୟ ପ୍ରସ୍ତର ଖଚିତ ସୁବର୍ଣ୍ଣ ବନ୍ଧନୀଦ୍ଵାରା ରକ୍ଷିତ ହେଲା ।

 

ଅନନ୍ତର କୃଷ୍ଣଦେବ ରାୟ ରାତ୍ରିକୃତ୍ୟ ସମାପନ କରି ଶୟନ ମନ୍ଦିରକୁ ଗମନ କଲେ । ଆଜି ସେ ଆନନ୍ଦର ଉତ୍ତାଳ ତରଙ୍ଗରେ ଭାସମାନ । ଆନନ୍ଦରେ ସେହି ରାତିକ ତାଙ୍କୁ ସାତରାତି ପରି ବୋଧ ହେଲା । ସେ ବାରମ୍ବାର ଗାତ୍ରୋତ୍‍ଥାନ କରି ଉଷା ଆଗମନ ପ୍ରତୀକ୍ଷା କରିବାକୁ ଲାଗିଲେ । ରଜନୀ ପ୍ରଭାତ ହେଲା । ଦେବରାୟ ସେହିକ୍ଷଣି ପ୍ରାତଃକୃତ୍ୟ ସମାପନ କରି କମ୍ବଂ ଅଭିମୁଖେ ଯାତ୍ରା କଲେ । ସ୍ୱାମୀଙ୍କୁ ଆଗମନ ବାର୍ତ୍ତା ପ୍ରଚାରିତ ହୁଅନ୍ତେ ଅନ୍ନପୂର୍ଣ୍ଣା ଆନନ୍ଦିତ ହୋଇ ପଡ଼ିଲେ । ଦୀର୍ଘ ବିରହ ପରେ ସେ ମିଳନର ମଧୁର ଅମୃତ ଆସ୍ଵାଦନ କରିପାରିବେ ଭାବି ତାଙ୍କ ପାଦ ଭୂମିରେ ପଡ଼ିଲା ନାହିଁ । ସେ ଗବାକ୍ଷ ମାର୍ଗରେ ସ୍ୱାମୀଙ୍କ ଆଗମନ ପ୍ରତୀକ୍ଷା କରିବାକୁ ଲାଗିଲେ ।

 

ଯୁଗପତ୍ ଆନନ୍ଦ ଓ ପ୍ରେମରେ ବିଭୋର ହୋଇ ଦେବରାୟ କକ୍ଷରେ ଉପବିଷ୍ଟ ହେଲେ-। ସେ ଅନ୍ନପୂର୍ଣ୍ଣାଙ୍କୁ କଣ୍ଠାଲିଙ୍ଗନ କରି ପକାଇ କହିଲେ, ‘‘ପ୍ରିୟେ !’’ ଅନ୍ନପୂର୍ଣ୍ଣା ତା’ର ଉତ୍ତରରେ କେବଳ ‘‘ନାଥ, ଜୀବନ ସର୍ବସ୍ଵ !’’ ବୋଲି କହି ଦେବରାୟଙ୍କ ସ୍କନ୍ଧ ଦେଶରେ ଶ୍ରୀମୁଖ ଲୁଚାଇ ଦେଇ ଅଶ୍ରୁ ବର୍ଷଣ କଲେ ।

 

ମିଳନ ! –ଧନ୍ୟ ତୋର ମାଧୁରୀ–ତୁ ଦେବତାର ଦାନ–ଦୀର୍ଘ ବିରହ ପରେ ତୋର ମାଧୁରୀ ପ୍ରେମିକ ପ୍ରେମିକା ପ୍ରାଣରେ ସ୍ୱର୍ଗର ଅମର ଉଚ୍ଛ୍ଵାସ ଆଣି ଦିଏ । ଅନ୍ନପୂର୍ଣ୍ଣା ସ୍ୱାମୀଙ୍କ କରପାଶରୁ ମୁକ୍ତ ହୋଇ ତାଙ୍କ ଚରଣ ବନ୍ଦନା କଲେ । ସ୍ୱୀୟ ମସ୍ତକରେ ସ୍ୱାମୀଙ୍କ ପଦଧୂଳି ଗ୍ରହଣ କଲାବେଳେ ସ୍ୱାମୀ ତାଙ୍କୁ ଆଲିଙ୍ଗନ ସଙ୍ଗେ ସଙ୍ଗେ ଚୁମ୍ବନ ପ୍ରଦାନ କରି କହିଲେ, ‘‘ପ୍ରିୟେ ଏହାହିଁ ତୁମ୍ଭ ରଚିତ ଶ୍ଳୋକାବଳୀର ଉଚିତ ଉତ୍ତର ଓ ପୁରସ୍କାର ।’’

 

ମୃଦୁ–ହାସ୍ୟମୟୀ ଅନ୍ନପୂର୍ଣ୍ଣା ଲଜ୍ଜାରେ କେବଳ ଅଧୋବଦନ ହୋଇ ରହିଲେ ।

 

ବହୁ ଦିନ ପରେ ଉଭୟେ ମିଷ୍ଟାଳାପରେ ମାତିଗଲେ ।

 

‘‘ନାଥ, ଏ ଦାସୀ ବର୍ତ୍ତମାନ କ’ଣ ଉପେକ୍ଷିତା ?’’

 

ଅନ୍ନପୂର୍ଣ୍ଣା, ତୁମେ ଉପେକ୍ଷିତା ? ନା, ‘‘ତୁମେ ମୋ ହୃଦୟର ଈଶ୍ଵରୀ, କର୍ମଜୀବନର ସହଚରୀ, ପ୍ରେମ ରାଜ୍ୟର ଅଧୀଶ୍ଵରୀ, ଧର୍ମାନୁଷ୍ଠାନରେ ସହଧର୍ମିଣୀ ।’’

 

“ଦାସୀର ଏ ଭାଗ୍ୟ । ତେବେ କିଙ୍କରୀ ପକ୍ଷେ ଏ ଗୋଟିଏ ନବଯୁଗ ।’’

 

“ଅବଶ୍ୟ–ଅନ୍ନପୂର୍ଣ୍ଣା ଏଣିକି ବୈଷ୍ଣବୀ ନୁହନ୍ତି–ଅତୁଳ ଐଶ୍ୱର୍ଯ୍ୟର ଅଧିକାରିଣୀ, ବିଜୟନଗରର ରାଣୀ–ଆସ ଅନ୍ନପୂର୍ଣ୍ଣା–ତୁମେ ଆଉ ତପସ୍ଵିନୀ ନୁହ । ତ୍ୟାଗ କର ତୁମ୍ଭର କଷାୟ ବସନ, ଫଳମୂଳାହାର । ଅଚିରେ ବିଜୟନଗର ଅନ୍ତଃପୁର ତୁମପାଇଁ ମୁକ୍ତ ହୋଇଯିବ ।’’

 

‘‘ମହାରାଜଙ୍କର ଯେ ଅଭିରୁଚି ।’’

 

ତଦନ୍ତର କୃଷ୍ଣଦେବ ରାୟ ନୂତନ ମହିଷୀଙ୍କ ସହିତ କମ୍ବଂ ବାସଭବନରେ ଦୁଇ ଦିନ ଅବସ୍ଥାନ କରି ଅନ୍ନପୂର୍ଣ୍ଣାଙ୍କ ପାଳିତ ନାନାବିଧ ଉପବନ, ପଶୁ ପକ୍ଷୀ ପ୍ରଭୃତି ପର୍ଯ୍ୟବେକ୍ଷଣ କରି ବିଜୟନଗର ଅଭିମୁଖେ ଯାତ୍ରା କଲେ । ଅନ୍ନପୂର୍ଣ୍ଣାଙ୍କୁ ଖୋଦିତ ପ୍ରକାଣ୍ଡ ସରୋବର ତାଙ୍କ ମନରେ ଭାବାନ୍ତର ଘଟାଇଦେଲା ।

 

ରାଜଦମ୍ପତିଙ୍କ ଆଗମନରେ ବିଜୟନଗରର ଅପୂର୍ବ ଶ୍ରୀ ଧାରଣ କଲା । ସ୍ଥାନେ ସ୍ଥାନେ ଉତ୍ସବାନନ୍ଦର ମହାତରଙ୍ଗରେ ନଗରଟି କୋଳାହଳମୟ ହୋଇଗଲା । ବହୁ ଦିନ ପରେ ଚକୋରୀ ଈପ୍ସିତ ଚନ୍ଦ୍ରକର ପାନରେ ଜୀବନ ସାର୍ଥକ କଲା ।

Image

 

ଅଷ୍ଟାବିଂଶ ପରିଚ୍ଛେଦ

 

ବସନ୍ତ କାଳର ସନ୍ଧ୍ୟା ସମୟ । ପରିମଳ ପୂର୍ଣ୍ଣ ମଳୟ ଧୀରେ ଧୀରେ ପ୍ରବାହିତ ହେଉଛି । ଦେବରାୟ ନୂତନ ମହିଷୀଙ୍କ ସହ ପ୍ରମୋଦ ଉଦ୍ୟାନରେ ମିଷ୍ଟାଳାପ କରୁଛନ୍ତି ।

 

“ଦୀର୍ଘ ବିରହର ସେହି ଯନ୍ତ୍ରଣାରାଶି ମନେ ହେଲେ, ଆଜି ହୃଦୟରେ ଘୋର ବେଦନା ଜାତ ହେଉ ନାହିଁ ?’’

 

“ଛାଡ଼ନ୍ତୁ ମହାରାଜ, ଦୈବଗତି ଅବାରିତ । ସେଥିରେ ଅନ୍ତରାୟ କ’ଣ ଅଛି ? ମନୁଷ୍ୟ ଏ ସଂସାର–ସମୁଦ୍ରର ଭାସମାନ କାଠିକୁଟା ।’’

 

‘‘ଧନ୍ୟ ତୁମର ହୃଦୟ ଅନ୍ନପୂର୍ଣ୍ଣା । ତୁମେ ମୋ ଲାଗି ଏ କୋମଳ ବୟସରେ କି କଷ୍ଟ ଅନୁଭବ ନକଲ ?’’

 

‘‘କଷ୍ଟ ନୁହେଁ ତ ପ୍ରିୟତମ, ସେ ସବୁ ଅବଳାର ଅଳଙ୍କାର । ଦୁଃଖିତ ହେଉଛନ୍ତି କିଆଁ ?’’

 

ଦେବରାୟ ଆଉ କିଛି କହି ପାରିଲେ ନାହିଁ । ଅନ୍ନପୂର୍ଣ୍ଣାଙ୍କ କୋମଳ କରପଲ୍ଲବ ଚୁମ୍ବନ କରିବାକୁ ଲାଗିଲେ । ବହୁ ଦିନପରେ ରାଜଦମ୍ପତିର ଏ ମଧୁର ମିଳନ ଉଭୟ ପ୍ରାଣରେ ଆନନ୍ଦ ଢାଳିଦେଲା ।

 

ଅନ୍ନପୂର୍ଣ୍ଣା ପରମ ପଣ୍ଡିତା । ସେ ସ୍ଵୀୟ ଗୁଣ ବଳରେ ସ୍ୱାମୀଙ୍କୁ ବଶୀଭୂତ କରି ଧର୍ମନିଷ୍ଠା, ଗ୍ରନ୍ଥ ଅଧ୍ୟୟନ ଓ ରାଜ୍ୟର ଆଭ୍ୟନ୍ତରୀଣ ଉନ୍ନତି ପ୍ରତି ଯତ୍ନ କରିଥିଲେ । ଦେବରାୟ ମଧ୍ୟ ମହିଷୀଙ୍କ ସହିତ ପ୍ରଗାଢ଼ ଧର୍ମାନୁଶୀଳନ, ସାହିତ୍ୟ ଆଲୋଚନାରେ ମନପ୍ରାଣ ଉତ୍ସର୍ଗ କରିଥିଲେ । ସାମ୍ରାଜ୍ୟର ଅଭିବୃଦ୍ଧି ଲାଗି ଭୀଷଣ ଯୁଦ୍ଧ ଓ ରକ୍ତପାତ ତାଙ୍କ ମନରେ ଅନୁତାପ ସୃଷ୍ଟି କରିଥିଲା । ସେ ଏଣିକି ଅଧିକାଂଶ ସମୟରେ ପ୍ରଜାବର୍ଗଙ୍କର ହିତ ସାଧନ, ପ୍ରାଚୀନ କୀର୍ତ୍ତିର ଉଦ୍ଧାର, ସଦ୍‍ନୁଷ୍ଠାନ ସ୍ଥାପନ, ଧର୍ମାଲୋଚନା, ପରୋପକାରରେ ଆପଣାକୁ ନିୟୋଜିତ କରିଥିଲେ । ରାଜାରାଣୀଙ୍କ ଅମଳଧବଳ କୀର୍ତ୍ତି କାହାଣୀରେ ଇତିହାସ ପୃଷ୍ଠା ଉଜ୍ଜ୍ଵଳ ହୋଇ ପଡ଼ିଲା । ଅନ୍ନପୂର୍ଣ୍ଣା ନାହାନ୍ତି–ପୁଣ୍ୟଶ୍ଳୋକ କୃଷ୍ଣଦେବ ରାୟ ମଧ୍ୟ ଅମରଲୋକରେ; ଅଛି କେବଳ ମୂକ ସାକ୍ଷୀ ତୁଲ୍ୟ କୀର୍ତ୍ତିରାଜିର ଭଗ୍ନାବଶେଷ–ଅମରଗାଥାମୟ ଇତିହାସ । ଆଜି ଭାବୁକ ସେହି ଭଗ୍ନସ୍ତୂପକୁ ଅନାଇ ଦୀର୍ଘ ନିଃଶ୍ୱାସ ତ୍ୟାଗ ପରେ କହୁଛି:–

 

‘‘ସର୍ବେ ଚଳିବେ କାଳବଳେ

ଯଶ ରହିବ ମହୀ ତଳେ ।’’

Image